Home News in Odia ଆରଡିସି ଅଫିସ ଘେରିବ ବିଜେପି

ଆରଡିସି ଅଫିସ ଘେରିବ ବିଜେପି

275
0

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ବିରୁଦ୍ଧରେ ଆସନ୍ତାକାଲି ସମ୍ବଲପୁର ଆରଡିସି ଅଫିସ ଘେରାଉ କରାଯିବ ବୋଲି ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ସୂଚନା ଦେଇଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ ଡ. ସାମନ୍ତସିଂହାର କହିଛନ୍ତି ଯେ, ଓଡିଶାର ଲକ୍ଷ ଲକ୍ଷ ଚାଷୀ ଧାନ ଧରି ରାଜରାସ୍ତାରେ ବସିଛନ୍ତି । ଏହା ସତ୍ୱେ ରାଜ୍ୟ ସରକାର ସେମାନଙ୍କ ଧାନକୁ କିଣୁ ନାହାଁନ୍ତି । କେନ୍ଦ୍ରସରକାର ଧାନ ମଣ୍ଡିଗୁଡିକରେ ଭିତିଭୂମି, ପାନୀୟ ଜଳ, ଧାନ ଅଖା, ସୁତୁଲି ଏବଂ ଯିବା ଆସିବା ଖର୍ଚ୍ଚ ପାଇଁ ପର୍ଯ୍ୟାପ୍ତ ଅର୍ଥ ଦେଉଥିବାବେଳେ ବିଭିନ୍ନ ଆରଏମସି, ପ୍ୟାକ୍ସ, ଲ୍ୟାମ୍ପସ ପାଖରେ କୋଟି କୋଟି ଟଙ୍କା ପଡିରହିଛି । ରାଜ୍ୟ ସରକାର ଏଫଏକ୍ୟୁ ଆଳରେ କଟନୀ ଛଟନୀରେ ୧୦ କେଜିି ପର୍ଯ୍ୟନ୍ତ ଧାନ କାଟୁଛନ୍ତି ।

କେନ୍ଦ୍ରସରକାର ଘୋଷଣା କରିଥିବା ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀ ପାଇବାରୁ ବଂଚିତ ରହୁଛି । ରାଜ୍ୟସରକାରଙ୍କ ଅସହଯୋଗ କାରଣରୁ ଓଡିଶାର ଲକ୍ଷ ଲକ୍ଷ ଚାଷୀ କୃଷକ ସମ୍ମାନ ନିଧି ଯୋଜନାରୁ ବଂଚିତ ରହିଛନ୍ତି । କୃଷକ ସମ୍ମାନ ନିଧି ଯୋଜନାରେ ରାଜ୍ୟ ସରକାର ପ୍ରଥମ କିସ୍ତିରେ ୪୦ଲକ୍ଷ ଚାଷୀଙ୍କ ତାଲିକା ଅର୍ଥ ଦେଇଥିବା ବେଳେ ଏହା ଏବେ କମି ୧୦ ଲକ୍ଷରେ ପହଂଚିଛି । ଓଡିଶାର ଲକ୍ଷ ଲକ୍ଷ ଚାଷୀ ଧାନ ଧରି ରାଜରାସ୍ତାରେ ବସିଛନ୍ତି । ଏହା ସତ୍ୱେ ରାଜ୍ୟ ସରକାର ସେମାନଙ୍କ ଧାନକୁ କିଣୁ ନାହାଁନ୍ତି ।

ଏବର୍ଷ ଧାନକିଣା ପାଇଁ କେନ୍ଦ୍ର ସରକାର ୧୮ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଦେଇଥିଲେ ମଧ୍ୟ ଓଡିଶାରେ ଅଦ୍ୟାବଧି ଅର୍ଦ୍ଧାଧିକ ଜିଲ୍ଲାରେ ଧାନମଣ୍ଡି ଖୋଲିନାହିଁ । ରାଜ୍ୟସରକାରଙ୍କ ଚାଷୀ ମାରଣ ନୀତି ବିରୁଦ୍ଧରେ ରାଜ୍ୟ ବିଜେପି ପକ୍ଷରୁ ୬ଟି ସ୍ଥାନରେ ବିଶାଳ କୃଷକ ସମାବେଶ ଆୟୋଜନ ଏବଂ ରାଜ୍ୟବ୍ୟାପୀ ମଣ୍ଡି ଚାଲ ଅଭିଯାନ କାର୍ଯ୍ୟକ୍ରମ କରାଯାଇଥିଲା । ବିଗତ ଦିନରେ ୪୮ ଘଂଟା ଧରି ପଶ୍ଚିମ ଓଡିଶାରେ ରାଜପଥ ଅବରୋଧ କରାଯାଇଥିଲା ଏବଂ ଏବେ ବି ୮ ଦିନ ଧରି କୁଚିଣ୍ଡା ଠାରେ ଚାଷୀ ମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ରାଜ୍ୟ ସରକାର ଚାଷୀଙ୍କ ପାଇଁ ଟିକିଏ ବି ଚିନ୍ତିତ ନୁହଁନ୍ତି । ଅନ୍ୟପଟେ ରାଜ୍ୟ ସରକାର ମିଲରମାନଙ୍କ ସ୍ୱାର୍ଥରେ କାମ କରୁଛନ୍ତି ।

ଏହା ବିରୁଦ୍ଧରେ ଆସନ୍ତାକାଲି ୨୧ ଜାନୁଆରୀରେ ସମ୍ବଲପୁର ଆରଡିସି ଅଫିସ ଠାରେ ପଶ୍ଚିମ ଓଡିଶାର ୫ଟି ସଂସଦୀୟ କ୍ଷେତ୍ର ଯଥା ବଲାଙ୍ଗୀର, ବରଗଡ, କଳାହାଣ୍ଡି, ସୁନ୍ଦରଗଡ, ସମ୍ବଲପୁର ଏବଂ ଏହି ସଂସଦୀୟ କ୍ଷେତ୍ର ଅଧୀନରେ ଥିବା ୩୫ଟି ନିର୍ବାଚନ ମଣ୍ଡଳୀ ଓ ବୌଦ୍ଧ ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀର ୪୦ ହଜାରରୁ ଉର୍ଦ୍ଧ୍ୱ ଚାଷୀ ଓ ବିଜେପି କାର୍ଯ୍ୟକର୍ତା ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିବେ । ଏହି ବିକ୍ଷୋଭରେ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସହ ପ୍ରଭାରୀ ତଥା ସାଂସଦ ତଥା ବିଜୟ ପାଲ ସିଂ ତୋମର, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କ ସମେତ ପଷ୍ଟିମ ଓଡିଶାର ସମସ୍ତ ବିଜେପି ସାଂସଦ ଓ ବିଧାୟକ, ରାଜ୍ୟ ଓ ଜିଲ୍ଲା ପଦାଧିକାରୀ ପ୍ରମୁଖ ଯୋଗଦେବେ ବୋଲି ଡ. ସାମନ୍ତସିଂହାର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here