Home Administration ଆନ୍ଦୋଳନ ଆଗରେ ନଇଁଲା ବିଏମ୍‍ସି

ଆନ୍ଦୋଳନ ଆଗରେ ନଇଁଲା ବିଏମ୍‍ସି

ଭୁବନେଶ୍ୱର : କରୋନା ସଂକ୍ରମଣକୁ କାବୁ କରିବାପାଇଁ କଟକଣା ଜାରି କରିବାର ୨୪ ଘଣ୍ଟା ଭିତରେ ବିଏମ୍‍ସି ତାହାର ନିଷ୍ପତ୍ତି ବଦଳାଇଛି । ସାମାଜିକ ଉତ୍ସବରେ ୫୦ଜଣ ଯୋଗ ଦେବା ବଦଳରେ ଗୋଟିଏ ଥରରେ ୫୦ଜଣ ସାମିଲ ହୋଇପାରିବେ ବୋଲି ସାନି ଜାରି କରିଥିବା ବିଜ୍ଞପ୍ତିରେ କହିଛି । ଫଳରେ ବିଏମ୍‍ସିର ଗତକାଲିର ନିଷ୍ପତ୍ତି ବିରୋଧରେ ଆଜି ହୋଇଥିବା ଆନ୍ଦୋଳନ ଆଗରେ କର୍ତ୍ତୃପକ୍ଷ ନଇଁଥିବା ଲକ୍ଷ୍ୟ କରାଯାଇଛି ।

ଗତକାଲି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ବିବାହ, ବ୍ରତ, ଶୁଦ୍ଧିକ୍ରିୟାରେ ୫୦ଜଣରୁ ଅଧିକ ବ୍ୟକ୍ତି ଯୋଗଦେଇ ପାରିବେ ନାହିଁ ବୋଲି ବିଜ୍ଞପ୍ତି ଜାରି କରିଥିଲା । ପୂର୍ବରୁ କରୋନା ଥମିବା ପରେ କର୍ତ୍ତୃପକ୍ଷ ଏହିସବୁ ସାମାଜିକ କାର୍ଯ୍ୟପାଇଁ ୨୫୦ଜଣଙ୍କୁ ଅନୁମତି ଦେଇଥିଲେ ।

ତେବେ ହଠାତ୍‍ ବିଏମ୍‍ସିର ଏଭଳି ନିଷ୍ପତ୍ତି ବିରୁଦ୍ଧରେ ରାଜଧାନୀର ଟେଣ୍ଟହାଉସ୍‍, କ୍ୟାଟରିଙ୍ଗ୍‍, ବ୍ୟାଣ୍ଡ୍‍ପାର୍ଟି ଆଦି ସଂଘ ତାତିବା ସହିତ ରାସ୍ତାକୁ ଓହ୍ଲାଇଥିଲେ । ଆଜି ଶହ ଶହ ସଂଖ୍ୟାରେ ଲୋକେ ବିଏମ୍‍ସି ଦପ୍ତର ଘେରାଉ କରିଥିଲେ । ସେମାନଙ୍କର ଯୁକ୍ତି ଥିଲା ଯେ ସରାକର ଲୋକଙ୍କ ଯୋଗଦେବା ସଂଖ୍ୟା ହ୍ରାସ କରିବା ଫଳରେ ଯେଉଁମାନେ ବିବାହ, ବ୍ରତ ଆଦିର ଭୋଜି ଓ ସାଜସଜ୍ଜା ପାଇଁ ଅଗ୍ରିମ ଦେଇଥିଲେ ସେମାନେ ପଇସା ଫେରାଇବା ଆରମ୍ଭ କରିଦେଲେଣି ।

ଏହାଦ୍ୱାରା କେବଳ ସେମାନେ କ୍ଷତିଗ୍ରସ୍ତ ହେବେନାହିଁ, ସେମାନଙ୍କ ନିକଟରେ କାମ କରୁଥିବା ବହୁ ପରିବାର ଦାନାପାଣି ହରାଇବେ । ଗତ ଦେଢ ବର୍ଷରୁ ଅଧିକ ସମୟ ଧରି ସେମାନେ ହାତବାନ୍ଧି ବସିଥିବାବେଳେ କଟକଣା କୋହଳ ଯୋଗୁଁ କିଛି କାମ ମିଳିଥିଲା । ହେଲେ ବିଏମ୍‍ସି କର୍ତ୍ତୃପକ୍ଷ ପୁଣିଥରେ ସେଥିରେ ଧୂଳି ପକାଇଦେଲେ ।

ବିଭିନ୍ନ ସଂଘର ଆଜି ଜୋରଦାର ପ୍ରତିବାଦ ପରେ ବିଏମସି ତାହାର ନିଷ୍ପତ୍ତିରେ ପରିବର୍ତ୍ତନ କରିଛି । ଏଣିକି ସାମାଜିକ ଉତ୍ସବଗୁଡିକରେ କୋଭିଡ କଟକଣା ମାନି ଗୋଟିଏ ଥରରେ ୫୦ ଲୋକ ପ୍ରବେଶ କରିପାରିବେ । ଏହା ଫଳରେ ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟା ଆଦିରେ ପୂର୍ବଭଳି ଅଧିକ ଲୋକେ ଯିବାର ରାସ୍ତା ସଫା ହୋଇଛି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ସମଗ୍ର ରାଜ୍ୟରେ ଏବେ କରୋନାର ଦୈନିକ ସଂକ୍ରମଣ ୫ଶହ ତଳକୁ ଖସିଥିଲେ ମଧ୍ୟ ରାଜଧାନୀରେ ଏହା ତିନି ଅଙ୍କର ରହିଛି । ଏବେ ବି ଖୋରଧା ଜିଲ୍ଲାରେ ଦୁଇ ହଜାରରୁ ଅଧିକ ସକ୍ରିୟ ରୋଗୀ ରହିଛନ୍ତି । ଆଗକୁ ପାର୍ବଣ ସମେତ ବିବାହ ଋତୁ ଓ ଶୀତ ଆସୁଥିବାରୁ ସଂକ୍ରମଣ ବ୍ୟାପିବା ଭବରେ ବିଏମ୍‍ସି କର୍ତ୍ତୃପକ୍ଷ ସାମାଜିକ ଉତ୍ସବରେ କଟକଣାକୁ କଡାକଡି କରିଥିଲେ । ହେଲେ ଏହା ବିରୁଦ୍ଧରେ ହୋଇଥିବା ଆନ୍ଦୋଳନ କର୍ତ୍ତୃପକ୍ଷଙ୍କୁ ତାଙ୍କ ନିଷ୍ପତ୍ତି ବଦଳାଇବାକୁ ଏକ ପ୍ରକାର ବାଧ୍ୟ କରିଛି ।