Home Education ଆବାସିକ ବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲି

ଆବାସିକ ବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲି

ଭୁବନେଶ୍ୱର : ରାଜ୍ୟର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧିନରେ ପରିଚାଳିତ ଆବାସିକ ବିଦ୍ୟାଳୟରେ ମୋଟ୍‍ ୨୮୪୨ଟି ପଦବୀ ଖାଲିପଡ଼ିଛି । ଏଥିମଧ୍ୟରେ ୧୯୫୨ଟି ଶିକ୍ଷକ ପଦବୀ ହୋଇଥିବା ବେଳେ ୯୨ଟି ପ୍ରଧାନଶିକ୍ଷକ ପଦବୀ ରହିଛି ।

ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ବିଭାଗ ଅଧିନରେ ରାଜ୍ୟରେ ମୋଟ୍‍ ୧୬୭୦ଟି ଆବାସିକ ବିଦ୍ୟାଳୟ ଥିବା ବେଳେ ଏଥିପାଇଁ ୯୮୨୬ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ରହିଛି । ଏହି ଶିକ୍ଷକ ପଦବୀ ମଧ୍ୟରୁ ୨୦୪୪ଟି ପଦବୀ ଖାଲିପଡ଼ିଛି । ସେହିଭଳି ଏହିସବୁ ବିଦ୍ୟାଳୟରେ ୭୯୮ଟି ଅଣଶିକ୍ଷକ ପଦବୀ ବି ଖାଲି ରହିଛି ।

ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୨୫୬ଟି ଶିକ୍ଷକ ପଦବୀ ଖାଲି ପଡ଼ିଥିବା ବେଳେ ରାୟଗଡ଼ାରେ ୨୦୭, ଗଜପତିରେ ୧୯୯, ମୟୂରଭଞ୍ଜରେ ୧୯୮, ନବରଙ୍ଗପୁରରେ ୧୬୫ ଓ କନ୍ଧମାଳରେ ୧୧୪ଟି ପଦବୀ ଖାଲିପଡ଼ିଛି । ଅନ୍ୟ ଜିଲ୍ଲାଗୁଡ଼ିକରେ ଖାଲିପଡ଼ିଥିବା ଶିକ୍ଷକ ପଦବୀ ସଂଖ୍ୟା ଦୁଇଅଙ୍କରେ ସୀମିତ ଥିବା ବେଳେ ବଲାଙ୍ଗୀର ଜିଲ୍ଲାରେ ସମସ୍ତ ପଦବୀରେ ଶିକ୍ଷକମାନେ ଅଛନ୍ତି ।

ସେହିଭଳି ଖାଲିପଡ଼ିଥିବା ୯୨ଟି ପ୍ରଧାନଶିକ୍ଷକ ପଦବୀ ମଧ୍ୟରୁ କୋରାପୁଟ ଓ ଯାଜପୁର ଜିଲ୍ଲାରେ ୨୧ଟି କରି ଖାଲିପଡ଼ିଥିବା ବେଳେ ସୁନ୍ଦରଗଡ଼ରେ ୧୦, ମୟୂରଭଞ୍ଜରେ ୮, ଅନୁଗୁଳ ଓ ରାୟଗଡ଼ାରେ ୫କରି ପ୍ରଧାନଶିକ୍ଷକ ପଦବୀ ଖାଲିରହିଛି । ଅଣଶିକ୍ଷକ ପଦବୀ ମଧ୍ୟରୁ ସର୍ବାଧିକ ୧୪୧ଟି ପଦବୀ ବରଗଡ଼ ଜିଲ୍ଲାରେ ଖାଲିରହିଛି । ସୁନ୍ଦରଗଡ଼ରେ ୧୨୯, ମୟୂରଭଞ୍ଜ ଓ ରାୟଗଡ଼ାରେ ୯୨କରି, ମାଲକାନଗିରିରେ ୯୦ ଏବଂ ନବରଙ୍ଗପୁରରେ ୮୮ ପଦବୀ ଖାଲି ରହିଛି ।

ଏହି ସମସ୍ତ ଆବାସିକ ବିଦ୍ୟାଳୟ ପାଇଁ ମଞ୍ଜୁରୀ ହୋଇଥିବା ୯୮୨୬ଟି ଶିକ୍ଷକ ପଦବୀ ମଧ୍ୟରୁ ସର୍ବାଧିକ ୯୭୬ଟି ପଦବୀ ମୟୂରଭଞ୍ଜ ଜିଲ୍ଲାରେ ଥିବା ବେଳେ କୋରାପୁଟରେ ୯୦୧, ନବରଙ୍ଗପୁରରେ ୮୨୬, କେନ୍ଦୁଝରରେ ୭୮୯, ସୁନ୍ଦରଗଡ଼ରେ ୭୭୬, ରାୟଗଡ଼ାରେ ୭୪୦, ମାଲକାନଗିରିରେ ୬୨୮ ଓ ଗଜପତିରେ ୪୯୯ଟି ପଦବୀ ରହିଛି ।

ଖାଲିପଡ଼ିଥିବା ପଦବୀଗୁଡ଼ିକୁ ପୂରଣ କରିବା ନିମନ୍ତେ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଓ ସେମାନେ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରୁଥିବା ମନ୍ତ୍ରୀ ଶ୍ରୀ ସାରକା ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ।