Home Agriculture ଆଖୁ ଚାଷ ପାଇଁ ଆଗ୍ରହ କମୁଛି

ଆଖୁ ଚାଷ ପାଇଁ ଆଗ୍ରହ କମୁଛି

ଭୁବନେଶ୍ୱର : ଆଖୁ ଚାଷ ପାଇଁ ଓଡିଶାରେ ଚାଷୀଙ୍କ ଆଗ୍ରହ କମୁଛି । ଫଳରେ ବର୍ଷକୁ ବର୍ଷ ଆଖୁ ଚାଷୀଙ୍କ ସଂଖ୍ୟା କମିବା ସଂଗେ ସଂଗେ ଆଖୁଚାଷ ହେଉଥିବା ଜମି ଓ ଆଖୁ ଉତ୍ପାଦନ ମଧ୍ୟ ହ୍ରାସ ପାଉଛି ।

ଓଡିଶାରେ ଲୋକଙ୍କର ଚିନି ଚାହିଦା ବଢିବାରେ ଲାଗିଥିବାବେଳେ ରାଜ୍ୟରେ ଚିନି ଉତ୍ପାଦନ ଉଦ୍‍ବେଗଜନକ ଭାବେ କମିଛି । ସରକାରୀ ତଥ୍ୟ ମୁତାବକ ଓଡିଶା ପାଇଁ ବାର୍ଷିକ ୩ଲକ୍ଷ ମେଟ୍ରିକ ଟନ୍‍ରୁ ଅଧିକ ଚିନି ଆବଶ୍ୟକ ପଡୁଥିବାବେଳେ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଚିନିକଳ ବନ୍ଦହୋଇ ଯାଉଥିବାରୁ ବାହାରେ ଉତ୍ପାଦିତ ଚିନି ଉପରେ ଆମକୁ ଅଧିକରୁ ଅଧିକ ନିର୍ଭର କରିବାକୁ ପଡୁଛି ।

ନୟାଗଡ, ବଡମ୍ବା, ବରଗଡ, ବଲାଙ୍ଗିରର ତୋରା ଆଦି ଚିନି କାରଖାନା ବନ୍ଦ ହୋଇ ଯାଇଥିବାବେଳେ ଆସ୍କା ଚିନି କାରଖାନାର ସ୍ଥିତି ଗଭୀର କୋମାରେ । ତେବେ ବେସରକାରୀ ଉଦ୍ୟମରେ ଢେଙ୍କାନାଳରେ ପ୍ରତିଷ୍ଠିତ ଚିନି କାରଖାନାଟି କୌଣସି ପ୍ରକାରେ ଚାଲିଛି । ଚିନି କାରଖାନା ସବୁ ବନ୍ଦହୋଇ ଯିବା ଫଳରେ ଆଖୁ ବିକ୍ରି ସମସ୍ୟା ଓ ଆଖୁଚାଷ ପାଇଁ ପ୍ରୋତ୍ସାହନ ଅଭାବ ଯୋଗୁଁ ଏଭଳି ସ୍ଥିତି ଉପୁଜୁଛି । ନବରଙ୍ଗପୁର, କୋରାପୁଟ ଆଦି ଜିଲ୍ଲାରେ ଭଲ ଆଖୁ ଉତ୍ପାଦନ ପାଇଁ ଅନୁକୂଳ ପରିବେଶ ଥିବା ସତ୍ୱେ ଚାଷୀମାନେ ଆଉ ଆଖୁଚାଷ କରିବାକୁ ବିଶେଷ ପସନ୍ଦ କରୁନାହାନ୍ତି ।

ସରକାରୀ ତଥ୍ୟ ମୁତାବକ ୧୯୭୦-୭୧ ବର୍ଷରେ ରାଜ୍ୟରେ ପ୍ରାୟ ୩୦ହଜାର ହେକ୍ଟର ଜମିରେ ପାଖାପାଖି ୧୭ଲକ୍ଷ ମେଟ୍ରିକ ଟନ୍‍ ଆଖୁ ଉତ୍ପାଦିତ ହେଉଥିବାବେଳେ ୧୯୦୮୦-୮୧ବର୍ଷ ବେଳକୁ ଆଖୁଚାଷ ପରିମାଣ ୪୯ହଜାର ହେକ୍ଟରକୁ ବୃଦ୍ଧି ପାଇ ଉତ୍ପାଦନ ପାଖାପାଖି ୩୧ଲକ୍ଷ ମେଟ୍ରିକ ଟନ୍‍ରେ ପହଞ୍ଚିଥିଲା । ୧୯୮୩-୮୪ ବର୍ଷରେ ଓଡିଶାରେ ରେକର୍ଡ ପରିମାଣର ୫୭ହଜାର ହେକ୍ଟର ଜମିରେ ପାଖାପାତ୍କ ୩୬ଲକ୍ଷ ମେଟ୍ରିକ ଟନ୍‍ ଆଖୁ ଉତ୍ପାଦିତ ହୋଇଥିବାବେଳେ ଚିନି ଶିଳ୍ପର ଦୁର୍ଗତି ଯୋଗୁଁ ୨୦୦୦-୦୧ ବର୍ଷ ବେଳକୁ ଓଡିଶାରେ ଆଖୁଚାଷ ହେଉଥିବା ଜମିର ପରିମାଣ ପ୍ରାୟ ୩୧ହଜାର ହେକ୍ଟରକୁ ହ୍ରାସ ପାଇଥିଲା । ଏହି ବର୍ଷରେ ମାତ୍ର ୨୧ଲକ୍ଷ ମେଟ୍ରିକ ଟନ୍‍ ଆଖୁ ଉତ୍ପାଦିତ ହୋଇଥିଲା ।

୨୦୧୮-୧୯ ବର୍ଷରେ ଓଡିଶାରେ ୨୫ହଜାରରୁ ହେକ୍ଟରରୁ କମ୍‍ ଜମିରେ ପ୍ରାୟ ୧୮ଲକ୍ଷ ମେଟ୍ରିକ ଟନ୍‍ ଆଖୁ ଉତ୍ପାଦିତ ହୋଇଥିବା ସ୍ଥଳେ ୨୦୧୯-୨୦ ବର୍ଷରେ ୧୯ହଜାର ହେକ୍ଟରରୁ କମ୍‍ ଜମିରେ ପ୍ରାୟ ୧୪ଲକ୍ଷ ମେଟ୍ରିକ ଟନ୍‍ ଆଖୁ ଉତ୍ପାଦିତ ହୋଇଥିଲା ।

ରାଜ୍ୟ ସରକାର ଆଖୁ ଭଳି ଏକ ଅର୍ଥକରୀ ଫସଲ ମାଧ୍ୟମରେ ଚାଷୀମାନଙ୍କ ଆୟ ବୃଦ୍ଧି ସହ ରାଜ୍ୟକୁ ଚିନି ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବି କରିବାପାଇଁ ସମବାୟ ଭିତ୍ତିରେ ଅନେକଗୁଡିଏ ଚିନିକଳ ପ୍ରତିଷ୍ଠା କରିଥିଲେ । ବ୍ରିଟିଶ ସରକାର ସମୟରୁ ପ୍ରାୟ ୨୦୦ବର୍ଷ ତଳେ ଆସିକାରେ ଚିନିକଳ ସ୍ଥାପିତ ହୋଇଥିଲା । ଚିନିକଳଗୁଡିକ ପକ୍ଷରୁ ଚାଷୀମାନଙ୍କୁ ଉନ୍ନତ କିସମର ଆଖୁ ବିହନ ସମେତ ସାର ଓ ଅନ୍ୟାନ୍ୟ ପ୍ରୋତ୍ସାହନ ଯୋଗାଇ ଦିଆଯିବା ସଂଗେ ସଂଗେ ଚାଷୀମାନଙ୍କ ଠାରୁ ଆଖୁ ସଂଗ୍ରହ କରି କାରଖାନାରେ ଚିନି ଉତ୍ପାଦନ କରାଯାଉଥିଲା ।

ଏଥିଯୋଗୁଁ ଚାଷୀମାନେ ଅଧିକ ଲାଭ ପାଇବା ଆଶାରେ ଆଖୁଚାଷ ଉପରେ ଗୁରୁତ୍ୱ ଦେଉଥିଲେ । କିନ୍ତୁ ଚିନିକଳଗୁଡିକ ଗୋଟିଏ ପରେ ଗୋଟିଏ ବନ୍ଦ ହୋଇଯିବା ଫଳରେ ଉତ୍ପାଦିତ ଆଖୁ ବିକ୍ରି ମୁଖ୍ୟ ସମସ୍ୟା ହେବାରୁ କ୍ରମାଗତ କ୍ଷତି ସହିବା ଫଳରେ ଚାଷୀମାନେ ଆଖୁଚାଷ ପାଇଁ ଅଧିକ ଆଗ୍ରହ ପ୍ରକାଶ କରୁନାହାନ୍ତି । ପୂର୍ବରୁ ଗାଁ ଗହଳରେ ଆଖୁ ପେଡି ଗୁଡ ଉତ୍ପାଦନ କରି ଚାଷୀମାନେ ବିଶେଷ ଲାଭବାନ ହେଉଥିବାବେଳେ ଚିନିକଳ ସ୍ଥାପନ ପରେ ସମ୍ପୃକ୍ତ ଅଞ୍ଚଳରେ ଗୁଡ ଉତ୍ପାଦନ ଉପରେ ପ୍ରତିବନ୍ଧକ ଲଗାଯିବାରୁ ଏବେ ଗୁଡ ପାଇଁ ବି ଆମକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here