Home Culture ଆମେରିକାରେ ପିଲାଏ ଶିଖୁଛନ୍ତି ଓଡିଆ

ଆମେରିକାରେ ପିଲାଏ ଶିଖୁଛନ୍ତି ଓଡିଆ

ଭୁବନେଶ୍ୱର : ଓଡିଶାରେ ଓଡିଆ ଭାଷାରେ ପିଲାଙ୍କୁ ପାଠ ପଢାଇବାକୁ ଅନେକ ଶିକ୍ଷିତ ଅଭିଭାବକ ନାକ ଟେକୁଥିବାବେଳେ ଯୁକ୍ତରାଷ୍ଟ୍ର ଆମେରିକାରେ ରହୁଥିବା ବହୁ ଓଡିଆ ପରିବାର ସେମାନଙ୍କ ପିଲାଙ୍କୁ ଓଡିଆ ଭାଷା ଶିଖାଉଛନ୍ତି । ଏଥିପାଇଁ ଦଳେ ସ୍ୱେଚ୍ଛାସେବୀ ପ୍ରାୟ ୨୨ବର୍ଷ ଧରି ପିଲାଙ୍କୁ ଓଡିଆ ଭାଷା ଶିଖାଇବାରେ ଲାଗିଛନ୍ତି ।

୨୦୦୦ ମସିହା ଜୁନ୍‍ ୬ତାରିଖରେ ମାତ୍ର ୭ଟି ପିଲାଙ୍କୁ ଧରି ଯୁକ୍ତରାଷ୍ଟ୍ର ଆମେରିକାରେ ଆରମ୍ଭ ହୋଇଥିବା “ଚାଲ ଆମେ ଓଡିଆ ଶିଖିବା” ଅଭିଯାନ ନିରନ୍ତର ଭାବେ ଚାଲିଛି । ବିଦେଶରେ ଓଡିଆ ଭାଷା, ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଆଇ.ଗୁରୁକୂଳ ଫାଉଣ୍ଡେସନ ଏହି ଅନନ୍ୟ ପ୍ରୟାସ ବିଦେଶ ମାଟିରେ ଚଳାଇଛି ।

ସେଠାରେ ଥିବା ଓଡିଆ ସୋସାଇଟି ଅଫ ଆମେରିକା (ଓସା) ଅଧିକରୁ ଅଧିକ ସଂଖ୍ୟାରେ ଓଡିଆ ପିଲାଙ୍କୁ କିଭଳି ସେମାନଙ୍କ ମାତୃଭାଷା ସହ ପରିଚିତ କରାଯିବ ସେଥିପାଇଁ ଲାଗି ପଡିଛି । ବିଶେଷକରି ଓସାର ପୂର୍ବତନ ସଭାପତି କୁକୁ ଦାସ ଏଥିପାଇଁ ପ୍ରେରଣାର ସ୍ରୋତ ହୋଇଛନ୍ତି ।

୨୦୦୦ ମସିହାରେ ତାଙ୍କ ଗ୍ୟାରେଜ ଘରେ ଓଡିଆ ପାଠପଢା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସେତେବେଳେ ଗାୟତ୍ରୀ ଯୋଷୀ ନାମ୍ନୀ ଆଉଜଣେ ଭଦ୍ର ମହିଳା ଏହି କାମରେ ସାମିଲ ହେବା ସହ ଗୁରୁକୂଳ ଫାଉଣ୍ଡେସନ ପ୍ରତିଷ୍ଠା କରିଥିଲେ । ଭାଷା ସହିତ ଓଡିଆ ସଂସ୍କୃତି ସମ୍ପର୍କରେ ପିଲାଙ୍କୁ ପରିଚିତ କରାଇବା ଫାଉଣ୍ଡେସନର ମୁଖ୍ୟ ଲକ୍ଷ୍ୟ ।

ପରବର୍ତ୍ତୀ ସମୟରେ ମିତା ମହାରଣା, ଜୟଶ୍ରୀ ପଣ୍ଡାଙ୍କ ସମେତ ଆଉ କେତେକ ସ୍ୱେଚ୍ଛାସେବୀ ବାହାରି ପଢାଇବା କାମରେ ମାତିଛନ୍ତି । ପ୍ରତି ସପ୍ତାହର ରବିବାର ଦିନରେ ଆଗ୍ରହୀ ପିଲାମାନଙ୍କୁ ଓଡିଆ ଶିକ୍ଷା ଦିଆଯାଏ । ଏଥି ସହିତ ଓଡିଆ ସଙ୍ଗୀତ, ନାଟକ, ଗପ ଆଦି ମାଧ୍ୟମରେ ପିଲାମାନଙ୍କୁ ଆକର୍ଷିତ କରାଯାଇଥାଏ । ଏମିତିକି କରୋନା ମହାମାରୀ ସମୟରେ ବି କେତେବେଳେ ଅନ୍‍ଲାଇନ୍‍ରେ ତ କେତେବେଳେ ଅଫ୍‍ ଲାଇନ୍‍ରେ ପିଲାଙ୍କୁ ଓଡିଆ ଶିଖାଯାଉଛି ଏବଂ ଅଧିକାଂଶ ଅଭିଭାବକ ଏହି କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି ।

କାଲିଫର୍ଣ୍ଣିଆ, ସିଲିକନଭ୍ୟାଲି ସମେତ ଆମେରିକାର ବିଭିନ୍ନ ରାଜ୍ୟରେ ଓଡିଆ ଭାଷା ଶିକ୍ଷା କାର୍ଯ୍ୟକ୍ରମ ଅବ୍ୟାହତ ରହିଛି । ଗତ ନୂଆବର୍ଷ ଅବସରରେ ସେଠାକାର ଓଡିଆ ବିଦ୍ୟାର୍ଥୀମାନେ ମନୋଜ୍ଞ ଓଡିଆ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ଏବଂ ଅନ୍‍ଲାଇନ୍‍ରେ ଏହା ଦେଶ ବିଦେଶରେ ପ୍ରସାରିତ ହୋଇଥିଲା ।

ଦିଲ୍ଲୀପ ଆଚାର୍ଯ୍ୟ ନାମକ ଜଣେ ସ୍ୱେଚ୍ଛାସେବୀ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ବିଶେଷକରି ଆମେରିକାରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଆଗ୍ରହୀ ଓଡିଆମାନେ କିଛି କିଛି ସମୟ ବାହାର କରି ଓଡିଆ ଭାଷା, ସଂସ୍କୃତି ଓ ଚଳଣିର ପ୍ରଭାବ ଯେଭଳି ସେଠାକାର ଓଡିଆ ପିଲାମାନଙ୍କ ଭିତରେ ଛାପିହୁଏ ରୁହେ ସେ ଦିଗରେ ନିରନ୍ତର ପ୍ରୟାସ ଚଳାଇଛନ୍ତି ।