Home Health ଆରୋଗ୍ୟ ସଂଖ୍ୟା ଅଢେଇ ଲକ୍ଷ

ଆରୋଗ୍ୟ ସଂଖ୍ୟା ଅଢେଇ ଲକ୍ଷ

ରାଜ୍ୟର ସମୁଦାୟ ଟେଷ୍ଟିଂ ସଂଖ୍ୟା ୪୦ ଲକ୍ଷରୁ ଅଧିକ ଏବଂ ଆରୋଗ୍ୟଙ୍କ ସଂଖ୍ୟା ଅଢେଇ ଲକ୍ଷରେ ପହଞ୍ଚିଛି। ତଥାପି ଆତ୍ମସନ୍ତୋଷର ସ୍ଥାନ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସତର୍କ କରାଇଛନ୍ତି। ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କୋଭିଡ ପରିଚାଳନାର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ସମସ୍ତ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୋଲିସ ପ୍ରଶାସନ ଓ କୋଭିଡ ଯୋଦ୍ଧା ମାନଙ୍କ କଠିନ ପରିଶ୍ରମ ଯୋଗୁ ଏବଂ ସମସ୍ତ ସଂପୃକ୍ତ ବିଭାଗର ଉଦ୍ୟମ ଯୋଗୁ ରାଜ୍ୟରେ କ୍ରମାଗତ ଭାବେ ନୂଆ କୋଭିଡ ସଂକ୍ରମଣ କମୁଛି।

ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଅଧିକ ସତର୍କ ହେବା ସହିତ ସମସ୍ତ କୋଭିଡ ନିୟମାବଳୀକୁ କଡାକଡି ଭାବେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। କୋଭିଡ ସଂପର୍କରେ ଜନସଚେତନତା ପାଇଁ ବ୍ୟାପକ ସୂଚନା ଅଭିଯାନ ଜାରି ରଖିବା ସହିତ କୌଣସି କ୍ଷେତ୍ରରେ ସାମାନ୍ୟ ଅବହେଳା ନ କରିବାକୁ ସେ ସତର୍କ କରିଦେଇଛନ୍ତି। ଏହି ଅବରରରେ ଅନ୍ୟାନ୍ୟ ଜଟିଳ ରୋଗ ଥିବା ରୋଗୀଙ୍କ ଚିକିତ୍ସା ଉପରେ ଅଧିକ ଗୁରୁତ୍ବ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଗରିବ ଲୋକଙ୍କ ଜୀବିକାକୁ ଦୃଷ୍ଟିରେ ରଖି ଅର୍ଥନୈତିକ କାର୍ଯ୍ୟକ୍ରମ ଯେପରି ଅବିରତ ଭାବେ ଜାରି ରହିବ, ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଶିଳ୍ପ ସଂସ୍ଥା ଗୁଡିକ ନିର୍ବିଘ୍ନରେ ଯେପରି ସେମାନଙ୍କ ଉତ୍ପାଦନ ଜାରି ରଖିବେ, ପୁଞ୍ଜି ବିନିଯୋଗ କାର୍ଯ୍ୟକାରୀ ହେବ ସେଥିପାଇଁ ସମସ୍ତ ଉଦ୍ୟମ ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ କୋଭିଡ ଯୋଦ୍ଧା ମାନଙ୍କୁ ଓ ସେମାନଙ୍କ ପରିବାରକୁ ଦଶହରାର ଶୁଭେଚ୍ଛା ଜଣାଇଥିଲେ ।

ବୈଠକରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର ରାଜ୍ୟରେ କୋଭିଡ ସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ରାଜ୍ୟରେ କରୋନା ସଂକ୍ରମଣରେ ହ୍ରାସ ଘଟୁଥିବା ସତ୍ତ୍ବେ ପ୍ରଶାସନ ସଂପୂର୍ଣ୍ଣ ସତର୍କ ରହିଛି ବୋଲି ସେ ସୂଚନା ଦେଇଥିଲେ । ଦଶହରା ଓ ଦୀପାବଳୀ ପାଇଁ ଅଧିକ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି ବୋଲି ସେ କହିଥିଲେ । ବର୍ତ୍ତମାନ ରାଜ୍ୟରେ ୫ଟି ଜିଲ୍ଲା – ଖୋର୍ଦ୍ଧା, କଟକ, ସୁନ୍ଦରଗଡ, ମୟୁରଭଂଜ ଓ ଅନୁଗୁଳରେ ସକ୍ରିୟ ରୋଗୀ ସଂଖ୍ୟା ଏକ ହଜାରରୁ ଅଧିକ ଥିବାବେଳେ, ଅନ୍ୟ ଜିଲ୍ଲାମାନଙ୍କରେ ସକ୍ରିୟ ରୋଗୀ ସଂଖ୍ୟା ହ୍ରାସ ପାଇଛି ବୋଲି କହିଥିଲେ ।

ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣ ସଂପର୍କରେ ଏକ ବିସ୍ତୃତ ଉପସ୍ଥାପନା କରି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଥିଲେ ରାଜ୍ୟରେ ସଂକ୍ରମଣ ହାର ୦.୭୧ ପ୍ରତିଶତକୁ ହ୍ରାସ ଘଟିଥିବା ବେଳେ, ଆରୋଗ୍ୟ ହାର ୯୩ ପ୍ରତିଶତରେ ପହଞ୍ଚିଛି, ଯାହାକି ଜାତୀୟ ହାର ଠାରୁ ଅଧିକ ଅଟେ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆରଟି ପିସିଆର ପରୀକ୍ଷା ରିପୋର୍ଟ ଚବିଶ ଘଣ୍ଟା ମଧ୍ୟରେ ଦିଆଯାଉଛି ବୋଲି ଶ୍ରୀ ମହାପାତ୍ର କହିଥିଲେ । ରାଜ୍ୟରେ ସଂକ୍ରମଣ ହାରରେ ହ୍ରାସ, ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି ଓ ସେମାନେ ଏଥିପାଇଁ ଅଧିକ ପରିଶ୍ରମ କରି ରୋଗୀସେବା ଜାରି ରଖିଛନ୍ତି ବୋଲି ସେ କହିଥିଲେ । ଯେହେତୁ ପଜିଟିଭ ହାର କମିଛି, ଲୋକମାନେ ଟେଷ୍ଟିଂ ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ତେଣୁ ଲକ୍ଷଣ ଥିବା ରୋଗୀମାନେ ଟେଷ୍ଟିଂ ପାଇଁ ଆଗେଇ ଆସିବାକୁ ବୈଠକରେ ଅନୁରୋଧ କରାଯାଇଥିଲା।

ଅଗଷ୍ଟ ୧୮ ପରେ ପ୍ରଥମ ଥର ପାଇଁ ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୦ ହଜାର ତଳେ ଅଛି । ବର୍ତ୍ତମାନ ଏହା ୧୮୦୫୦ରେ ଅଛି । ୧୫,୫୧୫ ରୋଗୀ ବର୍ତ୍ତମାନ ଗୃହ ସଂଗରୋଧରେ ଅଛନ୍ତି ବୋଲି ବୈଠକରୁ ଜଣାଯାଇଛି।

ପୂଜା ସମୟରେ କୋଭିଡ କଟକଣା ପାଳନ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇ ପୋଲିସ ମହାନିର୍ଦ୍ଦେଶକ ଅଭୟ କହିଥିଲେ ଯେ ପାର୍ବଣ ଋତୁକୁ ଆଖି ଆଗରେ ରଖି ରାଜ୍ୟର ସମସ୍ତ ଏସ୍‍ପି ମାନଙ୍କ ସହିତ ଆଲୋଚନା କରାଯାଇ ରଣନୀତି ପ୍ରସ୍ତୁତ କରାଯାଇଛି । ଆଲୋଚନାରୁ ଜଣାଯାଇଛି ଯେ ଭୁବନେଶ୍ବରରେ ସେରୋ ସର୍ଭେ ଶେଷ ହୋଇଥିବା ବେଳେ ଦଶହରା ପରେ କଟକ ଓ ପୁରୀରେ ସର୍ଭେ ଆରମ୍ଭ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ସଚିବ ୫-ଟି ଶ୍ରୀ ଭି.କେ. ପାଣ୍ଡିଆନ ବୈଠକ ସଂଚାଳନ କରିଥିଲେ।