Home Education ଆସନ୍ତାବର୍ଷ ଖୋଲିବ ୬୩ଟି ନୂଆ ଆଦର୍ଶ ବିଦ୍ୟାଳୟ

ଆସନ୍ତାବର୍ଷ ଖୋଲିବ ୬୩ଟି ନୂଆ ଆଦର୍ଶ ବିଦ୍ୟାଳୟ

ଭୁବନେଶ୍ୱର : ଆସନ୍ତା ବର୍ଷ ୬୩ଟି ନୂଆ ଆଦର୍ଶ ବିଦ୍ୟାଳୟ ଖୋଲିବ । ଆଦର୍ଶ ବିଦ୍ୟାଳୟ ଲାଗି ପ୍ରବେଶିକା ପରୀକ୍ଷା ଆସନ୍ତା ତା. ୧୮/୦୨/୨୦୨୨ରେ କରାଯିବ । ଏଥି ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନେ ଆବଶ୍ୟକୀୟ ପ୍ରଚାରପ୍ରସାର କରିବେ ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ସମୀକ୍ଷା ବୈଠକରେ ମୁଖ୍ୟ ଅତିଥି ଭାବେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଯୋଗଦାନ କରି ରାଜ୍ୟର ଶିକ୍ଷା ବିକାଶ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ଉଦ୍ଦେଶ୍ୟରେ କହିଲେ ଯେ, ଶିକ୍ଷାକ୍ଷେତ୍ରରେ ଆମର ମାନବିକ ସ୍ୱଭାବକୁ ଜାଗ୍ରତ କରିବାକୁ ପଡ଼ିବ ।

ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ ବୈଠକରେ ବିଭାଗ ତରଫରୁ ଗୁଣାତ୍ମକ ଶିକ୍ଷା ନିମନ୍ତେ ନିଆଯାଉଥିବା ସମସ୍ତ ଅଭିନବ ପଦକ୍ଷେପ ସଂପର୍କରେ ସୂଚନା ପ୍ରଦାନ କରି ସମସ୍ତ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

ଆସନ୍ତା ୩ ତାରିଖରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ନିମନ୍ତେ ବିଦ୍ୟାଳୟ ଖୋଲୁଥିବାରୁ ବିଦ୍ୟାଳୟର ସଫେଇ ଓ ବିଶୋଧନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯିବ । ମାତ୍ର କୌଣସି ପରିସ୍ଥିତିିରେ ପିଲାମାନଙ୍କୁ ସ୍କୁଲ ଆସିବାକୁ ବାଧ୍ୟ କରାଯିବ ନାହିଁ । ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ରେ ଶିକ୍ଷାଦାନ କରାଯିବ ।

ସରକାରଙ୍କ ମାର୍ଗଦର୍ଶିକାର ଉପଯୁକ୍ତ ଅନୁପାଳନ ସହ ପାଠପଢ଼ା, ବିଦ୍ୟାଳୟ ପରିସରର ସ୍ୱଚ୍ଛତା, ସାନିଟାଇଜେସନ୍‌, ମାସ୍କ ପରିଧାନ, ସାମାଜିକ ଦୂରତା ଆଦି ବଜାୟ ରଖି ପିଲାମାନଙ୍କୁ ପାଠପଢ଼ା ଅବ୍ୟାହତ ରଖିବା ଉପରେ ପ୍ରମୁଖ ସଚିବ ଶ୍ରୀ ସାହୁ ଗୁରୁତ୍ୱାରୋପ କରିଥିଲେ ।

ଆଦର୍ଶ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ, ଛାତ୍ରଛାତ୍ରୀଙ୍କ ନିମନ୍ତେ ଛାତ୍ରାବାସ ଗୃହ ଏବଂ ଭିତ୍ତିଭୂମି ନିର୍ମାଣ ନିମନ୍ତେ ସରକାରଙ୍କ ଅର୍ଥର କୌଣସି ଅସୁବିଧା ସୃଷ୍ଟି ହେବ ନାହିଁ ବୋଲି ପ୍ରମୁଖ ସଚିବ ଶ୍ରୀ ସାହୁ ମତବ୍ୟକ୍ତ କରିଥିଲେ । ୫-‘ଟି’ ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକୁ ଆଗକୁ ନେବା ପାଇଁ ଡିଜିଟାଲ୍‌ ଲାଇବ୍ରେରୀ, କ୍ରୀଡ଼ା ଭିତ୍ତିଭୂମି, ବିଜ୍ଞାନାଗାର, ସ୍ୱଚ୍ଛ ପିଇବା ପାଣି, ଶୌଚାଳୟ, ସ୍ମାର୍ଟ କ୍ଲାସ୍‌ରୁମ୍‌, ଉତ୍ତମ ଶୈକ୍ଷିକ ପରିବେଶ, ବିଦୁ୍ୟତ ସୁବିଧା, ଆସବାବପତ୍ର, ବଗିଚା, ଅଗ୍ନିନିର୍ବାପକ ବ୍ୟବସ୍ଥା ଆଦି ସଂପର୍କରେ ପ୍ରମୁଖ ସଚିବ ଶ୍ରୀ ସାହୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ପ୍ରମୁଖ ସଚିବ ଶ୍ରୀ ସାହୁ ଚଳିତ ବର୍ଷ ମାଟି୍ରକ୍‌ ପରୀକ୍ଷା ଆୟୋଜନ ଓ ସୁପରିଚାଳନା ନେଇ ମଧ୍ୟ ଆଲୋଚନା କରିଥିଲେ ।

ବୈଠକର ଆଲୋଚନାରୁ ଜଣାପଡ଼ିଛି ଯେ ଆଦର୍ଶ ବିଦ୍ୟାଳୟ ଲାଗି ଜିଲ୍ଲା ଶିକ୍ଷା ଅଧିକାରୀମାନେ ଗୁଣାତ୍ମକ ଆସବାବପତ୍ର କିଣିବେ । ଆବଶ୍ୟକ ସ୍ଥଳେ ଅଧିକ ଖର୍ଚ୍ଚ ବହନ କରାଯିବ । ଆସନ୍ତା ବର୍ଷ ୬୩ଟି ନୂଆ ଆଦର୍ଶ ବିଦ୍ୟାଳୟ ଖୋଲିବ । ଆଦର୍ଶ ବିଦ୍ୟାଳୟ ଲାଗି ପ୍ରବେଶିକା ପରୀକ୍ଷା ଆସନ୍ତା
ତା. ୧୮/୦୨/୨୦୨୨ରେ କରାଯିବ । ଏଥି ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନେ ଆବଶ୍ୟକୀୟ ପ୍ରଚାରପ୍ରସାର କରିବେ ।

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟଗୁଡ଼ିକରେ ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରାଯିବ । ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ବାକି ରହିଥିବା ବିନିଯୋଗପତ୍ରଗୁଡ଼ିକ ଶୀଘ୍ର ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଧନ୍ଦାମୂଳକ ଶିକ୍ଷା ଉପରେ ଗୁରୁତ୍ୱ ଦେବାକୁ ସ୍ଥିର କରାଯାଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଆଞ୍ଚଳିକ ନିର୍ଦ୍ଦେଶକମାନେ ଯୁକ୍ତ-୨ ଏବଂ ଯୁକ୍ତ-୩ର ପୃଥକୀକରଣ ପାଇଁ ଆବଶ୍ୟକ ପଦକ୍ଷେପ ନେବେ ।

ପଠାଣୀ ସାମନ୍ତ ଏବଂ ଜୁନିଅର ମେରିଟ୍‌ ସ୍କଲାରସିପ୍‌ ପାଇଁ କିପରି ଅଧିକ ଛାତ୍ରଛାତ୍ରୀ ଆବେଦନ କରିବେ ସେଥି ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀମାନେ ଅଧିକ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଥିଲା । ୨୦ଟି ଡିଜିଟାଲ୍‌ ଲାଇବ୍ରେରୀ ପ୍ରତିଷ୍ଠା ଉପରେ ଆଲୋଚନା ହୋଇଥିଲା ।

ଏହି ବୈଠକରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ନିର୍ଦ୍ଦେଶକ ଅରିନ୍ଦମ୍‌ ଡାକୁଆ, ଏସ୍‌ସିଇଆର୍‌ଟିର ନିର୍ଦ୍ଦେଶକ ସନତ କୁମାର ମହାନ୍ତି, ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ରାମାଶିଷ ହାଜ୍‌ରା, ପାଠ୍ୟପୁସ୍ତକ ପ୍ରସ୍‌ୁତି ଓ ଉତ୍ପାଦର ନିର୍ଦ୍ଦେଶକ ବିକାଶ ଚନ୍ଦ୍ର ମହାପାତ୍ର, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ବୃନ୍ଦାବନ ଶତପଥୀ, ବିଭାଗୀୟ ସ୍ୱତନ୍ତ୍ର ସଚିବ ଅଲୋକ କୁମାର କରଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।