Home General ଆଦିବାସୀ ଉତ୍ପାଦ ବିକ୍ରି ପାଇଁ ହେବ ସ୍ଥାୟୀ ବ୍ୟବସ୍ଥା

ଆଦିବାସୀ ଉତ୍ପାଦ ବିକ୍ରି ପାଇଁ ହେବ ସ୍ଥାୟୀ ବ୍ୟବସ୍ଥା

ଭୁବନେଶ୍ଵର : ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଛି ବାର୍ଷିକ ଆଦିବାସୀ ମେଳା-୨୦୨୪ । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଏହି ମେଳାକୁ ସାଧାରଣତନ୍ତ୍ର ଦିବସରେ ଉଦଘାଟନ କରିଛନ୍ତି । ରାଜ୍ୟର ବିଭିନ୍ନ ଅଞ୍ଚଳର ଆଦିବାସୀ ସଂସ୍କୃତି, ପରମ୍ପରା, ମାନବବିଜ୍ଞାନ ବର୍ଣ୍ଣନା ଓ ବିଭିନ୍ନ ସାମଗ୍ରୀ ଏହି ମେଳାରେ ପ୍ରଦର୍ଶିତ କରାଯାଇଛି ।

ଉଦଘାଟନୀ ଉତ୍ସବରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ କମିଶନର-ତଥା-ସଚିବ ରୂପା ରୋଶନ ସାହୁ, ଅନୁସୂଚିତ ଜନଜାତି ଓ ଜାତି ଗବେଷଣା ଏବଂ ତାଲିମ ସଂସ୍ଥାର ନିର୍ଦ୍ଦେଶକ ତଥା ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ (ଏଟିଏଲସି) ର ମେମ୍ବର ସେକ୍ରେଟାରୀ ଇନ୍ଦ୍ରମଣି ତ୍ରିପାଠୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଆଦିବାସୀ ପ୍ରତିଭାମାନଙ୍କୁ ‘ଆଦିବାସୀ ପ୍ରତିଭା ସମ୍ମାନ’ରେ ସମ୍ମାନିତ କରିବା ସହ ନଗଦ ୧୦ ହଜାର ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଥିଲା।

ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରି ମନ୍ତ୍ରୀ ଶ୍ରୀ ସାରକା କହିଥିଲେ ଯେ, ଆଦିବାସୀ ମେଳାରେ ଅଂଶଗ୍ରହଣକାରୀଙ୍କ ଦାବି ଅନୁଯାୟୀ ନିକଟ ଭବିଷ୍ୟତରେ ରାଜଧାନୀରେ ଆଦିବାସୀ ଉତ୍ପାଦିତ ଦ୍ରବ୍ୟ ଓ ହସ୍ତଶିଳ୍ପର ପ୍ରଭାବଶାଳୀ ବଜାର ସଂଯୋଗ ପାଇଁ ଏକ ସ୍ଥାୟୀ ସୁବିଧା ଯୋଜନା କରାଯିବ। ଏହା ଅଧିକରୁ ଅଧିକ ଆଦିବାସୀ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ସେମାନଙ୍କ ବ୍ୟବସାୟିକ ସମ୍ଭାବନାକୁ ଏକ ଭିନ୍ନ ସ୍ତରକୁ ନେବାରେ ସାହାଯ୍ୟ କରିବ ବୋଲି ମନ୍ତ୍ରୀ କହିଛନ୍ତି ।

୧୯୫୧ ମସିହାରେ ଓଡିଶାର ତତ୍କାଳୀନ ରାଜଧାନୀ କଟକରେ ଏହି ମେଳା ଆରମ୍ଭ ହୋଇଥିଲା । ୧୯୫୪ ମସିହାରେ ଏହି ବାର୍ଷିକ ଆଦିବାସୀ ମେଳା ଭୁବନେଶ୍ବରରେ ଅନୁଷ୍ଠିତ ହେବା ସହ ଏପର୍ଯ୍ୟନ୍ତ ୭୦ ବର୍ଷର ଯାତ୍ରା ଅତିକ୍ରମ କରିସାରିଛି ବୋଲି କହିଛନ୍ତି ବିଭାଗୀୟ କମିଶନର-ତଥା-ସଚିବ ରୂପା ରୋଶନ ସାହୁ । ଶ୍ରୀମତି ସାହୁ ଅଧିକ ସୁଚନା ଦେଇ କହିଥିଲେ ଯେ, ଫେବ୍ରୁଆରି ୩ ରୁ ୫ ତାରିଖ ମଧ୍ୟରେ ଭୁବନେଶ୍ବରରେ ହେବାକୁ ଥିବା ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଆଦିବାସୀ ମେଳା ପଡ଼ିଆରେ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟ ପକ୍ଷରୁ ବହୁଭାଷୀ ନାଟକ ମହୋତ୍ସବ ଆୟୋଜନ କରାଯିବ।

ଏହି ବହୁ ପ୍ରତୀକ୍ଷିତ ଆଦିବାସୀ ମେଳା ଫେବ୍ରୁଆରି ୫ ତାରିଖ ଯାଏ ଚାଲିବ ଏବଂ  ଏହା ଅପରାହ୍ନ ୨ଟା ୩୦ରୁ ରାତି ୯ଟା ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ। ଆଦିବାସୀ ମେଳାରେ କଳା ଓ ହସ୍ତଶିଳ୍ପ ପାଇଁ ୧୫ଟି, ଆଦିବାସୀ କୁଡ଼ିଆ ପାଇଁ ୧୦ଟି ଏବଂ ବିଭିନ୍ନ ସରକାରୀ ସହଯୋଗୀ ସଂସ୍ଥାର ୨୪ଟି ସହ ସମୁଦାୟ ୬୬ଟି ଷ୍ଟଲ ରହିଛି ।

ଆଦିବାସୀ ମେଳାରେ କନ୍ଧମାଳ ହଳଦୀ, ମାଣ୍ଡିଆ ସାମଗ୍ରୀ, ବିଭିନ୍ନ ଆଦିବାସୀ ଅଂଚଳରୁ ଲଘୁ ବନଜାତ ଦ୍ରବ୍ୟ ଓ ସୁନାବେଡାରୁ ଆସିଥିବା ସୁସ୍ବାଦୁ ଷ୍ଟ୍ରବେରୀ ଭଳି ଆଦିବାସୀ ଉତ୍ପାଦ କ୍ରେତାଙ୍କୁ ଅଧିକ ଆକୃଷ୍ଟ କରିଛି । ଗତବର୍ଷ ଆଦିବାସୀ ମେଳା ୫ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରିଥିବା ବେଳେ ଚଳିତ ବର୍ଷ ଏହା ଆହୁରି ଅଧିକ ହେବ ବୋଲି ଆୟୋଜକ ସୂଚନା ଦେଇଛନ୍ତି ।

୧୧ ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବରେ ସମନ୍ୱିତ ଆଦିବାସୀ ଉନ୍ନୟନ ଏଜେନ୍ସି (ଆଇଟିଡିଏ) ଏବଂ ମାଇକ୍ରୋ ପ୍ରୋଜେକ୍ଟ ଏଜେନ୍ସି (ଏମ୍ ପିଏ) ଜରିଆରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ୩୯ଟି ସାଂସ୍କୃତିକ ଦଳ ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀ (ପିଭିଟିଜି) ଅଂଶଗ୍ରହଣ କରିବେ।

ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ (ଏଟିଏଲସି) ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୨୨ଟି ଆଇଟିଡିଏ ଓ ୧୭ଟି ଏମପିଏ ଯୋଗ ଦେଇଛନ୍ତି । ଏଥିରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ସାଂସ୍କୃତିକ ସଂଘ ପକ୍ଷରୁ ଭଜନ ସନ୍ଧ୍ୟା ଓ ନାଟକ ଆୟୋଜନ କରାଯିବ।

ଆଇଟିଡିଏ ଏବଂ ଏମପିଏ ସହ ଜଡିତ ସ୍ୱୟଂ ସହାୟକ ଗୋଷ୍ଠୀମାନେ ମଧ୍ୟ ସେମାନଙ୍କ କଳା ଏବଂ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶନ କରୁଛନ୍ତି । ଡିଜିଟାଲ ପେମେଣ୍ଟ ବିକଳ୍ପ ମାଧ୍ୟମରେ ନଗଦ ବିହୀନ କାରବାର ସୁବିଧା ଉପଲବ୍ଧ କରାଯାଇଛି ଏବଂ ମେଳାରେ ପ୍ଲାଷ୍ଟିକ୍ ଏବଂ ପଲିଥିନ ବ୍ୟବହାରକୁ କଡ଼ାକଡ଼ି ଭାବେ ନିଷେଧ କରାଯାଇଛି।