Home Covid ଆଉ ୪୦ ଜୀବନ ନେଲା କରୋନା

ଆଉ ୪୦ ଜୀବନ ନେଲା କରୋନା

ଭୁବନେଶ୍ୱର : କରୋନାରେ ରାଜ୍ୟରେ ଆଉ ୪୦ଜଣ ପ୍ରାଣ ହରାଇଛନ୍ତି । ଏମାନଙ୍କୁ ମିଶାଇ ମୋଟ୍‍ ମୃତ୍ୟୁସଂଖ୍ୟା ୩୫୯୦ରେ ପହଞ୍ଚି ଥିବାବେଳେ ନୂଆ ତାଲିକାରେ କଟକ ଓ ବରଗଡରୁ ସର୍ବାଧିକ ୫ଜଣ କରି ରହିଛନ୍ତି ।

ଅନ୍ୟ ଜିଲ୍ଲାଗୁଡିକ ମଧ୍ୟରେ କୋରାପୁଟ, ମୟୁରଭଞ୍ଜ ଓ ରାୟଗଡାରୁ ୪ଜଣ କରି ମୃତ୍ୟୁବରଣ କରିଥିବାବେଳେ ଖୋରଧା, ଝାରସୁଗୁଡା ଓ ଗଞ୍ଜାମରୁ ୩ଜଣ କରି, ବଲାଙ୍ଗିର,ପୁରୀ ଓ ସୁନ୍ଦରଗଡରୁ ୨ଜଣ କରି ମରିଥିବାବେଳେ ନୟାଗଡ, ମାଲକାନଗିରି ଓ ଅନୁଗୁଳରେ ଜଣେ କରି ପ୍ରାଣ ହରାଇଛନ୍ତି ।

ରାଜ୍ୟରେ କରୋନା ସଂକ୍ରମଣ ସାଢେ ତିନି ହଜାର ଆଖପାଖରେ ରହୁଥିବାବେଳେ ମୃତ୍ୟୁସଂଖ୍ୟା ଅଧିକାଂଶ ଦିନ ୪୦ କିମ୍ବା ଏହାଠାରୁ ଅଧିକ ରହୁଛି । ଖୋରଧା ଜିଲ୍ଲା ଆଜି ସୁଦ୍ଧା ୫୬୮ଟି ମୃତ୍ୟୁ ସହିତ ତାଲିକାର ପ୍ରଥମ ସ୍ଥାନରେ ରହିଥିବାବେଳେ ସୁନ୍ଦରଗଡରେ ୩୨୮ ଓ ଗଞ୍ଜାମରେ ୩୧୨ଜଣ ମୃତ୍ୟୁବରଣ କରିଛନ୍ତି ।

ସେହିଭଳି ଆଜି ରାଜ୍ୟରେ ଆଉ ୩୫୭୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଖୋରଧାରୁ ସର୍ବାଧିକ ୫୭୧ଜଣ ଚିହ୍ନଟ ହୋଇଥିବାବେଳେ କଟକରୁ ୪୦୭, ଯାଜପୁରରୁ ୩୩୭, ପୁରୀରୁ ୨୩୭, ବାଲେଶ୍ୱରରୁ ୨୦୫, ଭଦ୍ରକରୁ ୧୮୬, କେନ୍ଦ୍ରାପଡାରୁ ୧୪୧, ଅନୁଗୁଳରୁ ୧୨୭, ନୟାଗଡରେୁ ୧୧୪ ଓ ଜଗତ୍‍ସିଂହପୁରରୁ ୧୦୩ଜଣ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୮,୩୫,୧୩୨ରେ ପହଞ୍ଚିଛି ।

ଅନ୍ୟ ସମସ୍ତ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଦୁଇ ଅଙ୍କରେ ସୀମିତ ଥିବାବେଳେ ସବୁଠାରୁ କମ୍‍ ୧୨ଜଣ ଦେବଗଡ ଜିଲ୍ଲାରୁ ଚିହ୍ନଟହୋଇଛନ୍ତି । ଝାରସୁଗୁଡାରୁ ୧୩, ନୂଆପଡାରୁ ୧୯, ଗଞ୍ଜାମରୁ ୨୭, ଗଜପତି ଓ ସୋନପୁରରୁ ୨୯ କରି ଓ ସମ୍ବଲପୁରରୁ ୩୧ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସଂକ୍ରମିତଙ୍କ ତୁଳନାରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ଅଧିକ ରହୁଥିବାରୁ ରାଜ୍ୟରେ ସଂକ୍ରିୟ ରୋଗୀଙ୍କ ସଂଖ୍ୟା ୩୮,୭୨୭ରେ ପହଞ୍ଚିଛି । ସେହିଭଳି ରାଜ୍ୟରେ ଆଜି ସୁଦ୍ଧା ୧,୩୦,୯୫,୧୧୯ ଟି କରୋନା ନମୂନା ପରୀକ୍ଷା ହୋଇଥିବାବେଳେ ଏଥି ମଧ୍ୟରୁ ୬.୭୧ ପ୍ରତିଶତ ପଜିଟିଭ ଚିହ୍ନଟ ହୋଇଛନ୍ତି ।