Home Agriculture ଆଳୁ ଦର ବଢିବା ଆଶଙ୍କା

ଆଳୁ ଦର ବଢିବା ଆଶଙ୍କା

ଭୁବନେଶ୍ୱର : ଚଳିତବର୍ଷ ଆଳୁ ଅମଳ ଋତୁରେ ବଜାରରେ ଆଳୁର କିଲୋପ୍ରତି ଦର ହାରାହାରି ୨୦ ଟଙ୍କା ରହିଛି । ଆଗାମୀ ଦିନରେ ଏହା ଆହୁରି ବଢିବ ବୋଲି ବ୍ୟବସାୟୀମାନେ ଆଶଙ୍କା ପ୍ରକାଶ କରୁଛନ୍ତି । ଏପରିକି ମାସକ ମଧ୍ୟରେ ଏହି ଦର ୨୫ଟଙ୍କା ଛୁଇଁବ ବୋଲି ସେମାନେ ମତ ଦେଉଛନ୍ତି ।

ରାଜ୍ୟରେ ଏବେ ଆଳୁ ଉତ୍ପାଦନ ଋତୁ ହୋଇଥିବାବେଳେ ଏହି ସମୟରେ ସାଧାରଣତଃ ଆଳୁ କିଲୋ ପ୍ରତି ୮ରୁ ୧୦ଟଙ୍କା ଦରରେ ବିକ୍ରି ହୋଇଥାଏ । ହେଲେ ଚଳିତବର୍ଷ ଏହି ଦର ପ୍ରାୟତଃ ଦୁଇଗୁଣା ରହିଛି । ରାଜ୍ୟରେ ଆଶାନୁରୂପ ଆଳୁ ଉତ୍ପାଦନ ହୋଇନଥିବାବେଳେ ବର୍ତ୍ତମାନ ଡିଜେଲ ଓ ପେଟ୍ରୋଲ ଦର ଯେଭଳି ବଢିବାରେ ଲାଗିଛି ତାହା ଆଳୁ ଦରକୁ ଆହୁରି ବଢାଇବ ବୋଲି ବ୍ୟବସାୟୀମାନେ ଆଶଙ୍କା କରୁଛନ୍ତି ।

କେବଳ ଓଡିଶା ନୁହେଁ, ଆଳୁ ପାଇଁ ଓଡିଶା ନିର୍ଭର କରୁଥିବା ପଶ୍ଚିମବଙ୍ଗ ଓ ବିହାର ଆଦି ରାଜ୍ୟରେ ମଧ୍ୟରେ ଚଳିତବର୍ଷ ଆଳୁ ଉତ୍ପାଦନ ସେଭଳି ଉତ୍ସାହଜନକ ହୋଇନାହିଁ । ତେଣୁ ସେହିସବୁ ରାଜ୍ୟମାନେ ମଉକା ଦେଖି ଦର ବଢାଇବାର ସମ୍ଭାବନା ଅଧିକ ରହିଛି ।

ଉଲ୍ଲେଖନୀୟ ଯେ ଓଡିଶାରେ ବାର୍ଷିକ ପ୍ରାୟ ୧୧ଲକ୍ଷ ଟନ୍‍ ଆଳୁ ଆବଶ୍ୟକ ହେଉଥିବାବେଳେ ଉତ୍ପାଦନ ପରିମାଣ ୪ଲକ୍ଷ ଟନ୍‍ ମଧ୍ୟରେ ସୀମିତ ରହୁଛି । ସେହିଭଳି ଓଡିଶାରେ ଆଳୁ ସଂରକ୍ଷଣ ପାଇଁ ଆବଶ୍ୟକ ଶୀତଳଭଣ୍ଡାର ବି ନାହିଁ । ତେଣୁ ଆଳୁ ଉତ୍ପାଦନ ଋତୁରେ ଦୁଇ ତିନିମାସକୁ ବାଦ୍‍ ଦେଲେ ଅନ୍ୟ ଦିନଗୁଡିକରେ ଓଡିଶାର ଖାଉଟିମାନେ ଆଳୁ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ । ବିଶେଷକରି ପଶ୍ଚିମବଙ୍ଗରୁ ଚାହିଦାର ବଡ ଅଂଶ ଆଳୁ ଓଡିଶାକୁ ଆସିଥାଏ ।

ଅନ୍ୟ ପକ୍ଷରେ ରାଜ୍ୟର ଆଳୁ ଚାହିଦା ମେଣ୍ଟାଇବାପାଇଁ ଓଡିଶା ସରକାର ୨୦୧୫-୧୬ ବର୍ଷରେ ଆଳୁ ମିଶନ କାର୍ଯ୍ୟକାରୀ କରିଥିଲେ । ଏହି ମିଶନ ଜରିଆରେ ରାଜ୍ୟରେ ବ୍ୟାପକ ଆଳୁ ଉତ୍ପାଦନ କରି ରାଜ୍ୟକୁ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ କରାଯିବ ବୋଲି କୁହାଯାଇଥିଲା । ହେଲେ ଏହି ଯୋଜନା ରାଜ୍ୟରେ ବିଫଳ ହେବା ସହିତ ଓଡିଶା ପୂର୍ବଭଳି ଆଳୁ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ହୋଇ ରହିଛି ।

ଆଳୁ ଉତ୍ପାଦନ ସଂକ୍ରାନ୍ତରେ ଚାଷୀମାନଙ୍କ ମତ ହେଉଛି ଯେ ରାଜ୍ୟରେ ଆଳୁ ମିଶନ ଫେଲ୍‍ ମାରିବାପରେ ଆଳୁ ଉତ୍ପାଦନ ବୃଦ୍ଧି ପାଇଁ ସରକାର ଆଉ ସେଭଳି ପଦକ୍ଷେପ ଗ୍ରହଣ କଲେନାହିଁ । ବିଶେଷକରି ନୂତନ ପଦ୍ଧତିରେ ଆଳୁ ଚାଷ କରୁଥିବା ଚାଷୀଙ୍କୁ କୌଣସି ପ୍ରୋତ୍ସାହନ ବି ମିଳିଲାନାହିଁ । ସମସ୍ତ ପ୍ରଚେଷ୍ଟା ଓ ରିହାତି ସତ୍ୱେ ରାଜ୍ୟରେ ଶୀତଳଭଣ୍ଡାର ପ୍ରତିଷ୍ଠା ପାଇଁ ଉଦ୍ୟୋଗୀମାନେ ଆଗକୁ ଆସିନଥିବାବେଳେ ଅଦିନିଆ ବର୍ଷା ରାଜ୍ୟରେ ଆଳୁ ଉତ୍ପାଦନ ହ୍ରାସର ଅନ୍ୟତମ କାରଣ ହୋଇଛି । ତେଣୁ ଚଳିତବର୍ଷ ରାଜ୍ୟରେ ଆଳୁ ଦର ପୂର୍ବ ବର୍ଷର ସବୁ ରେକର୍ଡକୁ ଭାଙ୍ଗିବ ବୋଲି ବ୍ୟବସାୟୀଙ୍କ ସହିତ ଚାଷୀମାନେ ବି ଆଶଙ୍କା ପ୍ରକାଶ କରୁଛନ୍ତି । (ତଥ୍ୟ)