Home General ଆରପାରିରେ ଅଭୟ ସିଂହ

ଆରପାରିରେ ଅଭୟ ସିଂହ

349
0

ଭୁବନେଶ୍ୱର : ବିଶିଷ୍ଟ ସ୍ତମ୍ଭକାର ତଥା ସାହିତ୍ୟ ସାଧକ ତଥା ସମାଜସେବୀ ଅଭୟ ସିଂହଙ୍କ ପରଲୋକ ହୋଇଯାଇଛି । କଲମ ମୂନରେ ଏକଦା ଝଡ ସୃଷ୍ଟି କରୁଥିବା ଅଭୟଙ୍କ ଶେଷ ଜୀବନ ଭୁବନେଶ୍ୱରର ଏକ ଜରାନିବାସରେ କଟିଥିଲା ।

ସମବାୟ ୟୁନିଅନର ମୁଖପତ୍ର କଲ୍ୟାଣୀର ସେ ବହୁବର୍ଷ ଧରି ସହ ସମ୍ପାଦକ ଥାଇ ସମବାୟ ଆନ୍ଦୋଳନର ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବାରେ ସମର୍ଥ ହୋଇଥିଲେ । ସଚିତ୍ର ବିଜୟା ପତ୍ରିକାର ସମ୍ପାଦକ ଭାବେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା ।

ଓଡିଆ ଓ ଇଂରାଜୀ ଭାଷାରେ ବିଭିନ୍ନ ପତ୍ର ପତ୍ରିକାରେ ତାଙ୍କର ବେଶ୍‍ ପ୍ରେରଣାଦାୟୀ ଲେଖାମାନ ପ୍ରକାଶ ପାଉଥିଲା । ସର୍ବୋଦୟ ଆନ୍ଦୋଳନ ସହିତ ମଧ୍ୟ ସେ ଜଡିତ ଥିଲେ । ବିଶେଷକରି ଅଶୀ ଦଶକର କଳାହାଣ୍ଡି ଦୁର୍ବିକ୍ଷ ଏବଂ ୧୯୯୯ର ମହାବାତ୍ୟା ସମୟରେ ତ୍ରାଣକାର୍ଯ୍ୟରେ ସେ ଉଲ୍ଲେଖନୀୟ ଭୂମିକା ନିଭାଇଥିଲେ । ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନ ଠାରୁ ବାଲିଆପାଳ କ୍ଷେପଣାସ୍ତ୍ରଘାଟୀ ବିରୋଧି ଆନ୍ଦୋଳନ, ଚିଲିକା ବଞ୍ଚାଅ ଆନ୍ଦୋଳନ, ଗୋପାଳପୁରରେ ଟାଟା ବିରୋଧି ଆନ୍ଦୋଳନ ଆଦିରେ ସେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

ସେ ରହୁଥିବା ଜରାନିବାସର ବ୍ୟବସ୍ଥା ଅନୁଯାୟୀ ଆଜି ତାଙ୍କର ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ୱାରରେ ସମ୍ପୂର୍ଣ୍ଣ ହୋଇଛି । ଡକ୍ଟର ହରେକୃଷ୍ଣ ମହତାବ, ମନୋଜ ଦାସ, କିଷନ ପଟ୍ଟନାୟକ, ମନମୋହନ ଚୌଧୁରୀଙ୍କ ଭଳି ବହୁ ବିରଳ ବ୍ୟକ୍ତିତ୍ୱଙ୍କର ନିକଟ ବଳୟରେ ନିର୍ଭିକ ଭାବରେ ଅଭୟ ଦୀର୍ଘବର୍ଷ ଧରି କାର୍ଯ୍ୟ କରିଛନ୍ତି ।

ରାଜକିଶୋର ନାୟକ ଜାତୀୟ ସ୍ମାରକୀ ଟ୍ରଷ୍ଟ ସହ ସେ ମଧ୍ୟ ଜଡିତ ଥିଲେ । ପରିବେଶ ସୁରକ୍ଷା ଆନ୍ଦୋଳନ ଏବଂ ବିଶେଷକରି ଜୈବିକ କୃଷିର ବିସ୍ତାର ଲାଗି ସେ ଦୀର୍ଘବର୍ଷ ଧରି ଉଦ୍ୟମ କରିଥିଲେ । ତାଙ୍କ ବିୟୋଗରେ ଓଡିଶା ଜଣେ କ୍ରାନ୍ତିକାମୀ ଲେଖକ, ସ୍ତମ୍ଭକାର, ପରିବେଶବିତ୍‍ ଓ ସମାଜସେବୀଙ୍କୁ ହରାଇଲା ।

LEAVE A REPLY

Please enter your comment!
Please enter your name here