Home Administration ଆସିପାରିବନି ମେୟର ନିର୍ବାଚନ ବିଧେୟକ

ଆସିପାରିବନି ମେୟର ନିର୍ବାଚନ ବିଧେୟକ

ଭୁବନେଶ୍ୱର : ମହାନଗର ନିଗମର ମେୟର ପଦବୀ ସମେତ ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳଗୁଡିକର ଅଧ୍ୟକ୍ଷ ପଦବୀ ଲାଗି ପ୍ରତ୍ୟକ୍ଷ ନିର୍ବାଚନ ପାଇଁ ରାଜ୍ୟ ସରକାର ଯେଉଁ ଚିଠାପ୍ରସ୍ତାବ ଜାରି କରିଛନ୍ତି ସେ ସଂକ୍ରାନ୍ତରେ ଆଇନ୍‍ରେ ସଂଶୋଧନ ଲାଗି ବିଧେୟକ ବିଧାନସଭାର ଆଗାମୀ ବର୍ଷାକାଳୀନ ଅଧିବେଶନରେ ଆସିବାର ସମ୍ଭାବନା ନାହିଁ । ତେବେ ନଭେମ୍ବର ଡିସେମ୍ବର ଆଡକୁ ଶୀତକାଳୀନ ଅଧିବେଶନରେ ଏହି ବିଲ୍‍ ଆସିପାରେ ।

ପୂର୍ବରୁ ପୌରସଂସ୍ଥା ଓ ଏନ୍‍ଏସିଗୁଡିକର ଅଧ୍ୟକ୍ଷ ନିର୍ବାଚନ କାଉନସିଲରମାନଙ୍କ ମଧ୍ୟରୁ ହେଉଥିଲା । ପରବର୍ତ୍ତୀ ସମୟରେ ଏଥିରେ ସଂଶୋଧନ କରାଯାଇ ପ୍ରତ୍ୟକ୍ଷ ନିର୍ବାଚନ ବ୍ୟବସ୍ଥା ହୋଇଥିଲା । ତେବେ ପୁଣି ତାହାକୁ ସଂଶୋଧନ କରାଯାଇ ଏପର୍ଯ୍ୟନ୍ତ ପରୋକ୍ଷ ନିର୍ବାଚନ ଚାଲିଛି । ଏବେ ଆଇନ୍‍ରେ ସଂଶୋଧନ ପାଇଁ ନଗର ଉନ୍ନୟନ ବିଭାଗ ଯେଉଁ ଚିଠା ପ୍ରସ୍ତାବ ୧୫ଦିନ ତଳେ ଜାରି କରିଛି ସେଥିରେ କର୍ପୋରେଟର ଓ କାଉନସିଲରଙ୍କ ନିର୍ବାଚନ ସହିତ ଅଧ୍ୟକ୍ଷ ପଦବୀ ପାଇଁ ବି ପ୍ରତ୍ୟକ୍ଷ ନିର୍ବାଚନ କରିବାର ଯୋଜନା ରହିଛି ।

ଏଥିଲାଗି ପ୍ରତ୍ୟେକ ବୁଥ୍‍ରେ କାଉନସିଲର ବା କର୍ପୋରେଟରଙ୍କ ପାଇଁ ଗୋଟିଏ ଓ ମେୟର ତଥା ଅଧ୍ୟକ୍ଷ ପ୍ରାର୍ଥୀଙ୍କ ପାଇଁ ଭିନ୍ନ ଭିନ୍ନ ବାଲାଟ କିମ୍ବା ଇଭିଏମ୍‍ର ବ୍ୟବସ୍ଥା କରାଯିବ । ଜନସାଧାରଣଙ୍କ ଠାରୁ ମତାମତ ଗ୍ରହଣ କରିବାର ଶେଷ ତାରିଖ ପୂର୍ବରୁ ବିଧାନସଭାର ବର୍ଷାକାଳୀନ ଅଧିବେଶନ ସମାପ୍ତ ହେବାର ଅଛି । ତେଣୁ ଏ ସଂକ୍ରାନ୍ତୀୟ ଆଇନ୍‍ ସଂଶୋଧନ ଲାଗି ବିଧେୟକ ଏହି ଅଧିବେଶନ କାଳରେ ଆସିବାର ସମ୍ଭାବନା କ୍ଷୀଣ । ତେବେ ବିଭାଗୀୟ ଅଧିକାରୀମାନେ କହୁଛନ୍ତି ଯେ ଜନସାଧାରଣଙ୍କ ମତାମତ ଲୋଡିବାପରେ ଉଚ୍ଚ ସ୍ତରରେ ତାହାର ତର୍ଜମା କରାଯାଇ ଠିକଣା ସମୟରେ ଆଇନ୍‍ ସଂଶୋଧନ ଲାଗି ବ୍ୟବସ୍ଥା ଗ୍ରହଣ କରାଯିବ । ଏ ସମସ୍ତ ପ୍ରକ୍ରିୟା ପୌର ନିର୍ବାଚନ ବିଜ୍ଞପ୍ତି ଜାରି ହେବା ପୂର୍ବରୁ ନିଶ୍ଚିତ ଭାବେ ଶେଷହେବ ।

ରାଜ୍ୟ ସରକାର ପୌର ନିର୍ବାଚନ କରାଇବାରେ ଜାଣିଶୁଣି ବିଳମ୍ବ କରୁଛନ୍ତି ବୋଲି ବିଜେପି ଓ କଂଗ୍ରେସ ପକ୍ଷରୁ ବାରମ୍ବାର ଅଭିଯୋଗ ହୋଇ ଆସୁଥିବାବେଳେ ବିଜେଡି ପକ୍ଷରୁ ଏହାର କଡା ଜବାବ ଦିଆଯାଇଥିଲା । ଏଠାରେ ଉଲ୍ଲେଖନୀୟ ଯେ ୨୦୧୮ ମସିହାରୁ ଭୁବନେଶ୍ୱର ମହାନଗର ନିଗମ ସମେତ କେତେକ ପୌରସଂସ୍ଥାର କାର୍ଯ୍ୟକାଳ ଶେଷ ହୋଇଥିବାବେଳେ ୨୦୧୯ ରେ ଅଧିକାଂଶ ପୌରସଂସ୍ଥାର ମିଆଦ ପୂରିଯାଇଛି । ଫଳରେ ଏବେ ୧୧୦ରୁ ଉର୍ଦ୍ଧ୍ୱ ପୌରାଞ୍ଚଳରେ ନିର୍ବାଚିତ ଲୋକପ୍ରତିନିଧି ନଥିବାରୁ ଅମଲାତନ୍ତ୍ରୀମାନେ ଏହି ସଂସ୍ଥା ସବୁ ପରିଚାଳନା କରୁଛନ୍ତି ।

ରାଜ୍ୟ ସରକାର ପୂର୍ବରୁ ପୌର ଓ ପଞ୍ଚାୟତିରାଜ ସଂସ୍ଥାପାଇଁ ଏସ୍‍ଇବିସି ବର୍ଗଙ୍କ ସଂରକ୍ଷଣସୀମା ୨୭ ପ୍ରତିଶତକୁ ବୃଦ୍ଧି କରିଥିଲେ । ଏହା ବିରୁଦ୍ଧରେ ଓଡିଶା ହାଇକୋର୍ଟରେ ମାମଲା ହୋଇଥିଲା ଏବଂ ସେଥିରେ ରାଜ୍ୟ ସରକାର ହାରିବାରୁ ସୁପ୍ରିମ୍‍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମ୍‍କୋର୍ଟ ଏହି ୨୭ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥାକୁ ୨୦୧୯ ମସିହାରେ ଅଗ୍ରାହ୍ୟ କରିଦେବା ସହ ମୋଟ୍‍ ସଂରକ୍ଷଣ ସୀମା ୫୦ ପ୍ରତିଶତରେ ସୀମିତ ରଖିବାକୁ କହିଥିଲେ । ଏ ପ୍ରସଙ୍ଗରେ ଆଇନ୍‍ଗତ ତର୍ଜମା ଚାଲିଥିବାବେଳେ କରୋନା ସଂକ୍ରମଣ ବ୍ୟାପିବାରୁ ଆଉ ପୌରସଂସ୍ଥାଗୁଡିକ ଲାଗି ଥିବା ସଂରକ୍ଷଣ ଆଇନ୍‍ରେ ସଂଶୋଧନ କରାଯାଇନାହିଁ କିମ୍ବା ୱାର୍ଡ ଓ ପଦବୀ ପୁର୍ନଗଠନ ହୋଇପାରି ନାହିଁ ।

ତେବେ ୫୦ପ୍ରତିଶତ ସଂରକ୍ଷଣ ସୀମାକୁ ଆଖିଆଗରେ ରଖି ଖୁବ୍‍ଶୀଘ୍ର ଆଇନ୍‍ରେ ସଂଶୋଧନ ଅଣାଯିବବୋଲି ସରକାରଙ୍କ ପକ୍ଷରୁ ସୂଚନା ମିଳିଛି । ତେବେ ପୌରସଂସ୍ଥା ଦଖଲ ଲାଗି ବିଜେଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବାବେଳେ ବିଜେପି ଓ କଂଗ୍ରେସ ମଧ୍ୟ ଏହାକୁ ଆଖିଆଗରେ ରଖି ଗୋଟି ଚଳାଉଛନ୍ତି । (ତଥ୍ୟ)