Home General ଆପାର୍ଟମେଣ୍ଟ ଅନୁମତିକୁ ନେଇ ପ୍ରଶ୍ନ

ଆପାର୍ଟମେଣ୍ଟ ଅନୁମତିକୁ ନେଇ ପ୍ରଶ୍ନ

ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ଆବାସିକ ଅଞ୍ଚଳରେ ଏକାଧିକ ଆପାର୍ଟମେଣ୍ଟ ନିର୍ମାଣକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବାସଗୃହ ପାଇଁ ସରକାର ଶସ୍ତାରେ ଜମି ଯୋଗାଇଥିବାବେଳେ ଏହା ଉପରେ ବିଡିଏ, ସାଧାରଣ ପ୍ରଶାସନ କିଭଳି ବ୍ୟବସାୟିକ ଆପାର୍ଟମେଣ୍ଟ ନିର୍ମାଣ ପାଇଁ ଅନୁମତି ଦେଉଛନ୍ତି ତାହାକୁ ନେଇ ଏବେ ଅନେକ ଆଶ୍ଚର୍ଯ୍ୟ ଚକିତ ।

ରାଜଧାନୀର ପ୍ରମୁଖ ଅଞ୍ଚଳ ବିଶେଷକରି ବାପୁଜୀନଗର, ଶହୀଦନଗର, ନୟାପଲ୍ଲୀ, ସୂର୍ଯ୍ୟନଗର, ଗୌତମନଗର, ନୀଳାଦ୍ରୀବିହାର ଆଦି ଅଞ୍ଚଳରେ ଏଭଳି ସ୍ଥିତି ପରିଲକ୍ଷିତ ହୋଇଛି । ଏହିସବୁ ଅଞ୍ଚଳରେ ସରକାର ଶସ୍ତା ଦରରେ ଲୋକଙ୍କୁ ଘର କରି ରହିବାପାଇଁ ଜମି ଯୋଗାଇ ଦେଇଥିଲେ । ଗୋଟିଏ କିମ୍ବା ଦୁଇଟି ପରିବାରକୁ ଦୃଷ୍ଟିରେ ରଖି ଲଟେରୀ ମାଧ୍ୟରେ ଏହି ଜମି ସାଧାରଣ ପ୍ରଶାସନ ଯୋଗାଇଥିଲା ।

ବର୍ତ୍ତମାନ ଜମି ମାଲିକମାନେ ସେହିସବୁ ଜମିକୁ ବିଲଡରଙ୍କ ହାତରେ ଟେକି ଦେଉଛନ୍ତି । ଅଳ୍ପ ଜମି ଉପରେ ସୁଉଚ୍ଚ ଅଟ୍ଟାଳିକା ନିର୍ମାଣ ହେଉଛି । ଚୁକ୍ତି ମୁତାବକ ସେଥିରୁ ୩/୪ଟି ଘର ଜମି ମାଲିକ ନେଉଛନ୍ତି । ଅନ୍ୟ ଘରଗୁଡିକୁ ବିକ୍ରି କରି ବିଲଡରମାନେ ବେଶ୍‍ ମୁନାଫା ଉଠାଉଛନ୍ତି ।

ଏହି ଅଞ୍ଚଳରେ ପୂର୍ବରୁ ଘର କରି ରହିଥିବା ଲୋକେ ଏବେ ଏଭଳି ନିର୍ମାଣ ଯୋଗୁଁ ହୀନସ୍ତା ହେଉଛନ୍ତି । ଅଧିକାଂଶ ଲୋକଙ୍କ ଘରକୁ ଆଉ ବାୟୁ କିମ୍ବା ସୂର୍ଯ୍ୟକିରଣ ପ୍ରବେଶ କରିପାରୁ ନାହିଁ । ଘର ଚାରିପଟେ ସୁ ଉଚ୍ଚ ଆପାର୍ଟମେଣ୍ଟ । ତେଣୁ ଲୋକେ ଖରାଦିନ ପ୍ରବଳ ଗରମ ଓ ଗୁଳୁଗୁଳିରେ ନୟାନ୍ତ ହେଉଛନ୍ତି ।

ସବୁଠାରୁ ବଡ କଥା ହେଉଛି ଏହି ଆପାର୍ଟମେଣ୍ଟ ନିର୍ମାଣ ଫଳରେ ସମ୍ପୃକ୍ତ ଅଞ୍ଚଳରେ ପାନୀୟଜଳ, ସ୍ୱରେଜ, ବିଦ୍ୟୁତ୍‍ ଯୋଗାଣ ଆଦି ସମସ୍ୟା ଦେଖା ଦେଉଛି । ଯେଉଁ ଜମି ଉପରେ ୪/୫ ଜଣ ରହିବାକଥା ସେଠାରେ ହଠାତ୍‍ ଶହ ଶହ ଲୋକ ବସବାସ କରୁଛନ୍ତି । ଯଦିଓ କର୍ତ୍ତୃପକ୍ଷ ବିଜୁଳି ତାର ବଦଳାଇ ଦେଉଛନ୍ତି, ହେଲେ ରାସ୍ତା ପ୍ରଶସ୍ତ କରିବାର ସୁଯୋଗ ନାହିଁ । କାରଣ ଏଥିପାଇଁ ଆବଶ୍ୟକ ଜମି ସେହି ଅଞ୍ଚଳରେ ନାହିଁ । ଯାହା ଫଳରେ ଶହ ଶହ ଗାଡିମୋଟର ଏବେ ରାସ୍ତା ଉପରେ ରଖାଯାଉଛି ।

ଆପାର୍ଟମେଣ୍ଟ ନିର୍ମାଣକୁ ବିଡିଏ, ସାଧାରଣ ପ୍ରଶାସନ ଆଖିବୁଜା ଅନୁମତି ଦେଉଥିବାବେଳେ ଏହାର ତଦାରଖ ବି କରୁନାହାନ୍ତି । ଅର୍ଥ ଲୋଭରେ କେତେକ ସ୍ଥାନରେ ଆପାର୍ଟମେଣ୍ଟ ପାଇଁ ପାର୍କିଂସ୍ଥାନ ରହୁନାହିଁ କି ଅଗ୍ନିଶମ ଗାଡି ପଶିବା ଭଳି ଜାଗା ଛଡାଯାଉ ନାହିଁ । ଯାହା ଆଗାମୀ ଦିନରେ ରାଜଧାନୀରେ ଅତ୍ୟନ୍ତ ବିପଦଜନକ ସ୍ଥିତି ସୃଷ୍ଟି କରିବାକୁ ଯାଉଛି । ପାର୍କିଂ ସ୍ଥାନ ନଥିବାରୁ ଲୋକେ ରାସ୍ତାଉପରେ ଗାଡିମୋଟର ରଖୁଛନ୍ତି ଏବଂ ସ୍ଥାନୀୟ ଅଞ୍ଚଳରେ ଏଥିପାଇଁ ଗଣ୍ଡଗୋଳ ବି ଘଟୁଛି ।

ବିଲ୍‍ଡରମାନେ ଏହିସବୁ ଆବାସିକ ଅଞ୍ଚଳରେ ପ୍ରବେଶ କରିବା ସହିତ ଜମିର ମୂଲ୍ୟ ଆକାଶଛୁଆଁ ବୃଦ୍ଧି କରୁଛନ୍ତି । ଜମି ମାଲିକଙ୍କୁ ଲୋଭ ଦେଖାଇ ଜମି ହାତେଇବା ପରେ କୋଟି କୋଟି ଟଙ୍କାରେ ଗୋଟିଏ ଲେଖା ଘର ବିକ୍ରି କରୁଛନ୍ତି । ହେଲେ କାଗଜପତ୍ରରେ କମ୍‍ ଦାମ୍‍ ଦର୍ଶାଯାଉଥିବାରୁ ସରକାରଙ୍କର ବ୍ୟାପକ ରାଜସ୍ୱ ହାନି ହେଉଛି । ଗୋଟିଏ ପଟେ ରାଜସ୍ୱ ମିଳୁନଥିବାବେଳେ ଅନ୍ୟପଟେ ବ୍ୟାପକ ଅର୍ଥ ବ୍ୟୟରେ ସ୍ୱରେଜ ଓ ପାନୀୟଜଳ ବ୍ୟବସ୍ଥା କରିବାକୁ ପଡୁଛି । ତେବେ ଆବାସିକ ଅଞ୍ଚଳରେ କର୍ତ୍ତୃପକ୍ଷ କିଭଳି ବ୍ୟବସାୟିକ ଆପାର୍ଟମେଣ୍ଟ ନିର୍ମାଣକୁ ଅନୁମତି ଦେଉଛନ୍ତି ତାହା ବଡ ପ୍ରଶ୍ନବାଚୀ ହୋଇଥିବାବେଳେ କିଛି ସ୍ଥାନୀୟ ଲୋକେ ଏହାକୁ ନେଇ ଅଦାଲତକୁ ଯିବାକୁ ସଜବାଜ ହେଉଥିବା ସୂଚନା ମିଳିଛି । (ତଥ୍ୟ)