Home Finance ଆପିକଲ୍‍ ହରାଇଛି ବିପୁଳ ଅର୍ଥ

ଆପିକଲ୍‍ ହରାଇଛି ବିପୁଳ ଅର୍ଥ

ଭୁବନେଶ୍ୱର : ଘରୋଇ ବ୍ୟାଙ୍କର ସଞ୍ଚୟ ଖାତାରେ ଟଙ୍କା ରଖି ଓଡ଼ିଶା କୃଷି ପ୍ରୋତ୍ସାହନ ଓ ପୁଞ୍ଜିନିବେଶ ନିଗମ ଲିମିଟେଡ୍‍ (ଆପିକଲ୍‍) ୫ କୋଟିରୁ ଅଧିକ ଟଙ୍କା ହରାଇଛି । ଅର୍ଥ ବିଭାଗ ଅଧିକ ଟଙ୍କାକୁ ସ୍ଥାୟୀ ଜମା/ଫ୍ଲେକ୍ସି ଜମାରେ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଆପିକଲ୍‍ ତାହାକୁ ଠିକଣା ଭାବେ ପାଳନ କରିନଥିଲା ।

୧୯୯୬ ମସିହାରେ ପ୍ରତିଷ୍ଠା କରାଯାଇଥିବା ଆପିକଲ୍‍ ସାଧାରଣତଃ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପମାନଙ୍କୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ନୋଡାଲ୍‍ ସଂସ୍ଥା ଭାବେ କାର୍ଯ୍ୟ କରିଥାଏ । କୃଷି ପ୍ରତିଷ୍ଠାନ ସ୍ଥାପନ ଲାଗି ଉଦ୍ୟୋଗମାନଙ୍କୁ ପୁଞ୍ଜିନିବେଶ ସବ୍‍ସିଡି ଯୋଗାଇଥାଏ । ଏହାଛଡ଼ା ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ, ପମ୍ପ୍‍ସେଟ୍‍ ବସାଇବା ଆଦି ପାଇଁ ମଧ୍ୟ ସହାୟତା ଯୋଗାଇଥାଏ । ଜିଲ୍ଲା କୃଷି ଅଧିକାରୀଙ୍କଠାରୁ ସବ୍‍ସିଡି କାଗଜପତ୍ର ପାଇବାର ୩୦ଦିନ ମଧ୍ୟରେ ଆପିକଲ୍‍ ସବ୍‍ସିଡି ଅର୍ଥ ପ୍ରଦାନ କରିଥାଏ । 

ଏହି ସବ୍‍ସିଡି ଅର୍ଥକୁ ଓଡ଼ିଶା ସରକାର କୃଷି ଓ କୃଷକ ସଶକ୍ତିକରଣ ବିଭାଗର କୃଷି ନିର୍ଦ୍ଦେଶାଳୟ ଜରିଆରେ ଆପିକଲ୍‍ଙ୍କୁ ଦେଇଥାନ୍ତି । ଆପିକଲ୍‍ ଏହି ଅର୍ଥକୁ ୨୦୧୬-୧୭ରୁ ୨୦୧୮-୧୯ ମଧ୍ୟରେ ଦୁଇଟି ପ୍ରମୁଖ ବ୍ୟାଙ୍କ ଆକ୍ସିସ୍‍ ଓ ଆଇସିଆଇସିଆଇର ୮ଟି ସଞ୍ଚୟ ଖାତାରେ ଜମା କରିଥିଲେ । ଏଥିମଧ୍ୟରେ ଆକ୍ସିସ୍‍ ବ୍ୟାଙ୍କର ୫ଟି ସଞ୍ଚୟ ଖାତା ଥିଲା । 

ତେବେ ଆପିକଲ୍‍ ନିର୍ଦ୍ଦେଶକ ମଣ୍ଡଳୀ ଖର୍ଚ୍ଚ ହୋଇନଥିବା ପାଣ୍ଠିକୁ ବ୍ୟାଙ୍କର ସଞ୍ଚୟ ଖାତା ବଦଳରେ ଫ୍ଲେକ୍ସି ଜମା ଖାତାରେ ରଖି ଅଧିକ ସୁଧ ପାଇବାକୁ କହିଥିଲେ । ତଦନୁଯାୟୀ ଆପିକଲ୍‍ ୧ କୋଟି ଟଙ୍କା ପର୍ଯ୍ୟନ୍ତ ରାଶିକୁ ସଞ୍ଚୟ ଖାତାରେ ଓ ୧ କୋଟି ଟଙ୍କାରୁ ଅଧିକ ରାଶିକୁ ଫ୍ଲେକ୍ସି ଖାତାକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଥିଲେ ।  

ତେବେ ଭାରତର ମହାଲେଖାକାର ଦର୍ଶାଇଛନ୍ତି ଯେ ଏହି ତିନିବର୍ଷରେ ୮ଟି ସଞ୍ଚୟ ଖାତାରେ ଅତ୍ୟଧିକ ଅର୍ଥ ଜମା ରହିଥିଲା । ଏହାର ପରିମାଣ ୧ କୋଟି ୬୬ ଲକ୍ଷରୁ ୮୫ କୋଟି ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିଲା । ହେଲେ ଆପିକଲ୍‍ କର୍ତ୍ତୃପକ୍ଷ ଏହି ବିପୁଳ ଅର୍ଥକୁ ସଞ୍ଚୟ ଖାତା ବଦଳରେ ଫ୍ଲେକ୍ସି ଖାତା ବା ସ୍ଥାୟୀ ଜମାରେ ରଖିବାକୁ ପଦକ୍ଷେପ ନେଇନଥିଲେ । ସେତେବେଳେ ସଞ୍ଚୟ ଖାତାରେ ୪ ପ୍ରତିଶତ ସୁଧ ମିଳୁଥିବା ବେଳେ ସ୍ଥାୟୀ/ଫ୍ଲେକ୍ସି ଜମାରୁ ୫.୨୫ରୁ ୫.୭୫ ପ୍ରତିଶତ ସୁଧ ମିଳୁଥିଲା । ଆପିକଲ୍‍ ଫ୍ଲେକ୍ସି ଖାତାକୁ ଅର୍ଥ ନ ନେବା ଯୋଗୁ ସୁଧ ବାବଦରେ ପ୍ରାୟ ୫ କୋଟି ୫୮ ଲକ୍ଷ ହରାଇଥିବା ଏଜି ଦର୍ଶାଇଛନ୍ତି । 

ସରକାର କହିଛନ୍ତି ଯେ ବାରମ୍ବାର ପରିଚାଳନା ନିର୍ଦ୍ଦେଶକ ବଦଳୁଥିବାରୁ ପାଣ୍ଠି ପରିଚାଳନାରେ ବାଧା ଉପୁଜିଥିଲା । ପରବର୍ତ୍ତୀ ସମୟରେ ସଞ୍ଚୟ ଖାତା ବଦଳରେ ସ୍ଥାୟୀ/ଫ୍ଲେକ୍ସି ଖାତାରେ ଅର୍ଥ ରଖିବାକୁ ପଦକ୍ଷେପ ନିଆଯାଇଛି । ତେବେ ଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେ ସୁଧ ଆୟ ତିନିବର୍ଷ ଧରି ନିରନ୍ତର ଭାବେ କମ୍‍ ରହିଥିଲା । ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରି ବ୍ୟାଙ୍କମାନଙ୍କୁ ସିଧାସଳଖ ଅର୍ଥ ବିଭାଗର ନିର୍ଦ୍ଦେଶାବଳୀର ଅନୁପାଳନ ପାଇଁ କହିଥିଲେ ଏତେ ବିପୁଳ ପରିମାଣର ଅର୍ଥ ହରାଇବାକୁ ପଡ଼ିନଥାନ୍ତା । (ତଥ୍ୟ)