Home Culture ଆଦିବାସୀ ମେଳା ଦେଖିବାକୁ ପଞ୍ଜିକରଣ ଜରୁରୀ

ଆଦିବାସୀ ମେଳା ଦେଖିବାକୁ ପଞ୍ଜିକରଣ ଜରୁରୀ

ଭୁବନେଶ୍ୱର : ଚଳିତବର୍ଷ ଆଦିବାସୀମେଳା ବୁଲି ଦେଖିବାପାଇଁ ଦର୍ଶକମାନଙ୍କୁ ନିଜର ପଞ୍ଜିକରଣ କରିବାକୁ ପଡିବ । ଏଥିପାଇଁ ଅନ୍‌ଲାଇନ୍‌ରେ ପଞ୍ଜିକରଣ କରିବେ କିମ୍ବା ମେଳା ଆୟୋଜନ ହେଉଥିବା ଆଦିବାସୀପଡିଆ ଫାଟକ ନିକଟରେ ଥିବା କିଓସ୍କରେ କରିପାରିବେ । ଯେଉଁମାନେ ପଞ୍ଜିକରଣ କରିବେ ନାହିଁ ସେମାନେ ମେଳା ପରିସରକୁ ଯାଇପାରିବେ ନାହିଁ । ସେମାନଙ୍କ ପାଇଁ ଭର୍ଚୁଆଲ ମୋଡ୍‌ରେ ମେଳା ଉପଭୋଗର ବ୍ୟବସ୍ଥା ହୋଇଛି ।

ଆଦିବାସୀ ମେଳା ୨୦୨୧ ଉପରେ ପ୍ରସ୍ତୁତି ପ୍ରସ୍ତୁତି ବୈଠକରୁ ଏହି ସୂଚନା ମିଳିଛି । ବୈଠକରେ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗର ନିର୍ଦ୍ଦେଶିକା (ଏସ୍‌ଟି) ଗୁହା ପୁନମ କୁମାର ଓ ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର ଡ. ଅଖିଳ ବିହାରୀ ଓତା ଯୋଗଦେଇ ମେଳା ଆୟୋଜନ ନିମନ୍ତେ ଗଠିତ ବିଭିନ୍ନ ଟିମ୍‌ର କାର୍ଯ୍ୟକଳାପ ସଂପର୍କରେ ଆଲୋଚନା କରିଥିଲେ ।

ଚଳିତ ବର୍ଷ ଜାନୁଆରୀ ୨୬ ତାରିଖଠାରୁ ୟୁନିଟ୍‌ ୧ସ୍ଥିତ ଆଦିବାସୀ ପଡ଼ିଆଠାରେ ବାର୍ଷିକ ଆଦିବାସୀ ମେଳା ଅନୁଷ୍ଠିତ ହେଉଛି । କୋଭିଡ୍‌ ପରିପ୍ରେକ୍ଷୀରେ ଏ ବର୍ଷ ଏହି ମେଳାକୁ ଭର୍ଚୁଆଲ୍‌ ଓ କ୍ଷେତ୍ରୀୟ ମୋଡ୍‌ରେ ଦେଖିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଦର୍ଶକମାନେ ଭିଡ଼କୁ ଏଡାଇବା ପାଇଁେ ୱବ୍‌ସାଇଟ୍‌ adivasimela2021.com ଯାଇ ରେଜିଷ୍ଟ୍ରେସନ୍‌ କରିପାରିବେ କିମ୍ବା ଭର୍ଚୁଆଲ୍‌ ମାଧ୍ୟମରେ ମେଳା ଦେଖିପାରିବେ ।

ଯେଉଁ ଦର୍ଶକମାନେ ଅନ୍‌ଲାଇନ୍‌ରେ ରେଜିଷ୍ଟ୍ରେସନ୍‌ କରିଛନ୍ତି ସେମାନେ ମୋବାଇଲ୍‌ରେ ପାଇଥିବା ବାର୍‌କୋଡ ଦେଖାଇ ମେଳା ପରିସରକୁ ପ୍ରବେଶ କରିବେ । ଯେଉଁମାନେ ଅନ୍‌ଲାଇନ୍‌ରେ ରେଜିଷ୍ଟ୍ରେସନ୍‌ କରିନଥିବେ ସେମାନେ ମେଳାର ଗେଟ୍‌ ନିକଟରେ ରେଜିଷ୍ଟ୍ରେସନ୍‌ କରି ମେଳା ପରିସରକୁ ପ୍ରବେଶ କରିବେ । ଦର୍ଶକମାନେ ଏକ ଘଣ୍ଟା ପାଇଁ ମେଳା ପରିସର ବୁଲି ପାରିବାର ବ୍ୟବସ୍ଥା ରହିଛି । ମେଳାରେ ପେଟିଏମ୍‌ ମାଧ୍ୟମରେ କ୍ୟାସ୍‌ଲେସ୍‌ ଟ୍ରାନ୍‌ଜାକ୍‌ସନ୍‌ର ବ୍ୟବସ୍ଥା କରାଯାଇଛି । ଦର୍ଶକମାନେ ଭର୍ଚୁଆଲ୍‌ ମାଧ୍ୟମରେ ସାମଗ୍ରୀ ମଧ୍ୟ କିଣିପାରିବେ ।

ଦର୍ଶକମାନେ ସନ୍ଧ୍ୟା ୬ଟାରୁ ୭ଟା ପର୍ଯ୍ୟନ୍ତ ଭର୍ଚୁଆଲ୍‌ ମୋଡ୍‌ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିପାରିବେ । ରାଜ୍ୟ ସରକାରଙ୍କ ୫-‘ଟି’ ପଦକ୍ଷେପ ସ୍ୱରୂପ ବିଭାଗ ପକ୍ଷରୁ ମେଳାରେ ଇ-ରେଜିଷ୍ଟ୍ରେସନ୍‌, ଇ ମାର୍କେଟିଂ, ଇ-କଲଚରାଲ୍‌ ପ୍ରୋଗ୍ରାମର ବ୍ୟବସ୍ଥା କରାଯାଇଛି ।