Home General ଆରପାରିରେ ସର୍ବୋଦୟ ନେତା ରବି ଦାସ

ଆରପାରିରେ ସର୍ବୋଦୟ ନେତା ରବି ଦାସ

କଟକ : ବିଶିଷ୍ଟ ରଚନାତ୍ମକ କର୍ମୀ, ବାମପନ୍ଥୀ ଚିନ୍ତକ ତଥା ସର୍ବୋଦୟ ନେତା ରବି ଦାସଙ୍କର ଏଠାରେ ଏକ ଘରୋଇ ଚିକିତ୍ସାଳୟରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୮୨ବର୍ଷ ହୋଇଥିଲା ।

ଛାତ୍ର ଜୀବନରୁ ବାମପନ୍ଥୀ ଆଦର୍ଶରେ ଅନୁପ୍ରାଣିତ ହୋଇ ରବି ଦାସ ନାଗଭୂଷଣ ପଟ୍ଟନାୟକଙ୍କ ସହ ନକ୍ସଲ ଆନ୍ଦୋଳନରେ ଯୋଗଦେଇ ଓଡିଶା ଭିତରେ ଓ ବାହାରେ ଶୋଷିତ ଲୋକଙ୍କ ସୁରକ୍ଷା ପାଇଁ ଦୀର୍ଘବର୍ଷ ଧରି ସଂଗ୍ରାମ କରିଥିଲେ । ପରବର୍ତ୍ତୀ ସମୟରେ ମା’ ରମାଦେବୀ, ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀ ଆଦିଙ୍କ ସଂସ୍ପର୍ଶରେ ଆସି ସେ ସମାଜ ସୁଧାର ପାଇଁ ଅସ୍ତ୍ରତ୍ୟାଗ କରି ଚରଖା ଧରିଥିଲେ ।

ଅଶୀ ଦଶକରେ ଅବଭକ୍ତ କଳାହାଣ୍ଡି ଜିଲ୍ଲାରେ ଭୟଙ୍କର ମରୁଡି ପରିସ୍ଥିତି ଉପୁଜି ବ୍ୟାପକ ଅନାହାର ମୃତ୍ୟୁ ସହିତ ଝିଅ ବିକ୍ରି, ଶିଶୁ ମୃତ୍ୟୁ ଭଳି ହୃଦୟ ବିଦାରକ ଘଟଣାମାନ ଘଟୁଥିବାବେଳେ ସର୍ବୋଦୟ ରିଲିଫ କମିଟିର ଯୁଗ୍ମ ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କରି କଳାହାଣ୍ଡି ବ୍ୟାପକ ରିଲିଫ ଓ ଉନ୍ନୟନ କାର୍ଯ୍ୟ କରାଇଥିଲେ । ଏହାଛଡା କଳାହାଣ୍ଡି ବିକାଶ ପରିଷଦ ନାମରେ ଏକ ସ୍ୱତନ୍ତ୍ର ସଂସ୍ଥା ଗଠନ କରି ସେଠାକାର ଅନେକ ଲୋକଙ୍କୁ ସୂତାକଟା ଓ ଲୁଗାବୁଣା ଶିଖାଇ ସ୍ୱାବଲମ୍ବି କରାଇଥିଲେ ।

୧୯୯୯ ର ମହାବାତ୍ୟା ସମେତ ବିଭିନ୍ନ ପ୍ରାକୃତିକ ବିପତ୍ତି ସମୟରେ ମଧ୍ୟ ସେ ଉଲ୍ଲେଖନୀୟ ସେବାକାର୍ଯ୍ୟ କରିଥିଲେ । ଗ୍ରାମସେବକ ସମବାୟ ପ୍ରକାଶନ, ଉତ୍‍କଳ ସର୍ବୋଦୟ ମଣ୍ଡଳ, ନବ ଜୀବନ ମଣ୍ଡଳ, ବାଜି ରାଉତ ଛାତ୍ରାବାସ, ଉତ୍‍କଳ ଖଦି ମଣ୍ଡଳ ଆଦି ବହୁ ସଂସ୍ଥା ସହ ସେ ଜଡିତଥିଲେ । ଏହାଛଡା ସେ ଅନେକ ପୁସ୍ତକ ମଧ୍ୟ ପ୍ରକାଶ କରିଛନ୍ତି ।

ଜଣେ ଦରଦୀ ମଣିଷ ହିସାବରେ ରବି ଦାସଙ୍କର ଦଳ ମତ ନିର୍ବିଶେଷରେ ବିଭିନ୍ନ ମହଲରେ ବେଶ୍‍ ଆଦର ଥିଲା । ବର୍ତ୍ତମାନର ଜଗତ୍‍ସିଂହପୁର ଜିଲ୍ଲା ଅର୍ନ୍ତଗତ ତାରପୁରରେ ଜନ୍ମିତ ରବି ଦାସ ପଶ୍ଚିମବଙ୍ଗର ନକ୍ସଲବାଡି ଆନ୍ଦୋଳନ ଠାରୁ ଆରମ୍ଭ କରି କୋରାପୁଟର ଭୂମି ସତ୍ୟାଗ୍ରହ ଆଦି ବିଭିନ୍ନ କାର୍ଯ୍ୟକ୍ରମରେ ନିଜକୁ ଜଡାଇ ରଖିଥିଲେ । ଆଜି କଟକ ଖାନନଗରର ବିଦ୍ୟୁତ୍‍ ଚୂଲାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ।