Home General ଆମ୍ବ ବେପାରକୁ କରୋନା ମାଡ

ଆମ୍ବ ବେପାରକୁ କରୋନା ମାଡ

ଭୁବନେଶ୍ୱର : କରୋନାର ଦ୍ୱିତୀୟ ଲହର ଜନିତ କଟକଣା ଏବେ ଆମ୍ବ ବ୍ୟବସାୟୀ ଓ ଚାଷୀଙ୍କ ବେପାରକୁ ଏକ ପ୍ରକାର ବୁଡାଇ ଦେଲାଣି । ଲଗାତାର ଦୋକାନ ବଜାର ବନ୍ଦ ଯୋଗୁଁ ବ୍ୟବସାୟୀମାନେ ଆମ୍ବ ବେପାର କରିପାରୁନଥିବାବେଳେ ଓଡିଶାର ଆମ୍ବଚାଷୀମାନେ ମଧ୍ୟ ପୂର୍ବଭଳି ଆମ୍ବ ରପ୍ତାନି କରିପାରୁ ନାହାନ୍ତି ।

କରୋନା ସଂକ୍ରମଣ ଚେନ୍‍ ଭାଙ୍ଗିବାପାଇଁ ରାଜ୍ୟ ସରକାର ଏବେ ସହରାଞ୍ଚଳରେ ସପ୍ତାହନ୍ତ ସଟ୍‍ଡାଉନ୍‍ ସହିତ ୧୪ଦିନିଆ ଲକ୍‍ଡାଉନ୍‍ ଜାରି କରିଛନ୍ତି । ଲକ୍‍ଡାଉନ୍‍ ସମୟରେ ଫଳ ଦୋକାନକୁ ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଥିବାବେଳେ ସପ୍ତାହନ୍ତ ସଟ୍‍ଡାଉନ୍‍ରେ କିନ୍ତୁ ଦୋକାନ ପୂରାପୂରି ବନ୍ଦ ରହୁଛି । ତେଣୁ ବର୍ତ୍ତମାନ ପ୍ରବଳ ଗୁଳୁଗୁଳି ପରିପ୍ରେକ୍ଷୀରେ ବ୍ୟବସାୟୀମାନେ ସଟ୍‍ଡାଉନ୍‍ ପୂର୍ବରୁ କିଭଳି ମହଜୁଦ ଆମ୍ବକୁ ସାରିବେ ସେଥିପାଇଁ ଲାଗିପଡୁଛନ୍ତି । ଏଥିପାଇଁ ବଳକା ଆମ୍ବକୁ କମ୍‍ ଦରରେ ବି ବିକିବାକୁ ପଛାଉ ନାହାନ୍ତି ।

ସେହିଭଳି ସହରାଞ୍ଚଳରେ ଲକଡାଉନ୍‍ ଯୋଗୁଁ ଫଳ ଦୋକାନ ଖୋଲିବାପାଇଁ ୬ଘଣ୍ଟିଆ ଅନୁମତି ମିଳିଥିଲେ ମଧ୍ୟ ଦୋକାନକୁ କେବଳ ଲୋକେ ଚାଲି ଚାଲି ଯିବା ଏବଂ ଘରପାଖ ଦୋକାନରୁ ସାମଗ୍ରୀ କିଣିବାକୁ କୁହାଯାଇଛି । ଏଥିଯୋଗୁଁ ସହରାଞ୍ଚଳରେ ବିଭିନ୍ନ କଲୋନୀ ଠାରୁ ଦୂରରେ କିମ୍ବା ରାସ୍ତାପାଶ୍ୱର୍ରେ ଥିବା ଫଳ ବ୍ୟବସାୟୀମାନେ ହାତବାନ୍ଧି ବସୁଛନ୍ତି । ଗାଁ ଗହଳରେ ବି ଦିନ ୧୨ଟାରୁ ଫଳ ଦୋକାନ ଖୋଲୁନାହିଁ । ଫଳରେ ବ୍ୟବସାୟ ଏକ ପ୍ରକାର ମାନ୍ଦା ରହୁଛି ।

ବାଇଗଣପଲେଇ, ଆଖୁରସ, ସୁନ୍ଦରୀ ଓ ଆଲଫାନ୍‍ସ ଭଳି ସୁଆଦିଆ ଆମ୍ବ ଆମଦାନୀ ହେଉଥିବା ରାଜ୍ୟଗୁଡିକରେ କରୋନା କାୟା ବିସ୍ତାର ଯୋଗୁଁ ଲକଡାଉନ୍‍ ଓ ସଟ୍‍ଡାଉନ୍‍ କଟକଣା ଜାରି ହୋଇଥିବାରୁ ସେଠାରୁ ବି ନିୟମିତ ଭାବେ ଆମ୍ବ ଆସିପାରୁନାହିଁ । ଯେତିକି ଆସୁଛି ତାହାକୁ ବି ବ୍ୟବସାୟୀମାନେ ଉଠାଇବାକୁ ଡରୁଛନ୍ତି । କାରଣ ଏବେ ଅଧିକାଂଶ ପାଇକାରୀ ବ୍ୟବସାୟୀ ବାକିରେ ଦେବାକୁ ରାଜି ହେଉନାହାନ୍ତି ।

କେବଳ ଆମ୍ବ ବ୍ୟବସାୟୀମାନେ ନୁହନ୍ତି, ଓଡିଶାର ଆମ୍ବଚାଷୀମାନଙ୍କ ଭେଳା ମଧ୍ୟ କରୋନା ଏକ ପ୍ରକାର ବୁଡାଇ ଦେଇଛି । ଓଡିଶାରୁ ହାରାହାରି ୮ଲକ୍ଷ ମେଟ୍ରିକ ଟନ୍‍ ଉତ୍ପାଦନ ହେଉଥିବାବେଳେ ଏଥିରୁ ପ୍ରାୟ ୪୦ ପ୍ରତିଶତ ମଲ୍ଲିକା, କେଶରୀ, ଆମ୍ରପଲ୍ଲୀ, ଦଶେରୀ ଓ ଲେଙ୍ଗଡା ଭଳି ସୁସ୍ୱାଦ ଆମ୍ବ । ଏହି ସବୁ ଆମ୍ବ ରାଜ୍ୟ ଭିତରେ ଥିବା ବଜାର ସହିତ ଦେଶର ବିଭିନ୍ନ ସ୍ଥାନ ଏପରିକି ବିଦେଶକୁ ରପ୍ତାନି ହେଉଥିଲା । ହେଲେ ଚଳିତବର୍ଷ ଆମ୍ବ ଉତ୍ପାଦନ ସମୟରେ କରୋନା କଟକଣା ଯୋଗୁଁ ଆମ୍ବ ରପ୍ତାନିକ ବହୁଗୁଣରେ ହ୍ରାସ ପାଇଛି । ଏପରିକି ଓଡିଶା ବଜାରରେ ବି ଏହି ଆମ୍ବ ଆସିବା ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ମୋଟାମୋଟି ଭାବେ କରୋନାର ଦ୍ୱିତୀୟ ଲହରୀ ଆମ୍ବ ବ୍ୟବସାୟୀ ଓ ଚାଷୀଙ୍କୁ ହତାଶ କରିଦେଇଛି । ବ୍ୟବସାୟୀମାନେ ଆମ୍ବ ଋତୁରେ ଦୁଇ ପଇସା ପାଇବାର ଯେଉଁ ଆଶା ବାନ୍ଧିଥିଲେ ତାହା ମଉଳି ଯାଇଥିବାବେଳେ ଚାଷୀଙ୍କ ଖର୍ଚ୍ଚ ଉଠିବ କି ନାହିଁ ସେ ନେଇ ଚିନ୍ତାରେ ପଡିଛନ୍ତି । (ତଥ୍ୟ)