Home Finance ଆରମ୍ଭରୁ କେନ୍ଦ୍ରୀୟ ଅନୁଦାନ ହ୍ରାସ

ଆରମ୍ଭରୁ କେନ୍ଦ୍ରୀୟ ଅନୁଦାନ ହ୍ରାସ

ଭୁବନେଶ୍ୱର : ଓଡିଶା ସରକାର କେନ୍ଦ୍ରୀୟ ଅନୁଦାନ ଓ ଟିକସ ଅଂଶଧନ ବାବଦରେ ଅଧିକ ଅର୍ଥ ପାଇବାକୁ ଆଶା ବାନ୍ଧିଥିବାବେଳେ ଆର୍ଥିକ ବର୍ଷ ଆରମ୍ଭରୁ ଏହା ହ୍ରାସ ପାଇବାରେ ଲାଗିଛି । କେନ୍ଦ୍ରର ଏଭଳି ମନୋଭାବ ଏବେ ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଲାଣି ।

ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ମୋଟ୍‍ ୧,୨୫,୬୦୦ କୋଟି ଟଙ୍କାର ରାଜସ୍ୱ ସଂଗ୍ରହର ଲକ୍ଷ୍ୟ ରଖିଥିବାବେଳେ ଏଥିରୁ ୬୮,୧୦୦ ଟଙ୍କା କେନ୍ଦ୍ର ସରକାରଙ୍କ ଠାରୁ କେନ୍ଦ୍ରୀୟ ଅନୁଦାନ ଓ ଟିକସ ଅଂଶଧନ ବାବଦରେ ପାଇବାର ଥିଲା । ତେବେ ମଇ ୩୧ସୁଦ୍ଧା ଓଡିଶା ସରକାର କେନ୍ଦ୍ରରୁ ମାତ୍ର ୭୬୨୨କୋଟି ୯୧ଲକ୍ଷ ଟଙ୍କାର ଅନୁଦାନ ପାଇଛନ୍ତି ଯାହାକି ଗତବର୍ଷର ଏହି ସମସୁଦ୍ଧା ମିଳିଥିବା ଅର୍ଥ ତୁଳନାରେ ୧୯ ପ୍ରତିଶତ କମ୍‍ ରହିଛି ।

୨୦୨୦ ମଇ ୩୧ ସୁଦ୍ଧା ଓଡିଶା ସରକାର କେନ୍ଦ୍ରରୁ ୯୪୦୬କୋଟି ୫୨ଲକ୍ଷ ଟଙ୍କା ପାଇଥିବାବେଳେ ଚଳିତ ଆର୍ଥିକ ବର୍ଷର ବିଗତ ଦୁଇମାସରେ ଏଠାରୁ ୧୭୮୩କୋଟି ୬୧ଲକ୍ଷ ଟଙ୍କା କମ୍‍ ପାଇଛନ୍ତି । ଏହା ରାଜ୍ୟ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି । କେନ୍ଦ୍ର ସରକାରଙ୍କ ଠାରୁ ଅଧିକ ପରିମାଣରେ ଅନୁଦାନ ଓ ଟିକସ ଅଂଶଧନ ପାଇବାପାଇଁ ରାଜ୍ୟ ସରକାର ଆଶା କରିଥିଲେ । ଚଳିତ ଆର୍ଥିକ ବର୍ଷରେ ଅଂଶଧନ ଟିକସ ବାବଦରେ ୩୦,୧୩୬କୋଟି ୬୮ଲକ୍ଷ ଏବଂ କେନ୍ଦ୍ର ଅନୁଦାନ ବାବଦରେ ୩୭,୯୬୩ କୋଟି ୩୨ଲକ୍ଷ ପାଇବାର ଲକ୍ଷ୍ୟ ଧାର୍ଯ୍ୟ କରରାଯାଛଇ ।

ତେବେ ମଇ ୩୧ସୁଦ୍ଧା ଓଡିଶା ଅଂଶଧନ ଟିକସ ବାବଦରେ ୩୫୪୭କୋଟି ୬୭ଲକ୍ଷ ଟଙ୍କା ପାଇଛି ଯାହାକି ଗତବର୍ଷ ତୁଳନାରେ ୧୬.୭୭ ପ୍ରତିଶତ କମ୍‍ । ସେହିଭଳି କେନ୍ଦ୍ରୀୟ ଅନୁଦାନ ବାବଦରେ ୪୦୭୫ କୋଟି ୨୫ଲକ୍ଷ ଟଙ୍କା ପାଇଛନ୍ତି ଯାହା କି ଗତବର୍ଷ ତୁଳନାରେ ୨୦.୭୮ ପ୍ରତିଶତ କମ୍‍ । ୨୦୨୦-୨୧ ବର୍ଷରେ ଓଡିଶା କେନ୍ଦ୍ରରୁ ୫୦,୨୯୫କୋଟି ୯୦ଲକ୍ଷ ଟଙ୍କା ପାଇଥିଲା ଯେଉଁଥିରେ ଉଭୟ ଅଂଶଧନ ଟିକସ ଓ କେନ୍ଦ୍ରୀୟ ଅନୁଦାନ ଅର୍ନ୍ତଭୁକ୍ତ ଥିଲା ।

ରାଜ୍ୟ ସରକାର କେନ୍ଦ୍ରରୁ ଅଧିକ ଅର୍ଥ ପାଇବାକୁ ଆଶା ରଖିଥିବାବେଳେ କେନ୍ଦ୍ର ସରକାର କିନ୍ତୁ ଗତବର୍ଷ ତୁଳନାରେ କମ୍‍ ପରିମାଣର ଅର୍ଥ ପ୍ରଦାନ କରିଛନ୍ତି ଯାହାକି ଆର୍ଥିକ ପରିଚାଳନାରେ ସମସ୍ୟା ସୃଷ୍ଟି କଲାଣି । କେନ୍ଦ୍ରରୁ ଅଂଶଧନ ଟିକସ ଓ ଅନୁଦାନ ହ୍ରାସ ପାଉଥିବାରୁ ଓଡିଶା ସରକାର ନିଜସ୍ୱ ଟିକସ ଓ ଅଣଟିକସ ରାଜସ୍ୱ ଆଦାୟ ଉପରେ ଜୋର ଦେଉଛନ୍ତି । ୨୦୨୧-୨୨ ଆର୍ଥିକବର୍ଷରେ ଉଭୟ ସୂତ୍ରରୁ ରାଜ୍ୟ ସରକାର ୫୭,୫୦୦ କୋଟି ଟଙ୍କା ପାଇବାର ଲକ୍ଷ୍ୟ ରଖିଥିବାବେଳେ ଏଥିରେ ୩୭,୫୦୦ କୋଟିର ନିଜସ୍ୱ ଟିକସ ଓ ୨୦ହଜାର କୋଟି ଟଙ୍କା ଅଣ ଟିକସ ବାବଦରେ ରହିଛି ।

ରାଜ୍ୟ ସରକାର ଟିକସ ଆଦାୟ ଉପରେ ଜୋର ଦେବା ଫଳରେ ସକରାତ୍ମକ ଫଳ ମିଳିଛି । ନିଜସ୍ୱ ଟିକସ ଆଦାୟ କ୍ଷେତ୍ରରେ ଗତବର୍ଷ ତୁଳନାରେ ୧୮୦ ପ୍ରତିଶତ ଅଭିବୃଦ୍ଧି ଘଟିଥିବାବେଳେ ଅଣଟିକସ ଆଦାୟ ୪୪୩ ପ୍ରତିଶତ ବଢିଛି । ୨୦୨୦ ମଇ ୩୧ସୁଦ୍ଧା ନିଜସ୍ୱ ଟିକସ ବାବଦରେ ୧୯୨୮.୨୧କୋଟି ଓ ଅଣଟିକସ ରାଜସ୍ୱ ବାବଦରେ ୧୦୮୩.୪୯କୋଟି ଟଙ୍କା ଆଦାୟ ହୋଇଥିବାବେଳେ ଚଳିତବର୍ଷ ଏହି ପରିମାଣ ଯଥାକ୍ରମେ ୫୪୦୮.୫୪ କୋଟି ରହିଛି ।

କେବଳ ମଇ ମାସରେ ନିଜସ୍ୱ ଟିକସ ବାବଦରେ ୨୪୪୬କୋଟି ଟଙ୍କା ଆଦାୟ ହୋଇଛି । ସେହିଭଳି ଅଣଟିକସ ରାଜସ୍ୱ ବାବଦରେ ୫୯୮୦କୋଟି ଟଙ୍କା ଆଦାୟ ହେଉଥିବାବେଳେ କେବଳ ମଇମାସରେ ମିଳିଛି ୩୪୫୪.୯୮କୋଟି ଟଙ୍କା । ତେବେ ଲକଡାଉନ୍‍ ଯୋଗୁଁ ଜୁନ୍‍ମାସରେ ଟିକସ ଆଦାୟ ପରିମାଣ ହ୍ରାସ ପାଇବ ବୋଲି କର୍ତ୍ତୃପକ୍ଷ ଆଶଙ୍କାବ୍ୟକ୍ତ କରୁଛନ୍ତି । (ତଥ୍ୟ)