Home Administration ଆଙ୍କାକ୍ଷୀ ଜିଲ୍ଲା ପାଇଁ ଅଧିକ ଅର୍ଥ ଦିଅ

ଆଙ୍କାକ୍ଷୀ ଜିଲ୍ଲା ପାଇଁ ଅଧିକ ଅର୍ଥ ଦିଅ

ଭୁବନେଶ୍ୱର : ଆଙ୍କାକ୍ଷୀ ଜିଲ୍ଲାଗୁଡିକୁ ଅନ୍ୟ ଉନ୍ନତ ଜିଲ୍ଲାଗୁଡିକ ସହ ସମକକ୍ଷ କରିବାପାଇଁ ପଛୁଆ ଅଞ୍ଚଳରେ ଥିବା ଏହି ଆଙ୍କାକ୍ଷୀ ଜିଲ୍ଲାର ବିକାଶଲାଗି କେନ୍ଦ୍ର ସରକାର ଅଧିକ ଆର୍ଥିକ ବ୍ୟବସ୍ଥା କରିବାପାଇଁ ଓଡିଶା ପ୍ରସ୍ତାବ ଦେଇଛି ।

ସିଭିଲ ସର୍ଭିସେସ୍‍ ଦିବସ’ ପାଳନ ଅବସରରେ ନୀତି ଆୟୋଗ ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ ଏକ ଜାତୀୟ ସ୍ତରର କର୍ମଶାଳାରେ ବିଭିନ୍ନ ରାଜ୍ୟର ବରିଷ୍ଠ ଅଧିକାରୀମାନେ ମତ ବିନିମୟ କରିବା ଅବସରରେ ଓଡିଶାକୁ ପ୍ରତିନିଧିତ୍ୱ କରୁଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଏହି କର୍ମଶାଳାରେ ଭାଗନେଇ ରାଜ୍ୟ ପକ୍ଷରୁ ଏଭଳି ପ୍ରସ୍ତାବ ଦେଇଛନ୍ତି ।

ଉନ୍ନୟନ କମିଶନର ନୀତି ଆୟୋଗ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କୁ ଦେଇଥିବା ପ୍ରସ୍ତାବରେ କହିଛନ୍ତି ଯେ ଆଙ୍କାକ୍ଷୀ ଜିଲ୍ଲାଗୁଡିକରେ ବିଭିନ୍ନ କାର୍ଯ୍ୟକ୍ରମ ରୂପାୟନ ପାଇଁ ଥିବା କେନ୍ଦ୍ରୀୟ ମାର୍ଗ ନିର୍ଦ୍ଦେଶିକାଗୁଡିକରେ ବ୍ୟାପକ ସଂସ୍କାର ଆବଶ୍ୟକ । କାର୍ଯ୍ୟକ୍ରମ ରୂପାୟନପାଇଁ ପଞ୍ଚାୟତିରାଜ ଓ ପୌରସଂସ୍ଥାଗୁଡିକର ସକ୍ରିୟ ସହଯୋଗ ଲାଗି ମଧ୍ୟ ସେ ପ୍ରସ୍ତାବ ରଖିଛନ୍ତି ।

ଆଙ୍କାକ୍ଷୀ ଜିଲ୍ଲାଗୁଡିକରେ କୃଷକମାନଙ୍କୁ ପ୍ରାଧାନ୍ୟ ଦେବା ସହ କୃଷି କ୍ଷେତ୍ରରେ କିଭଳି ଯୋଜନାବଦ୍ଧ ବିକାଶ ଘଟି ସ୍ଥାନୀୟ ଲୋକଙ୍କ ରୋଜଗାର ବଢିବା ସହ ସମ୍ପୃକ୍ତ ଅଞ୍ଚଳରେ ବିକାଶ କ୍ଷେତ୍ରରେ ପରିବର୍ତ୍ତନ ଆସିପାରିବ ସେ ସଂକ୍ରାନ୍ତରେ ମଧ୍ୟ ଓଡିଶାର ଉନ୍ନୟନ କମିଶନର କେତେକ ଗଠନମୂଳକ ପ୍ରସ୍ତାବ ଦେଇଥିବା ଜଣାପଡିଛି । ଏହାଛଡା ସ୍ୱାସ୍ଥ୍ୟସେବା, ଶିକ୍ଷା, ଦକ୍ଷତା ବିକାଶ, କର୍ମନିଯୁକ୍ତି, ବାଣିଜ୍ୟ ବ୍ୟବସାୟ ଓ କ୍ଷୁଦ୍ରଶିଳ୍ପ ଆଦିଗୁଡିକ କ୍ଷେତ୍ରରେ ଆଙ୍କାକ୍ଷୀ ଜିଲ୍ଲାରେ ମଧ୍ୟ ଅଧିକ ଧ୍ୟାନ ଦେବାଲାଗି ସେ କହିଛନ୍ତି ।

ଜିଲ୍ଲା ଖଣିଜ ପାଣ୍ଠିର ଆଶାନୁରୂପ ବିନିଯୋଗ ପାଇଁ ମଧ୍ୟ ସ୍ୱତନ୍ତ୍ର ଅନୁଦାନ ବ୍ୟବସ୍ଥା ଲାଗି ସେ ମତ ରଖିଛନ୍ତି । ଏହାଛଡା ଆଙ୍କାକ୍ଷୀ ଜିଲ୍ଲାଗୁଡିକର ଅନେକ ଛୋଟ ଛୋଟ ପଡା ଗାଁ ବଣଜଙ୍ଗଲ ଓ ପାହାଡ ପର୍ବତରେ ଏବେ ବି ରହିଯାଇଥିବାରୁ ସେଠାକୁ ଗମନାଗମନ କ୍ଷେତ୍ରରେ ସମସ୍ୟା ରହୁଥିବାରୁ ଏହାର ଦୂରୀକରଣ ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବାକୁ ଓଡିଶାର ଉନ୍ନୟନ କମିଶନର ମତ ରଖିଛନ୍ତି ।

ଏହାଛଡା ଆଙ୍କାକ୍ଷୀ ଜିଲ୍ଲାଗୁଡିକର ପଛୁଆ ଅଞ୍ଚଳରେ ପ୍ରତି ପଞ୍ଚାୟତରେ ବ୍ୟାଙ୍କ୍‍ସେବା ସହ ଲୋକଙ୍କ ହାତ ପାଆନ୍ତାରେ ଯେଭଳି ଏଟିଏମ୍‍ ସେବା ମିଳିପାରିବ ତାହାକୁ ଆଖିଆଗୋର ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ୍‍ ତ୍ୱରିତ କାର୍ଯ୍ୟାନୁଷ୍ଠାନ କରିବାକୁ ମଧ୍ୟ ସେ ମତ ଦେଇଛନ୍ତି । ଓଡିଶାର ଉନ୍ନୟନ କମିଶନର ତାଙ୍କ ବକ୍ତବ୍ୟରେ ପୁଣି ଉଲ୍ଲେଖ କରିଛନ୍ତି ଯେ ଆଙ୍କାକ୍ଷୀ ଜିଲ୍ଲାଗୁଡିକରେ ଯେଭଳି ପ୍ରଭାରୀ ଅଧିକାରୀ ନିଯୁକ୍ତି କରାଯାଉଛି ସେ କ୍ଷେତ୍ରରେ ମଧ୍ୟ ବ୍ୟାପକ ସଂସ୍କାର ଲୋଡା ।

ଅଭିଜ୍ଞ ଓ ଲୋକାଭିମୁଖୀ ସକରାତ୍ମକ ଅଧିକାରୀମାନଙ୍କୁ ପ୍ରଭାରୀ ଅଧିକାରୀ ଭାବେ ନିଯୁକ୍ତି ଦିଆଯିବା ସହ ଏମାନେ ଯେଭଳି ଆଙ୍କାକ୍ଷୀ ଜିଲ୍ଲାଗୁଡିକର ଜିଲ୍ଲାପାଳମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ରୂପାୟନ କ୍ଷେତ୍ରରେ ଠିକଣା ସହଯୋଗ ଦେବେ ସେ ଦିଗ ପ୍ରତି ଧ୍ୟାନ ଦିଆଯିବା ଆବଶ୍ୟକ । ବୈଷୟିକ ଜ୍ଞାନକୌଶଳ ଏ କ୍ଷେତ୍ରରେ ପ୍ରୟୋଗ ଉପରେ ମଧ୍ୟ ଓଡିଶା ଗୁରୁତ୍ୱଆରୋପ କରିବା ସହ ଆଙ୍କାକ୍ଷୀ ଜିଲ୍ଲାଗୁଡିକରେ ନିରବଚ୍ଛିନ୍ନ ଇଣ୍ଟରନେଟ୍‍ ସେବା ପାଇଁ ପ୍ରସ୍ତାବ ରହିଛି ।

ଓଡିଶାର ନୂଆପଡା, ରାୟଗଡା, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ମାଲକାନଗିରି, ବଲାଙ୍ଗିର, ଢେଙ୍କାନାଳ ଓ କୋରାପୁଟ, ଗଜପତି ଭଳି ୧୦ଟି ଜିଲ୍ଲାକୁ କେନ୍ଦ୍ର ସରକାର ଆଙ୍କାକ୍ଷୀ ଜିଲ୍ଲା ଭାବେ ଘୋଷଣା କରିଛନ୍ତି । ଏହି ଜିଲ୍ଲାଗୁଡିକରେ ଶିକ୍ଷା, ପାନୀୟଜଳ ଯୋଗାଣ, ବିଦ୍ୟୁତ୍‍, ସ୍ୱାସ୍ଥ୍ୟସେବା ତଥା ମହିଳା ଓ ଶିଶୁ କଲ୍ୟାଣ କ୍ଷେତ୍ରରେ ଓଡିଶାରେ ଗ୍ରହଣ କରାଯାଇଥିବା ବ୍ୟାପକ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଶ୍ରୀ ଜେନା ଏହି ଜାତୀୟ କର୍ମଶାଳାରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ । (ତଥ୍ୟ)