Home Election ଆପ୍‍ ଦଖଲରେ ପଞ୍ଜାବ

ଆପ୍‍ ଦଖଲରେ ପଞ୍ଜାବ

ଭୁବନେଶ୍ୱର : ପାଞ୍ଚଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ବିପର୍ଯ୍ୟୟ ଘଟିଥିବାବେଳେ ଆମ୍‍ ଆଦମୀ ପାର୍ଟି (ଆପ୍‍) ପଞ୍ଜାବ ଦଖଲ କରିଛି । ବିଜେପି ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ବିପୁଳ ବହୁମତ ହାସଲ କରିଥିବାବେଳେ ଗୋଆ ଓ ମଣିପୁରରେ ମଧ୍ୟ ସରକାର ଗଢିବାକୁ ଯାଉଛି ।

ଏହି ୫ଟି ରାଜ୍ୟ ମଧ୍ୟରୁ ୪ଟିରେ ବିଜେପି ନେତୃତ୍ୱାଧିନ ଏନ୍‍ଡିଏ ସରକାର ଥିବାବେଳେ ପଞ୍ଜାବରେ ରହିଥିଲା କଂଗ୍ରେସର ସରକାର । ବିଜେପି ତାହାର ୪ଟି ଯାକ ରାଜ୍ୟକୁ ଅକ୍ତିଆରରେ ରଖିବା ଲାଗି ସମର୍ଥ ହୋଇଥିବାବେଳେ କଂଗ୍ରେସ କିନ୍ତୁ ପଞ୍ଜାବକୁ ହାତଛଡା କରିଛି ।

ଏଠାରେ ଉଲ୍ଲେଖନୀୟ ଯେ ୪୦୩ ଆସନ ବିଶିଷ୍ଟ ଉତ୍ତରପ୍ରଦେଶ, ୬୦ ଆସନ ବିଶିଷ୍ଟ ମଣିପୁର, ୭୦ ଆସନ ବିଶିଷ୍ଟ ଉତ୍ତରାଖଣ୍ଡ, ୪୦ ଆସନ ବିଶିଷ୍ଟ ଗୋଆ ଏବଂ ୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭା ଲାଗି ହୋଇଥିବା ନିର୍ବାଚନର ଆଜି ଭୋଟ ଗଣତି ହୋଇଛି ।

ଏହି ନିର୍ବାଚନରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଓ ସେଠାକାର ପ୍ରଦେଶ କଂଗ୍ରେସ ସଭାପତି ନଭଜୋତ୍‍ସିଂ ସିଦ୍ଧୁ ହାରିଥିବାବେଳେ ପଞ୍ଜାବ ବିଜେପି ସଭାପତି କିନ୍ତୁ ଜିଣି ଯାଇଛନ୍ତି । ମୁଖ୍ୟମନ୍ତ୍ରୀ ଚରରଜିତ୍‍ସିଂ ଚନ୍ନି ମଧ୍ୟ ଦୁଇ ଦୁଇଟି ଆସନରୁ ପରାଜିତ ହୋଇଛନ୍ତି ।

ପଞ୍ଜାବ ଲାଗି ଆପ୍‍ ଘୋଷଣା କରିଥିବା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମାନ୍‍ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଅନ୍ୟ ପକ୍ଷରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କରସିଂ ଧାମି ହାରି ଯାଇଥିବାବେଳେ ସେଠାରେ କଂଗ୍ରେସ ସରକାରରେ ମୁଖ୍ୟମନ୍ତ୍ରୀ ହେବାକୁ ଥିବା ହରିଶ ରାୱତ ମଧ୍ୟ ପରାଜୟବରଣ କରିଛନ୍ତି ।

ଅନ୍ୟ ପକ୍ଷରେ ମଣିପୁର ଓ ଗୋଆର ମୁଖ୍ୟମନ୍ତ୍ରୀ କିନ୍ତୁ ଏହି ବିଧାନସଭା ନିର୍ବାଚନରେ ଜିଣିଛନ୍ତି । ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବାବେଳେ ସେଠାକାର ବରିଷ୍ଠ ବିଜେପି ନେତା ତଥା ଉପମୁଖ୍ୟମନ୍ତ୍ରୀଙ୍କୁ କିନ୍ତୁ ପରାଜୟର ସ୍ୱାଦ ଚାଖିବାକୁ ପଡିଛି । ସମାଜବାଦୀ ପାର୍ଟି ନେତା ଅଖିଳେଶସିଂ ଯାଦବ ନିର୍ବାଚନରେ ଜିଣି ଯାଇଥିଲେ ବି ତାଙ୍କ ଦଳ ବିଜେପି ଠାରୁ ଢେର ପଛରେ ପଡିଥିବାରୁ ଉତ୍ତରପ୍ରଦେଶରେ ଅଖିଳେଶଙ୍କ ସରକାର ଗଢିବା ସ୍ୱପ୍ନ ଚୁନା ହୋଇଯାଇଛି । ଗୋଆରେ ଆପ୍‍ ଓ ତୃଣମୂଳ କଂଗ୍ରେସ ସେତେଟା ଭଲ ପ୍ରଦର୍ଶନ କରିନାହାନ୍ତି ।

ଏହି ୫ଟି ରାଜ୍ୟର ବିଧାନସଭା ପରିପ୍ରେକ୍ଷୀରେ ଏବେ ଆପ୍‍ର ଅଭୃଦ୍ୱୟକୁ ନେଇ ଚର୍ଚ୍ଚା ଜମିଛି । ନିର୍ବାଚନ ପ୍ରଚାର ସମୟରେ ବିଜେପି ସମେତ ଅନ୍ୟ ଦଳମାନେ ଆପ୍‍ର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଆତଙ୍କବାଦୀ ଭାବେ ଚିତ୍ରଣ କରିଥିବାବେଳେ ବସ୍ତୁତଃ ପଞ୍ଜାବରେ କିନ୍ତୁ ଅନ୍ୟ ଦଳମାନେ ଆପ୍‍ ପାଇଁ ଆତଙ୍କିତ ହୋଇପଡିଛନ୍ତି । ଏକଦା ପଞ୍ଜାବ ରାଜନୀତିକୁ ନିଜର ହସ୍ତମୁଦି ମାହାଲ କରି ରଖିଥିବା ବାଦଲ ପରିବାରର ଶିରୋମଣି ଅକାଳୀ ଦଳ ତୃତୀୟ ସ୍ଥାନକୁ ଖସିଯାଇଛି ।