Home Health ଆସନ୍ତାବର୍ଷରୁ ସୁନ୍ଦରଗଡ ମେଡିକାଲ କଲେଜରେ ନାମଲେଖା

ଆସନ୍ତାବର୍ଷରୁ ସୁନ୍ଦରଗଡ ମେଡିକାଲ କଲେଜରେ ନାମଲେଖା

ଭୁବନେଶ୍ୱର : ଆସନ୍ତା ୨୦୨୨-୨୩ ଶିକ୍ଷାବର୍ଷରୁ ଏନ୍‍ଟିପିସି ସହାୟତାରେ ସୁନ୍ଦରଗଡ ଠାରେ ନିର୍ମାଣାଧିନ ମେଡିକାଲ କଲେଜ ଓ ହସ୍ପିଟାଲରେ ନାମଲେଖା ଆରମ୍ଭ ହେବ । ରାଜ୍ୟ ସରକାରଙ୍କ ବ୍ୟୟରେ ୧୦୦ ଜଣ ଏମ୍‍ବିବିଏସ୍‍ ଛାତ୍ରଙ୍କ ବାର୍ଷିକ ନାମଲେଖା ଓ ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ ହସ୍ପିଟାଲରେ ରୋଗୀସେବା ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ବିଧାନସଭାରେ ସୂଚନା ଦେଇଛନ୍ତି ।

ଆଜି ଶୂନ୍ୟକାଳରେ ମନ୍ତ୍ରୀ ଏ ସଂକ୍ରାନ୍ତରେ ଏକ ବିବୃତ୍ତି ରଖି କହିଥିଲେ ଯେ ସୁନ୍ଦରଗଡ ଜିଲ୍ଲାରେ ଏନ୍‍ଟିପିସି ସହାୟତାରେ ଏକ ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ ପାଇଁ ୨୦୧୩ ମସିହାରେ ରାଜିନାମା ସ୍ୱାକ୍ଷର ହୋଇଥିଲା । ତଦନୁଯାୟୀ ଏନଟିପିସି ଏହି ମେଡିକାଲ କଲେଜ ନିର୍ମାଣ ପାଇଁ ତାହାର ସିଏସ୍‍ଆର ପାଣ୍ଠିରୁ ୩୫୦ କୋଟି ଟଙ୍କା ବ୍ୟୟ କରିବ ଏବଂ ରାଜ୍ୟ ସରକାର ବିନା ମୂଲ୍ୟରେ ୨୧ ଏକର ଜମି ଯୋଗାଇଦେବେ । ଚୁକ୍ତିନାମା ଅନୁଯାୟୀ ରାଜ୍ୟ ସରକାର ୨୧ ଏକର ଜମି ଯୋଗାଇ ଦେଇଛନ୍ତି ।

ପଶ୍ଚିମଓଡିଶାର ବୁଦ୍ଧିଜୀବି, ରାଜନୈତିକ ଦେତା, ଆଇନଜୀବୀ ଓ ସାଧାରଣ ଜନତାଙ୍କ ଦାବିକୁ ଦୃଷ୍ଟିରେ ରଖି ଏବଂ ଏହି ସ୍ଥାନରେ ସଡକ ଓ ଆକାଶ ମାର୍ଗରେ ଯୋଗାଯୋଗର ସୁବିଧା, ପଡୋଶୀ ରାଜ୍ୟ ବିହାରରେ ଦ୍ୱିତୀୟ ଏମସ ପ୍ରତିଷ୍ଠା ଓ ପଶ୍ଚିମଓଡିଶାରେ ଉନ୍ନୟନମାନର ରୋଗୀସେବା ପାଇଁ ମୁଖ୍ୟ ଶାସନ ସଚିବ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସୁନ୍ଦରଗଡରେ ଦ୍ୱିତୀୟ ଏମସ ପ୍ରତିଷ୍ଠା ଲାଗି ୨୦୨୦ ମସିହାରେ ଅନୁରୋଧ କରିଥିଲେ ।

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ହିସାବରେ ଚଳିତବର୍ଷ ମାର୍ଚ୍ଚ ମାସରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କୁ ମଧ୍ୟ ଏ ସଂକ୍ରାନ୍ତରେ ସେ ନିଜେ ଅନୁରୋଧ କରିଥିବା ଶ୍ରୀ ଦାସ କହିଥିଲେ ।

ଏହି ପରିପ୍ରେକ୍ଷୀରେ ଭାରତସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ଭୁବନେଶ୍ୱର ଏମସ ନିର୍ଦ୍ଦେଶିକାଙ୍କ ନେତୃତ୍ୱରେ ଏକ ୬ଜଣିଆ କେନ୍ଦ୍ରୀୟ ଟିମ୍‍ ଚଳିତବର୍ଷ ଏପ୍ରିଲମାସରେ ସୁନ୍ଦରଗଡ ପରିଦର୍ଶନ କରିଥିଲେ । ଏହି ଟିମ୍‍ ସୁନ୍ଦରଗଡ ମେଡିକାଲ କଲେଜ ଓ ହସ୍ପିଟାଲର ଭିତ୍ତିଭୂମି ଦେଖି ସନ୍ତୋଷ ପ୍ରକାଶ କରିଥିଲେ । ଜିଲ୍ଲାପାଳଙ୍କ ସହିତ ଆଲୋଚନା ସମୟରେ ୨୦୦ ଏକର ଜମି ଆବଶ୍ୟକ ବୋଲି କହିଥିଲେ ।

ରାଜ୍ୟ ସରକାର ଏହି ଯୋଗାଇବାକୁ ପ୍ରତିଶ୍ରୁତି ଦେବା ସହିତ ଜିଲ୍ଲା ଖଣିଜ ପାଣ୍ଠିରୁ ଦ୍ୱିତୀୟ ଏମ୍‍ସ ନିର୍ମାଣ ପାଇଁ ଅର୍ଥ ଯୋଗାଇ ଦେବାକୁ ରାଜି ହୋିଥିଲେ । ତେବେ ଇତି ମଧ୍ୟରେ ୫ମାସ ବିତି ଯାଇଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ଠାରୁ ଦ୍ୱିତୀୟ ଏମସ ନିର୍ମାଣ ନେଇ କୌଣସି ଉତ୍ତର ମିଳୁନଥିବା ମନ୍ତ୍ରୀ କହିଛନ୍ତି । ଯଦି କେନ୍ଦ୍ର ସରକାର ସୁନ୍ଦରଗଡ ଠାରେ ଦ୍ୱିତୀୟ ଏମସ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେବେ ତେବେ ରାଜ୍ୟ ସରକାର ଏଥିପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ ବୋଲି ମନ୍ତ୍ରୀ କହିଛନ୍ତି ।