Home General ଆସନ୍ତାବର୍ଷ ତାଳଚେର ସାର କାରଖାନା

ଆସନ୍ତାବର୍ଷ ତାଳଚେର ସାର କାରଖାନା

ଭୁବନେଶ୍ୱର : ତାଳଚେର ଠାରେ ନିର୍ମାଣାଧିନ ୟୁରିଆ ସାର କାରଖାନାର ନିର୍ମାଣ କାର୍ଯ୍ୟ ଆସନ୍ତା ବର୍ଷ ସେପ୍ଟେମ୍ବର ସୁଦ୍ଧା ସରିବ । ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ଏକପ୍ରଶ୍ନର ଉତ୍ତରରେ ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ଭଗବନ୍ଦ ଖୁବା ।

କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି ଯେ ତାଳଚେର ଠାରେ କୋଇଲା ଗ୍ୟାସ ଭିତ୍ତିକ ସାର କାରଖାନାର ନିର୍ମାଣ କାର୍ଯ୍ୟ ପଛୁଆ ଚାଲିଛି । ଏଥିପାଇଁ କୋଭିଡ ମହାମାରୀକୁ ମନ୍ତ୍ରୀ ଦାୟୀ କରିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏହି ୟୁରିଆ କାରଖାନା ପାଇଁ ୨୦୧୯ ସେପ୍ଟେମ୍ବର ମାସରେ ଅନୁମତି ମିଳିବା ପରେ ଭାରତ ସମେତ ସମଗ୍ର ବିଶ୍ୱରେ କୋଭିଡ ମହାମାରୀ ପ୍ରାର୍ଦୁଭାବ ଦେଖାଦେଲା । କୋଭିଡର ଦୁଇଟି ଲହର ଯୋଗୁଁ କାର୍ଯ୍ୟ ବିଳମ୍ବିତ ହେବା ସହିତ କାରଖାନା ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ସାମଗ୍ରୀର ବରାଦ ଦିଆଯାଇ ପାରିନଥିଲା ।

ତେବେ ଇତି ମଧ୍ୟରେ ପରିବେଶ ଅନୁମତି ସହିତ କାରଖାନା ପାଇଁ କୋଇଲା ମନ୍ତ୍ରଣାଳୟ ଦୀର୍ଘ ମିଆଦୀ ସୂତ୍ରରେ କୋଇଲା ଖଣି ଯୋଗାଇ ଦେଇଛନ୍ତି । କାରଖାନା ଅଞ୍ଚଳରେ କୋଲ ଗ୍ୟାସିଫାଏଲ ପହଞ୍ଚିବା ସହିତ ଏହାର ସ୍ଥାପନ ଆରମ୍ଭ ହୋଇଛି । ଆମୋନିଆ ୟୁରିଆ ପ୍ଲାଣ୍ଟ ପାଇଁ ୟୁରିଆ ରିଆକ୍ଟର ବ୍ୟତିତ ଅନ୍ୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସାଜ ସରଞ୍ଜାମ ପହଞ୍ଚି ସାରିଛି । ତିନିଟି ଚିମିନ୍‍ ମଧ୍ୟରୁ ଦୁଇଟିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ଗୋଟିଏ ବଏଲର ଡ୍ରମ ସ୍ଥାପନ ହେଉଛି ।

ଜଳାଶୟ ନିର୍ମାଣ ସରିବାକୁ ଯାଉଥିବାବେଳେ ଜଳ ବିଶୋଧନାଗାରର ନିର୍ମାଣ କାର୍ଯ୍ୟ ଜାରି ରହିଛି । ବିଭିନ୍ନ ଯନ୍ତ୍ରପାତି ସ୍ଥାପନ ହେଉଛି । ସେହିଭଳି ପ୍ରଶାସନିକ ଭବନ, ତାଲିମ ପାଇଁ ସୌଧ, ପ୍ରାଥମିକ ଚିକିତ୍ସା କେନ୍ଦ୍ର, ନୂତନ ପୁଲିସ୍‍ ଥାନା, ଅତିଥି ଭବନ ଓ କେନ୍ଦ୍ରୀୟ ଗୋଦାମଘରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି । ଏଥିପାଇଁ ମୋଟ୍‍ ୪୨୦୦ କୋଟି ଟଙ୍କା ବ୍ୟୟର ଆକଳନ କରାଯାଇଛି । ତେବେ ଯେଉଁ ହାରରେ କାର୍ଯ୍ୟ ଜାରି ରହିଛି ତାହାକୁ ଦୃଷ୍ଟିରେ ରଖି ୨୦୨୪ ସେପ୍ଟେସୁଦ୍ଦା କାର୍ଯ୍ୟ ସରିବ ବୋଲି ତାଳଚେର ଫର୍ଟିଲାଇଜର ବୋର୍ଡ ପୁନଃ ସମୟ ଆକଳନ କରିଛନ୍ତି । (ତଥ୍ୟ)