Home Judiciary ଆତ୍ମହତ୍ୟା ପାଇଁ ଉସ୍‍କାଉଥିବା ବ୍ୟକ୍ତି ଖସି ଯାଉଛନ୍ତି

ଆତ୍ମହତ୍ୟା ପାଇଁ ଉସ୍‍କାଉଥିବା ବ୍ୟକ୍ତି ଖସି ଯାଉଛନ୍ତି

ଭୁବନେଶ୍ୱର : ହତ୍ୟାକାଣ୍ଡ ଭଳି ଆତ୍ମହତ୍ୟା ପାଇଁ ଉସ୍‍କାଇବା ଏକ ଧର୍ତ୍ତବ୍ୟ ଅପରାଧ । ଏହି ଅପରାଧ ଲାଗି ଭାରତୀୟ ପିଙ୍ଗଳ କୋଡ୍‍ରେ କଠୋର ଦଣ୍ଡବିଧାନ ବ୍ୟବସ୍ଥା ରହିଛି । କିନ୍ତୁ ଆଇନ୍‍ର କଡାକଡି ଅନୁପାଳନ କରାଯାଉନଥିବା ଏବଂ ଏ ସଂକ୍ରାନ୍ତୀୟ ମାମଲାଗୁଡିକର ବିଚାର ବିଳମ୍ବିତ ହେଉଥିବାରୁ ଆତ୍ମହତ୍ୟା ପାଇଁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତିମାନେ ସହଜରେ ଖସିଯାଉଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ଆର୍ନ୍ତଜାତିକ ଆତ୍ମହତ୍ୟା ନିରୋଧ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଓଡିଶା ବିଧାନସଭା ସମ୍ମୁଖରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଦୁଷ୍ମନ୍ତ ଦାସ ନାମକ ଜଣେ ବ୍ୟକ୍ତି ବିଷପାନ ସହ ଛୁରୀରେର ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଏବଂ ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି ।

ପୂର୍ବରୁ ବରଗଡ ଜିଲ୍ଲାରେ ଜଣେ ଚାଷୀ ବିଲ ମୁଣ୍ଡରେ ବିଷ ପିଇ ଆତ୍ମହତ୍ୟା କରୁଥିବାର ଭିଡିଓ ଭାଇରାଲ ହୋଇଥିଲା ଏବଂ ଏହା ସେତେବେଳେ ସାରା ଓଡିଶାରେ ଚହଳ ପକାଇଥିଲା । ଏବେ ଦୁଷ୍ମନ୍ତଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ରାଜନୀତି ବେଶ୍‍ ସରଗରମ ହୋଇଛି । ରାଜନୈତିକ ବିଶ୍ଳେଷକମାନେ ଏଭଳି ଅଭାବନୀୟ ଘଟଣାରେ ଶବ ରାଜନୀତି ଚାଲିବା ଦୁର୍ଭାଗ୍ୟଜନକ ବୋଲି କହୁଛନ୍ତି ।

ଆତ୍ମହତ୍ୟା କରିଥିବା ଦୁଷ୍ମନ୍ତ ଦୁଇ ବର୍ଷ ତଳେ ସଡକ ଦୁର୍ଘଟଣାରେ ଆହତ ହୋଇ କଟକ ବଡ ମେଡିକାଲରେ ଚିକିତ୍ସାଧିନ ଥିଲେ । ତିନି ମହଲାରେ ଥିବା ଅସି୍ଥଶଲ୍ୟ ବିଭାଗରେ ତାଙ୍କର ଚିକିତ୍ସା ଚାଲିଥିଲା ଏବଂ ଏକାକୀ ସେ ଚାଲିପାରୁନଥିଲେ । ଏଭଳି ଜଣେ ରୋଗୀ କିପରି ବଡ ମେଡିକାଲର ତିନି ମହଲାରୁ ତଳକୁ ଆସିଲେ ଏବଂ ସେଠାରୁ ବିଧାନସଭା ଆଗରେ ପହଞ୍ଚିବା ପୂର୍ବରୁ ବିଷ ସେବନ ସହ ଛୁରୀ କିଣି ହାତ କାଟିଲେ ତାହା ଏବେ ଚର୍ଚ୍ଚାର ବିଷୟ ।

ଏ ପ୍ରସଙ୍ଗରେ ଜଗତ୍‍ସିଂହପୁର ଜିଲ୍ଲାରେ ରୁଜୁ ହୋଇଥିବା ମାମଲା ଏବେ କଟକକୁ ସ୍ଥାନାନ୍ତରିତ ହୋଇଛି ଏବଂ ମଙ୍ଗଳାବାଗ ଥାନାର ଭାରପ୍ରାପ୍ତ ଅଧିକାରୀ ଘଟଣାର ତଦନ୍ତ ଚଳାଇଛନ୍ତି । ଦୁଷ୍ମନ୍ତଙ୍କୁ ଏସ୍‍ସିବିରୁ ଭୁବନେଶ୍ୱର ବିଧାନସଭା ପର୍ଯ୍ୟନ୍ତ ଆଣିବାରେ କେଉଁମାନେ ସହଯୋଗ କରିଥିଲେ ସେମାନଙ୍କ ଚିତ୍ର ସିସିଟିଭି ଫୁଟେଜରେ ନିଶ୍ଚୟ ଥିବ ଏବଂ ମୋବାଇଲ ଫୋନ୍‍ରେ ଏଥିଲାଗି ଯେଉଁମାନେ ତାଙ୍କ ସହ ଯୋଗାଯୋଗ କରିଥିଲେ କଲ ଡିଟେଲ୍ସରୁ ସେମାନଙ୍କ ସୂଚନା ସହଜରେ ମିଳିପାରିବ । ଏହି ଆଧାରରେ ଦୁଷ୍ମନ୍ତଙ୍କୁ ଆତ୍ମହତ୍ୟା ପାଇଁ ପ୍ରୋତ୍ସାହନ ଓ ସହଯୋଗ ଦେଇଥିବା ବ୍ୟକ୍ତିମାନଙ୍କୁ ଧରି ସେମାନଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ ଲାଗି ତତ୍ପରତା ପ୍ରକାଶ ପାଇଛି ।

ତେବେ କଟକ ବଡ ମେଡିକାଲରେ ରହି ଚିକିତ୍ସିତ ହେଉଥିବା ଦୁଷ୍ମନ୍ତଙ୍କ ଭଳି ଠିକଣା ଭାବେ ଚାଲିପାରୁନଥିବା ଜଣେ ରୋଗୀଙ୍କୁ ଭୁବନେଶ୍ୱର ଆସିବାପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ ଅନୁମତି ଦେଇଥିଲେ କି ନାହିଁ ଓ ଯଦି ଦେଇନଥିଲେ ତେବେ ଶଯ୍ୟାରେ ତାଙ୍କ ଦୀର୍ଘ ଅନୁପସ୍ଥିତ ବିଷୟରେ କର୍ତ୍ତୃପକ୍ଷ କାହିଁକି ନିରବ ରହିଲେ ତାହା ଅନ୍ୟଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଯନ୍ତ୍ରଣା ଯୋଗୁଁ ସ୍ୱେଚ୍ଛାମୃତ୍ୟୁ ବରଣ ଲାଗି ଦୁଷ୍ମନ୍ତ ପୂର୍ବରୁ ଆବେଦନ କରିଥିବା କଥା ମଧ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଏହା ଜାଣିବା ସତ୍ୱେ ତାଙ୍କର ନିରାପତ୍ତା ପାଇଁ କାହିଁକି ବ୍ୟବସ୍ଥା କରାଗଲା ନାହିଁ ଏବଂ ଡାକ୍ତରଖାନା ଶଯ୍ୟାରୁ ବିଧାନସଭା ପର୍ଯ୍ୟନ୍ତ ଆସିବାଲାଗି କିଭଳି ସୁଯୋଗ ସୃଷ୍ଟି କରାଗଲା ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବା ଆବଶ୍ୟକ । ମନସ୍ତତ୍ୱବିତ୍‍ମାନେ କହୁଛନ୍ତି ଯେ ଯେଉଁମାନଙ୍କର ଆତ୍ମହତ୍ୟା ପ୍ରବଣତା ରହୁଛି ସେମାନଙ୍କୁ କାଉନସେଲିଂ କରିବା ପରାଗଲେ ବହୁ ଜୀବନ ବଞ୍ଚି ଯାଆନ୍ତା । (ତଥ୍ୟ)