Home General ଆର ପାରିରେ ସ୍ୱର ସମ୍ରାଜ୍ଞୀ

ଆର ପାରିରେ ସ୍ୱର ସମ୍ରାଜ୍ଞୀ

ଭୁବନେଶ୍ୱର : ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେସକର ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

ମୃତ୍ୟୁବେଳକୁ ଲତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । କିଛି ଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ଗତ କାଲି ଠାରୁ ସେ ଭେଣ୍ଟିଲେଟରେ ଥିବାବେଳେ ତାଙ୍କ ସ୍ୱାସ୍ଥାବସ୍ଥାରେ ଅବନତି ପରିଲକ୍ଷିତ ହୋଇଥିଲା ।

ଭାରତର ନାଇଟେଙ୍ଗଲ ଭାବେ ପରିଚିତ ଲତା ଦିଦିଙ୍କର ଜନ୍ମ ୧୯୨୯ ମସିହା ସେପ୍ଟେମ୍ବର ୨୮ତାରିଖରେ ହୋଇଥିଲା । ହିନ୍ଦୀ ଚଳଚିତ୍ର ଜଗତର ଅପ୍ରତିଦ୍ୱନ୍ଦୀ ଗାୟିକା ଲତା ତାଙ୍କର ସୁଲଳିତ କଣ୍ଠର ଯାଦୁ ପାଇଁ ଭାରତ ତଥା ଭାରତ ବାହାରେ ବେଶ୍‍ ପ୍ରସିଦ୍ଧ ଥିଲେ ।

ଦେଶାତ୍ମବୋଧକ ସଙ୍ଗୀତ “ଏ ମେରେ ୱତନ କେ ଲୋଗୋ” ସଙ୍ଗୀତ ଜରିଆରେ ଲତା ଭାରତୀୟ ମନରେ ଯେଉଁ ଛାପ ଛାଡିଛନ୍ତି ତାହା ସବୁଦିନ ପାଇଁ ମନେ ରହିବ । ସେହିଭଳି ହିନ୍ଦୀ ଚଳଚିତ୍ରରେ ତାଙ୍କର ଏକାଧିକ ସଙ୍ଗୀତ ଆଜିବି ଲୋକଙ୍କ ହୃଦରେ ରହିଛି । ଲତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇବାରେ ପାଇଛି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ, ସାଂସଦ, ରାଜ୍ୟର ମନ୍ତ୍ରୀ, ବିଧାୟକମାନେ ନିଜ ନିଜର ଶୋକବାର୍ତ୍ତା ପଠାଇବାରେ ଲାଗିଛନ୍ତି ।

ଲତାଙ୍କ ସମ୍ମାନାର୍ଥେ କେନ୍ଦ୍ର ସରକାର ଦୁଇ ଦିନିଆ ଶୋକ ଘୋଷଣା କରିଛନ୍ତି । ଏଥିପାଇଁ ସମଗ୍ର ଦେଶରେ ଜାତୀୟ ପତାକାକୁ ଦୁଇ ଦିନ ଅର୍ଦ୍ଧନିର୍ମିତ ରଖାଯିବ । ଆଜି ଅପରାହ୍ନରେ ମୁମ୍ବାଇର ଶିବାଜୀ ପାର୍କରେ ଲତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବାର କାର୍ଯ୍ୟକ୍ରମ ରହିଛି ।