Home Education ଆଦିବାସୀ ବିଶ୍ୱବିଦ୍ୟାଳୟର ଆବଶ୍ୟକତା ରହିଛି

ଆଦିବାସୀ ବିଶ୍ୱବିଦ୍ୟାଳୟର ଆବଶ୍ୟକତା ରହିଛି

ଭୁବନେଶ୍ୱର : ଓଡିଶାରେ ଏକ କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟର ଆବଶ୍ୟକତା ରହିଛି । ଏହା ସପକ୍ଷରେ ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍‍, କୁଳପତି ଓ ପ୍ରଶାସକ ମତବ୍ୟକ୍ତ କରିଛନ୍ତି ।

ଜନସଂଖ୍ୟାର ପ୍ରାୟ ୨୩ପ୍ରତିଶତ ଓଡିଶାରେ ଅନୁସୂଚିତ ଜନଜାତି ବା ଆଦିବାସୀ ସମ୍ପ୍ରଦାୟର । ଅନ୍ୟୁନ ୧୪ଟି ଜିଲ୍ଲା ଆଦିବାସୀ ବହୁଳ । ଏ ଅଞ୍ଚଳରେ ଉଚ୍ଚଶିକ୍ଷାର ବିକାଶ ପାଇଁ କଲେଜମାନ ଖୋଲାଯାଇଥିଲେ ମଧ୍ୟ ବିଦ୍ୟାଳୟ ସ୍ତରରେ ଡ୍ରପଆଉଟ୍‍ ହାର ଆଦିବାସୀ ପିଲାଙ୍କ ମଧ୍ୟରେ ଢେର ଅଧିକ ରହୁଥିବାରୁ ଉଚ୍ଚଶିକ୍ଷା କ୍ଷେତ୍ରରେ ଆଦିବାସୀମାନଙ୍କର ସଂଖ୍ୟା ଆନୁପାତିକ ହାରରେ ଢେର କମ୍‍ ରହୁଛି ।

ସେମାନଙ୍କ ସାମାଜିକ, ସାଂସ୍କୃତିକ ଓ ଆର୍ଥିକ ବ୍ୟବସ୍ଥାକୁ ଆଖିଆଗରେ ରଖି ସ୍ୱତନ୍ତ୍ର ପାଠ୍ୟକ୍ରମ ସହ କେନ୍ଦ୍ରୀୟ ଆଦିବାସୀ ବିଦ୍ୟାଳୟ ସ୍ଥାପନ ଲାଗି ‘ଭୂମି ଦ ମଦର ଆର୍ଥ’ ପକ୍ଷରୁ ଆୟୋଜିତ ଓଡିଶାରେ କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ – ସୁଯୋଗ ଓ ସମ୍ଭାବନା ଶୀର୍ଷକ ଏକ ଜାତୀୟ ଆଲୋଚନାଚକ୍ରରେ ବିଶ୍ୱବିଦ୍ୟାଳୟ ସପକ୍ଷରେ ମତପ୍ରକାଶ ପାଇଛି ।

ଏହି ଆଲୋଚନାଚକ୍ରରେ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସ, ଝାଡଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର କ୍ଷିତୀଭୂଷଣ ଦାସ, ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କିଶୋର ବାସା, ସମ୍ବଲପୁର ସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଏନ୍‍.ନାଗାରାଜୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଆଦିବାସୀ ବିଶ୍ୱବିଦ୍ୟାଳୟ ସପକ୍ଷରେ ମତବ୍ୟକ୍ତ କରିଛନ୍ତି ।

ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏହି ଆଲୋଚନାଚକ୍ରକୁ ଉଦଘାଟନ କରି ବ୍ୟାପକ ଖଣି ଖନନ, ଜଙ୍ଗଲ ସଫେଇ ଓ ଆଦିବାସୀ ବହୁଳ ଅଞ୍ଚଳରେ ଇସ୍ପାତ କାରଖାନା ଭଳି ଶିଳ୍ପାନୁଷ୍ଠାନମାନ ସ୍ଥାପନ ସତ୍ୱେ ସ୍ୱାଧୀନତାର ୭୫ବର୍ଷରେ ବି ଆଦିବାସୀ ସମ୍ପ୍ରଦାୟର ସାମାଜିକ ଓ ଆର୍ଥିକ ବିକାଶ ଆଶାନୁରୂପ ହୋଇପାରି ନଥିବା ଘେନି କ୍ଷୋଭପ୍ରକାଶ କରିଛନ୍ତି । ବସ୍ତୁତଃ ବିକାଶ ନାମରେ ଚାଲିଥିବା ବିନାଶର ପ୍ରତିଯୋଗିତାରେ ଆଦିବାସୀମାନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଥିବା ପରିପ୍ରେକ୍ଷୀରେ ସମାଜର ଏହି ବୃହତ୍‍ ଅଂଶକୁ ବାଦ୍‍ ଦେଇ ସମୃଦ୍ଧ ଓଡିଶାର ପରିକଳ୍ପନା କରାଯାଇ ନପାରେ ବୋଲି ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ।

ପ୍ରଫେସର ଅଶୋକ ଦାଶ ବିଦ୍ୟାଳୟ ସ୍ତରରେ ଆଦିବାସୀ ପିଲାମାନଙ୍କ ଡ୍ରପଆଉଟ୍‍ ହାର ଉଦ୍‍ବେଗଜନକ ଭାବେ ଅଧିକ ରହୁଥିବା ପରିପ୍ରେକ୍ଷୀରେ ସ୍ୱତନ୍ତ୍ର ବିଶ୍ୱବିଦ୍ୟାଳୟ ମାଧ୍ୟମରେ ପ୍ରଥମ ଶ୍ରେଣୀରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ ସାମାଜିକ ଓ ସାଂସ୍କୃତିକ ଅନୁକୂଳ ଶିକ୍ଷା ପ୍ରଦାନ କରାଗଲେ ଅଧିକ ସଂଖ୍ୟକ ଆଦିବାସୀ ଏଥିରେ ଉପକୃତ ହୋଇପାରିବେ ବୋଲି କହିଛନ୍ତି ।

ଝାଡଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର କ୍ଷୀତିଭୂଷଣ ଦାସ ଏହି ଆଲୋଚନାଚକ୍ରରେ ମତପ୍ରକାଶ କରିଛନ୍ତି ଯେ ଓଡିଶା ଅପେକ୍ଷା ଢେର କମ୍‍ ଆଦିବାସୀ ରହୁଥିବା କେତେକ ରାଜ୍ୟରେ ଆଦିବାସୀ ବିଶ୍ୱବିଦ୍ୟାଳୟ ସ୍ଥାପିତ ହୋଇଥିବା ପରିପ୍ରେକ୍ଷୀରେ ଏଭଳି ବିଶ୍ୱବିଦ୍ୟାଳୟ ଓଡିଶାରେ ପ୍ରତିଷ୍ଠା କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏ ଦିଗ ପ୍ରତି ଦୃଷ୍ଟିଦେବା ଆବଶ୍ୟକ ।

ପ୍ରଫେସର କିଶୋର ବାସା, ପ୍ରଫେସର ଏନ୍‍.ନାଗାରାଜୁ, ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର କୁକାଧିପତି ଡକ୍ଟର ଦେବୀ ପ୍ରସାଦ ପଟ୍ଟନାୟକ, ଗବେଷକ ଡକ୍ଟର ଅନୀଲ ଧିର, ଅଧ୍ୟାପିକା ମେରି ବାଗେ, ଡକ୍ଟର ପ୍ରଭାସ ମିଶ୍ର, ଡକ୍ଟର ପରମାନନ୍ଦ ପଟେଲ, ଡକ୍ଟର ରୀନା ରାଉତରାୟ, ସତ୍ୟବ୍ରତ ପଣ୍ଡା, ମୁରଲୀ ମନୋହର ଶର୍ମା ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ଓଡିଶାରେ କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସପକ୍ଷରେ ମତ ରଖିଥିଲେ । (ତଥ୍ୟ)