Home Health ଆନ୍ଦୋଳନକୁ ଓହ୍ଲାଇବେ ନର୍ସ

ଆନ୍ଦୋଳନକୁ ଓହ୍ଲାଇବେ ନର୍ସ

ଭୁବନେଶ୍ୱର: ଚାକିରୀ ସର୍ତ୍ତାବଳୀ ନେଇ ଆନ୍ଦୋଳନକୁ ଓହ୍ଲାଇବେ ନର୍ସ । ବାରମ୍ବାର କର୍ତ୍ତୃପକ୍ଷଙ୍କୁ ଗୁହାରୀ କରି ନିରାଶ ହେବାପରେ ଏଭଳି ପଦକ୍ଷେପ ନେଇଥିବା ସୂଚନା ଦେଇଛି ଓଡିଶା ନର୍ସିଂ ଏମ୍ପ୍ଲଇଜ ଆସୋସିଏସନ । ତଦନୁଯାୟୀ ଚଳିତମାସ ୨୭ତାରିଖରୁ କଳାବ୍ୟାଚ୍‍ ପିନ୍ଧିବା ସହିତ ୨ ତାରିଖରୁ ସମସ୍ତ ଡାକ୍ତରଖାନାରେ ପ୍ରତିବାଦ କରିବେ । ତେବେ ରୋଗୀ ସେବାରେ କୌଣସି ଅବହେଳା ହେବନାହିଁ ବୋଲି ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ସାଧାରଣ ସମ୍ପାଦିକା ପ୍ରଭାତୀ ମହାନ୍ତି କହିଛନ୍ତି ଯେ ସ୍ୱାସ୍ଥ୍ୟସେବା ଭଳି ଏକ ଅତ୍ୟାବଶ୍ୟକ ସେବା ପ୍ରଦାନ କ୍ଷେତ୍ରରେ ନିଜକୁ ନିୟୋଜିତ କରିଥିବା ନର୍ସମାନେ •କିରୀ ଜନିତ କେତେକ ଅସଙ୍ଗତି ଯୋଗୁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।

ତେଣୁ ଏହାର ପ୍ରତିବାଦରେ ଆସନ୍ତା କାଲିଠାରୁ ୧ ତାରିଖ ପର୍ଯ୍ୟନ୍ତ ୬ ଦିନ ବ୍ୟାପୀ ରାଜ୍ୟର ସମସ୍ତ ନର୍ସିିଂ ସମାଜ କଳାବ୍ୟାଚ୍ ପରିଧାନ କରିବ । ସେହିପରି ଆସନ୍ତା ୨ ତାରିଖ ନୂଆବର୍ଷରୁ ୪ ତାରିଖ ପର୍ଯ୍ୟନ୍ତ ରୋଗୀ ସେବାରେ ଅବହେଳା ନକରି ରାଜ୍ୟର ସମସ୍ତ ମେଡ଼ିକାଲ କଲେଜ ଓ ଡ଼ାକ୍ତରଖାନା ସମ୍ମୁଖରେ ପ୍ରତିବାଦ ସ୍ୱରୂପ ଟୋକନ ଷ୍ଟ୍ରାଇକ୍ କରିବେ ।

ସଂଘ ପକ୍ଷରୁ ଦର୍ଶାଯାଇଛି ଯେ ନର୍ସମାନେ କରୋନାଠାୁ ଆରମ୍ଭ କରି ବନ୍ୟା, ବାତ୍ୟା ଆଦି ସମୟରେ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବା ଶୁଶ୍ରୁଷା କରିଥାନ୍ତି । ହେଲେ ସେମାନଙ୍କ ସମସ୍ୟା ସରକାର ବୁଝନ୍ତି ନାହିଁ । ମୂଳ ଦରମାର ସଂଶୋଧନ ଠାରୁ ଆରମ୍ଭ କରି ଠିକା ନିଯୁକ୍ତିକୁ ମିଶାଇ ୧୦ ବର୍ଷର ‘ଏମ୍ଏସିପି’ ପ୍ରଦାନ, ନର୍ସିଂ ସ୍କିମରେ •କିରୀ କରୁଥିବା ‘ଆରବିଏସକେ’ ଷ୍ଟାଫ ନର୍ସମାନଙ୍କୁ ସ୍ଥାୟୀ ନିଯୁକ୍ତି ସହ ଅନ୍ୟାନ୍ୟ ସୁବିଧା ପ୍ରଦାନ, ଓପିଏସ୍ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଠିକାଦାର ଭାବେ ନିଯୁକ୍ତି ପାଉଥିବା ନର୍ସସାମନଙ୍କୁ ଏଣିକି ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ଆଦି ଦାବି ନେଇ ଏହି ପ୍ରତିବାଦ ହେବ । ଏସବୁ ସତ୍ତେ୍ୱ ସରକାର ଯଦି ଆମ ସମସ୍ୟାର ସମାଧାନ ନକରନ୍ତି, ତାହେଲେ ପରବର୍ତ୍ତୀ ପଦକ୍ଷେପ ନେବାକୁ ବାଧ୍ୟ ହେବୁ ବୋଲି ଶ୍ରୀମତୀ ମହାନ୍ତି ଚେତାବନୀ ଦେଇଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଆସୋସିଏସନର ସଭାପତି ପ୍ରତିଭା ସାମନ୍ତରାୟ, କାର୍ଯ୍ୟନିର୍ବାହୀ ସଦସ୍ୟା ଲକ୍ଷ୍ମୀପ୍ରିୟା ଜେନା, ମାଳତି ତ୍ରିପାଠୀ, ପ୍ରେମଲତା ମିଶ୍ର, ଅଶ୍ୱିନୀ ଦାସ, ଶିବାନୀ ଦାସ, ବିଭୁ ପଟ୍ଟନାୟକ, ଏସସିବି, ଏମ୍କେସିଜି ବ୍ରହ୍ମପୁର, ବୁର୍ଲା, ଶିଶୁଭବନ ପ୍ରମୁଖ ଉପସ୍ଥିତ ଥିଲେ ।