Home General ଆଉ ୨୩ ପୌରସଂସ୍ଥାରେ ମୁକ୍ତା ସଫ୍ଟ

ଆଉ ୨୩ ପୌରସଂସ୍ଥାରେ ମୁକ୍ତା ସଫ୍ଟ

ଭୁବନେଶ୍ୱର : ମୁକ୍ତା ସଫ୍ଟ ଆପ୍ଲିକେଶନ ରାଜ୍ୟର ଦୁଇଟି ପୌରାଞ୍ଚଳରେ ସଫଳ ହେବାପରେ ଏହାକୁ ଆଉ ୨୩ଟି ପୌରସଂସ୍ଥାରେ କାର୍ଯ୍ୟକାରୀ କରାଯିବ । ଗୃହ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ସାରଦା ପ୍ରସାଦ ପଣ୍ଡା ଏହି ମର୍ମରେ ସମ୍ପୃକ୍ତ ପୌରସଂସ୍ଥାଗୁଡିକୁ ପତ୍ର ଲେଖିଛନ୍ତି ।

ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା)ର କାର୍ଯ୍ୟକାରୀତାକୁ ଅଧିକ ସ୍ୱଚ୍ଛ ଓ ସମୟାନୁବର୍ତ୍ତିତା କରିବାପାଇଁ ମୁକ୍ତା ସଫ୍ଟ ଆପ୍ଲିକେଶନ କାର୍ଯ୍ୟକାରୀ ହେଉଛି । ଏହାକୁ ପରୀକ୍ଷାମୂଳକ ଭାବେ ପ୍ରଥମେ ଢେଙ୍କାନାଳ ଓ ଜଟଣୀ ପୌରସଂସ୍ଥାରେ କାର୍ଯ୍ୟକାରୀ ହୋଇଥିଲା । ଏଠାରେ ଆପ୍ଲିକେଶନ ସଫଳ ହେବାପରେ ଏବେ ଆଉ ୨୩ଟି ପୌରସଂସ୍ଥାରେ କାର୍ଯ୍ୟକାରୀ ପାଇଁ ସ୍ଥିର ହୋଇଛି ।

ଏହିସବୁ ପୌରସଂସ୍ଥାଗୁଡିକ ମଧ୍ୟରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁର ମହାନଗର ନିଗମ ସହିତ ପୁରୀ, ବାରିପଦା, କୋଟପାଡ, ଜୟପୁର, କେନ୍ଦୁଝର, କେସିଙ୍ଗା, ଝାରସୁଗୁଡା, ଯାଜପୁର, ପାରାଦୀପ୍‍, ଛତ୍ରପୁର, ହିଞ୍ଜିଳିକାଟୁ, ଆଠଗଡ, ପଦ୍ମପୁର, ବଲାଙ୍ଗିର, ଫୁଲବାଣୀ, ବୌଦଗଡ, ଭଦ୍ରକ ଏବଂ ବାଲେଶ୍ୱର ପୌରସଂସ୍ଥା ଅର୍ନ୍ତଭୁକ୍ତ ।

ମୁକ୍ତା ସଫ୍ଟ ଆପ୍ଲିକେଶନ ଦ୍ୱାରା ଏହି ଯୋଜନାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ଦେୟ ତୁରନ୍ତ ପଇଠ କରାଯାଇ ପାରୁଛି । ଉଲ୍ଲେଖନୀୟ ଯେ ସହରାଞ୍ଚଳର ଲୋକଙ୍କ ହାତକୁ କାମ ଯୋଗାଇ ଦେବାପାଇଁ ରାଜ୍ୟ ସରକାର ମୁକ୍ତା ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ ଏଥିରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଏବଂ ବସ୍ତି ବିକାଶ ସଂଗଠନ ଗୁଡିକୁ ଅଗ୍ରାଧିକାର ପ୍ରଦାନ କରାଯାଉଛି । ତେଣୁ ସେମାନେ ପ୍ରକଳ୍ପ କାର୍ଯ୍ୟ ସାରିବାପରେ ତୁରନ୍ତ କିଭଳି ପ୍ରାପ୍ୟ ପାଇପାରିବେ ତାହା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ।

ଚଳିତ ଆର୍ଥିକ ବର୍ଷ ମଝିରେ ବିଶେଷକରି ନଭେମ୍ବର ୨୦ତାରିଖ ସୁଦ୍ଧା କାର୍ଯ୍ୟକାରୀ ହୋଇଥିବା ମୁକ୍ତା ପ୍ରକଳ୍ପର ସବିଶେଷ ବିବରଣୀ ମୁକ୍ତା ସଫ୍ଟ ଆପ୍ଲିକେଶନରେ ଅପଲୋଡ କରିବାପାଇଁ କୁହାଯାଇଛି । ବିଶେଷକରି ଯେଉଁସବୁ ପ୍ରକଳ୍ପ ମଞ୍ଜୁର ହୋଇଛି ଓ କାର୍ଯ୍ୟ ଆରମ୍ଭ ହୋଇନାହିଁ ଏବଂ ଚଳିତ ସପ୍ତାହ ସୁଦ୍ଧା ଯେଉଁସବୁ ପ୍ରକଳ୍ପ କାର୍ଯ୍ୟକାରୀ ହୋଇସାରିଛି ଏବଂ ପ୍ରାପ୍ୟ ପ୍ରଦାନ ହୋଇନାହିଁ ସେଗୁଡିକୁ ଅପଲୋଡ୍‍ ପାଇଁ କୁହାଯାଇଛି । ଏହା ବ୍ୟତିତ ପ୍ରକଳ୍ପର ଆର୍ଥିକ କାରବାର ମଧ୍ୟ ଏଥିରେ ଅପଲୋଡ୍‍ କରିବାକୁ କୁହାଯାଇଛି । ଏହାଦ୍ୱାରା ପ୍ରକଳ୍ପକୁ ଠିକଣା ସମୟରେ ମନଟରିଂ, ମୂଲ୍ୟାୟନ ସହିତ ପାଣ୍ଠି ଯୋଗାଇ ଦିଆଯାଇ ପାରିବ ।

ମୁକ୍ତା ସଫ୍ଟ ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ ପାଇଁ ସମ୍ପୃକ୍ତ ୨୩ଟି ପୌରସଂସ୍ଥାର ସିଟି ମିଶନ ମ୍ୟାନେଜରମାନେ ନୋଡାଲ ଅଫିସର ଭାବେ କାର୍ଯ୍ୟ କରିବେ ଏବଂ ସୁଡା ଦପ୍ତରରେ ଥିବା ‘ହେଲ୍ପ ଡେସ୍କ’ ଦୈନିକ ଭିତ୍ତିରେ ପ୍ରକଳ୍ପ କାର୍ଯ୍ୟର ମନିଟରିଂ କରିବ । ତେବେ ଡିସେମ୍ବର ୧୦ତାରିଖ ସୁଦ୍ଧା ସମସ୍ତ ବୈଧ ପ୍ରକଳ୍ପ ଏବଂ ୨୦ତାରିଖ ସୁଦ୍ଧା ଏହିସବୁ ପ୍ରକଳ୍ପର ୬୦ ପ୍ରତିଶତ ଆକଳନ ମୁକ୍ତା ସଫ୍ଟରେ ଅପଲୋଡ୍‍ କରିବାପାଇଁ ସ୍ପଷ୍ଟ ଭାବେ କୁହାଯାଇଛି । (ତଥ୍ୟ)