Home Health ଆଣ୍ଟିବାୟୋଟିକର କାରଣ ଦର୍ଶାଇବା ସହଜ ନୁହେଁ

ଆଣ୍ଟିବାୟୋଟିକର କାରଣ ଦର୍ଶାଇବା ସହଜ ନୁହେଁ

ଭୁବନେଶ୍ୱର : ଡାକ୍ତରମାନେ ରୋଗୀଙ୍କ ପାଇଁ ଲେଖୁଥିବା ଔଷଧ ଚିଠାରେ ଆଣ୍ଟି ବାୟୋଟିକ ଔଷଧ ଲେଖିଲେ ତାହାର କାରଣ ବିସ୍ତୃତଭାବେ ଉଲ୍ଲେଖ କରିବାପାଇଁ ଯେଉଁ ନିର୍ଦ୍ଦେଶନାମା ଜାରି ହୋଇଛି ତାହାର କାର୍ଯ୍ୟକାରିତା ଘେନି ବହୁ ଡାକ୍ତର ସନ୍ଦେହ ପ୍ରକାଶ କରିଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ଆଣ୍ଟିବାୟୋଟିକ୍‍ ଔଷଧର ଶରୀର ଉପରେ ଉଭୟ ଭଲ ଓ ମନ୍ଦ ପାଶ୍ୱର୍ ପ୍ରଭାବ ରହିଛି । ଏମିତିକି କେତେକ କ୍ଷେତ୍ରରେ ଆଣ୍ଟି ବାୟୋଟିକ ରୋଗୀ ବ୍ୟବହାର କରିବା ଏକ ପ୍ରକାର ଅପରିହାର୍ଯ୍ୟ ଥିବାବେଳେ ଆଉ କେତେକ ସ୍ଥଳରେ ଏହାର ବ୍ୟବହାର ଯୋଗୁଁ ଅନେକ ପାଶ୍ୱର୍ ପ୍ରତିକ୍ରିୟା ଘଟୁଛି । ଫଳରେ ଗୋଟିଏ ରୋଗର ଉପଶମ ପାଇଁ ଯାଇ ରୋଗୀଙ୍କୁ ବହୁ ଭୟଙ୍କର ରୋଗର ଶିକାର ହେବାକୁ ପଡୁଛି । ଏଭଳି ସମସ୍ୟାକୁ ଆଖିଆଗରେ ରଖି ଯେଉଁ ଡାକ୍ତରମାନେ ଚିଠା ଔଷଧରେ ଆଣ୍ଟିବାୟୋଟିକ ପାଇଁ ପରାମର୍ଶ ଦେବେ ସେମାନେ ତାହାର କାରଣ ସମ୍ପର୍କରେ ସୁନ୍ଦର ହସ୍ତାକ୍ଷରରେ ବିସ୍ତୃତ ଭାବେ ମଧ୍ୟ ଲେଖିବେ ବୋଲି କୁହାଯାଇଛି ।

ଡାକ୍ତରମାନଙ୍କୁ ଏଭଳି ନିର୍ଦ୍ଦେଶନାମା ଦିଆଯିବା ନୂଆକଥା ନୁହେଁ । ପୂର୍ବରୁ ଡାକ୍ତରମାନେ ଲେଖୁଥିବା ଔଷଧର ନାମ ଇଂରାଜୀ ବଡ ଅକ୍ଷରରେ ଗୋଲ ଗୋଲ କରି ସ୍ପଷ୍ଟଭାବେ ଦର୍ଶାଇବାକୁ କୁହାଯାଇଥିଲା । କେବଳ ସେତିକି ନୁହେଁ, ନିର୍ଦ୍ଦିଷ୍ଟ କମ୍ପାନୀର ଔଷଧ ନାଁ ନଲେଖି ଔଷଧ ଚିଠାରେ ସ୍ପଷ୍ଟଭାବେ ଏହାର ‘କମ୍ପୋଜିସନ’ ଦର୍ଶାଇବାକୁ ମଧ୍ୟ କୁହାଯାଇଥିଲା । ଖରାପ ହସ୍ତାକ୍ଷରରେ ଔଷଧ ଚିଠା ଲେଖାଯିବା ଫଳରେ କେତେକ ସ୍ଥଳରେ ଭୁଲ୍‍ ଔଷଧ ଆଣି ରୋଗୀ ଅସୁବିଧାର ସମ୍ମୁଖୀନ ହେବା ଘଟଣାର ବହୁ ନଜିର ରହିଛି । ଏହାଛଡା ନିର୍ଦ୍ଦିଷ୍ଟ କମ୍ପାନୀର ଔଷଧର ନାମ ଲେଖି କିଛି ଡାକ୍ତର ମଧ୍ୟ ସମ୍ପୃକ୍ତ କମ୍ପାନୀଙ୍କ ଠାରୁ ଫାଇଦା ନେଉଥିବା ଘେନି ବାରମ୍ବାର ଅଭିଯୋଗ ଆସିଛି ।

ଏହି ସମସ୍ୟାକୁ ଦୂର କରିବାପାଇଁ ନିର୍ଦ୍ଦିଷ୍ଟ କମ୍ପାନୀର ଔଷଧ ନାମ ପରିବର୍ତ୍ତେ କମ୍ପୋଜିସନ ଲେଖବା ସକାଶେ ଯେଉଁ ନିର୍ଦ୍ଦେଶନାମା ପୂର୍ବରୁ ଜାରି କରାଯାଇଥିଲା ତାହା ଏଯାବତ୍‍ କାର୍ଯ୍ୟକାରୀ ହୋଇନାହିଁ । ଏ କ୍ଷେତ୍ରରେ ଆଣ୍ଟି ବାୟୋଟିକ ଔଷଧ ଲେଖିଲେ ତାହାର କାରଣ ଦର୍ଶାଇବାପାଇଁ ଯେଉଁ ନୂଆ ନିର୍ଦ୍ଦେଶ ଦିଆଯାଇଛି ତାହା କେତେଦୂର କାର୍ଯ୍ୟକାରୀ ହେବ ସେ ସଂକ୍ରାନ୍ତରେ ସନ୍ଦେହ ସୃଷ୍ଟି ହେବା ସ୍ୱାଭାବିକ ।

ନିଜ ନାମ ଗୋପନ ରଖିବା ସର୍ତ୍ତରେ କେତେକ ଡାକ୍ତର କହିଛନ୍ତି ଯେ ସଂଖ୍ୟାଧିକ ଡାକ୍ତରଖାନାରେ ଯେତେ ରୋଗୀ ଭିଡ ହେଉଛି ସେ କ୍ଷେତ୍ରରେ ଯଦି ରୋଗୀଙ୍କୁ ପରୀକ୍ଷା ନିରୀକ୍ଷା କରିବାପରେ ଔଷଧ ଚିଠା ଇଂରାଜୀ ବଡ ଅକ୍ଷରରେ ଗୋଲ ଗୋଲ କରି ଲେଖିବା ସହିତ ଔଷଧର କମ୍ପୋଜିସନ ଏବଂ ଆଣ୍ଟିବାୟୋଟିକ ଦିଆଯିବାର କାରଣ ସଂକ୍ରାନ୍ତରେ ଲେଖିବସିଲେ ଚାରିଗୁଣାରୁ ଅଧିକ ସମୟ ଲାଗିବ । ଏହି ସମସ୍ୟାକୁ ଆଖିଆଗରେ ରଖି ଯଦି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀକୁ ୪ଗୁଣା କରାଯିବା ସହିତ ସମସ୍ତ ଡାକ୍ତର ପଦବୀ ପ୍ରାଥିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ମେଡିକାଲ କଲେଜ ପର୍ଯ୍ୟନ୍ତ ପୂରଣ କରାଯାଏ ଏବଂ ଔଷଧ ଚିଠା ପ୍ରସ୍ତୁତ କରିବାପାଇଁ ପ୍ରତି ସରକାରୀ ଡାକ୍ତରଙ୍କ ପାଖରେ କମ୍ପ୍ୟୁଟର ସହିତ ବୈଷୟିକ ଜ୍ଞାନସମ୍ପନ୍ନ ବ୍ୟକ୍ତିଙ୍କୁ ରଖାଯାଏ ତାହେଲେ ଏଭଳି ପ୍ରସ୍ତାବ ସହଜରେ କାର୍ଯ୍ୟକାରୀ ହୋଇପାରିବ ।

ଡାକ୍ତରମାନେ କହୁଛନ୍ତି ଯେ ସବୁ ରୋଗୀଙ୍କ ପାଇଁ ଆଣ୍ଟିବାୟୋଟିକ ସୁପାରିଶ୍‍ କରାଯାଇନଥାଏ । ନିହାତି ଆବଶ୍ୟକ ଥିଲେ ରୋଗୀଙ୍କ ଅବସ୍ଥାକୁ ଦେଖି ଆଣ୍ଟି ବାୟୋଟିକ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥାଏ । ଭିତ୍ତିଭୂମିକୁ ଅଧିକ ସୁଦୃଢ କରି ମାର୍ଗନିର୍ଦ୍ଦେଶିକା ଜାରି କରାଗଲେ ତାହା ଅନୁପାଳନ କରିବା ସହଜ ହେବ ବୋଲି ସେମାନେ କହୁଛନ୍ତି । (ତଥ୍ୟ)