Home General ଆଦିଶକ୍ତି ବା ମା’ ହେଉଛନ୍ତି ସର୍ବଶକ୍ତିମାନ

ଆଦିଶକ୍ତି ବା ମା’ ହେଉଛନ୍ତି ସର୍ବଶକ୍ତିମାନ

ଭୁବନେଶ୍ୱର : ଆମେ ସମେସ୍ତ ଆଦିଶକ୍ତିଙ୍କ ଗର୍ଭରୁ ଜାତ । ଏହି ଆଦିଶକ୍ତି ବା ମା’ ହେଉଛନ୍ତି ସର୍ବ ଶକ୍ତିମାନ । ଯୁଗେ ଯୁଗେ ମାତୃ ଉପାସନା ରହିଛି । ଯେଉଁଠି ମା’ ଅଛି ସେଠାରେ ଯୁଦ୍ଧ ନାହିଁ । ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓମେନ ଅର୍ଗାନାଇଜେସନ ଫର ସୋସିଆଲ ୱେଲଫାର (ୱସ୍ୱ) ପକ୍ଷରୁ ଆଜି ଜୟଦେବଭବନ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ମାତୃ ଦିବସ ଅବସରରେ ଭର୍ଚୁଆଲ ଜରିଆରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହା କହିଛନ୍ତି ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।

ରାଜ୍ୟପାଳ କହିଛନ୍ତି ଯେ ଓଡିଶାରେ ମାତୃଶକ୍ତିର ଉପାସନା ଅଧିକ ରହିଛି । ଏହାର ଏକ ଉଦାହରଣ ହେଉଛି ତିନି ଦିନ ବ୍ୟାପି ରଜୋତ୍ସବ । ମା’ଙ୍କୁ ସମ୍ମାନ ଦେବା ସହିତ କନ୍ୟା ସନ୍ତାନଙ୍କ ଉପରେ ମଧ୍ୟ ରାଜ୍ୟପାଳ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି । ମାତୃଜାତିକୁ ସମ୍ମାନ ପ୍ରଦର୍ଶନ ପାଇଁ ୱସ୍ୱ ପକ୍ଷରୁ ଆଜି ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଥିବାରୁ ଏହାର ସମ୍ପାଦିକା ଜ୍ୟୋସ୍ନା ଦାସଙ୍କୁ ରାଜ୍ୟପାଳ ପ୍ରଶଂସା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ଯୋଗଦେଇ ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ କହିଛନ୍ତି ଯେ ଭଗବାନଙ୍କୁ ଯଦି ସଶରୀରେ ଦେଖିବାର ଅଛି ତେବେ ନିଜ ମା’ଙ୍କୁ ଦେଖ । ଯିଏ ନିଜ ମା’ଙ୍କୁ ଭଗବାନ ଭାବି ପୂଜାକରେ ସିଏ ଆଗକୁ ବଢିଥାଏ । ମା’ ଚୀର ବନ୍ଦନୀୟ ଓ ପୂଜନୀୟା । ସମସ୍ତେ ମା’ର ଆର୍ଶୀବାଦ ନେଇପାରିଲେ ଏଠାର ରାମରାଜ୍ୟ ପ୍ରତିଷ୍ଠା ହୋଇପାରିବ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଇତିଶ୍ରୀ ଦିକ୍ଷୀତ ଅତିଥି ପରିଚୟ କରାଇଥିବାବେଳେ ୱସ୍ୱର ସମ୍ପାଦିକା ଶ୍ରୀମତୀ ଜ୍ୟୋସ୍ନା ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

ଅତ୍ୟତମ ସମ୍ମାନିତ ଅତିଥି ତଥା ରାଜ୍ୟ ବିଜ୍ଞାନ କାରିଗରୀ, ଭିନ୍ନକ୍ଷମ ସଶକ୍ତିକରଣ ଓ ସାମାଜିକ ନ୍ୟାୟ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ କହିଥିଲେ ଯେ ଭାରତୀୟ ସଂସ୍କୃତିରେ ମା’ଙ୍କର ସ୍ୱତନ୍ତ୍ର ସ୍ଥାନ ରହିଛି । ପୁରାଣରେ ଦେବୀ ପୂଜା ହେଉଛି ଏହାର ଏକ ଉଦାହରଣ । ଆଜି ମା’ ମାନଙ୍କୁ ସମ୍ମାନିତ ପାଇଁ ଆୟୋଜିତ କାର୍ଯ୍ୟକ୍ରମକୁ ସେ ପ୍ରଶଂସା କରିବା ସହିତ ଶ୍ରୀମନ୍ଦିରରେ ବିମଳା ଓ ରାଜଧାନୀରେ ଭୁବନେଶ୍ୱରୀଙ୍କୁ ଭୋଗ ଲାଗିପରେ ପ୍ରସାଦ କିଭଳି ମହାପ୍ରସାଦ ହୋଇଥାଏ ତାହା ଉଲ୍ଲେଖ କରିଥିଲେ ।

ଅନ୍ୟତମ ଅତିଥି ତଥା ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା କହିଥିଲେ ଯେ ମା’ ବିନା କୌଣସି ସୃଷ୍ଟିରେ ବଞ୍ଚି ରହିବା କଷ୍ଟକର । ମା’ ହେଉଛି ଏକବାତ୍ର ବ୍ୟକ୍ତି ଯିଏ ଘରେ ପିଲାଙ୍କ ଫେରିବା ବାଟକୁ ଚାହିଁ ରହିଥାଏ । ସମ୍ମାନିତ ଅତିଥି ଶ୍ରୀମତୀ ପ୍ରୀତି ରାୟ କହିଥିଲେ ଯେ ମା’ର କଷ୍ଟ କମ୍‍ ହେଲେ ରାଜ୍ୟରେ ଆଉ ଜରାଶ୍ରମର ଆବଶ୍ୟକ ପଡିବ ନାହିଁ । ଏହି ଅବସରରେ ୱସ୍ୱ ପକ୍ଷରୁ ପ୍ରସ୍ତୁତ ସ୍ମରଣିକା ‘ମୋ ମା’ ଉନ୍ମୋଚିତ ହୋଇଥିଲା ।

ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ୱସ୍ୱ ପକ୍ଷରୁ ଡକ୍ଟର କଳ୍ପନା ଦାସଙ୍କୁ ବସୁଧାମାତା ସମ୍ମାନରେ ସମ୍ମାନିତ କରାଯାଇଥିବାବେଳେ ଶ୍ରୀମତୀ ବସନ୍ତ କୁମାରୀ ନନ୍ଦ, ତାରାମଣି ମହାପାତ୍ର, ମାଣିକ୍ୟ ଦିଗାଲ, ପ୍ରତିମାରାଣୀ ମିଶ୍ର, ଅନାମିକା ଚୌଧୁରୀ ବାନାର୍ଜୀ, ଅନୁସ୍ୱେତା ସିଂହଦେଓ, ଭାରତୀ ପଣ୍ଡା, ନିରଜା ଲକ୍ଷ୍ମୀ ମହାପାତ୍ର, ମନୋଜିନି ବେହେରା ଓ ଶୈଳବାଳା ମିଶ୍ରଙ୍କୁ ଆଦର୍ଶମାତା ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ପ୍ରାରମ୍ଭରେ ଉଷାରାଣୀ ବେହେରା, ଇତିଶ୍ରୀ ଦିକ୍ଷିତ ପ୍ରମୁଖ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ । ମାତୃ ଦିବସ ଉପଲକ୍ଷେ ଆୟୋଜିତ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଇତିଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବାବେଳେ ସଞ୍ଜିବ କୁମାର ସାବତ, ଚିର ରଞ୍ଜନ ପଟ୍ଟନାୟକ, ପ୍ରଣତୀ ଦାସ, ଦୀପକ କୁମାର ମିଶ୍ର, ମମତା ମହାନ୍ତି, ଚନ୍ଦ୍ରକାନ୍ତ ଦାସ, ମହେଶ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here