Home Judiciary ଆଉ ଦୁଇ ବିଚାରପତି ପଦବୀ ଖାଲି ହେବ

ଆଉ ଦୁଇ ବିଚାରପତି ପଦବୀ ଖାଲି ହେବ

ଭୁବନେଶ୍ୱର : ଚଳିତ ମାସରେ ଓଡିଶାର ହାଇକୋର୍ଟର ଜଣେ ବିଚାରପତି ଅବସର ଗ୍ରହଣ କରିଥିବାବେଳେ ଜୁଲାଇ ମାସରେ ଆଉଜଣେ ବିଚାରପତି ଅବସରଗ୍ରହଣ କରିବାକୁ ଯାଉଛନ୍ତି । ଫଳରେ ଓଡିଶା ହାଇକୋର୍ଟର ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀ ସଂଖ୍ୟା ୨୭ଥିବାବେଳେ ଆସନ୍ତାମାସ ବେଳକୁ ଖାଲି ପଦବୀ ସଂଖ୍ୟା ୧୪ରେ ପହଞ୍ଚିଯିବ ।

ଗୋଟିଏ ପଟେ ହାଇକୋର୍ଟରେ ମାମଲା ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଅନ୍ୟପଟେ ଅଧାରୁ ଅଧିକ ବିଚାରପତି ପଦବୀ ଖାଲି ସମସ୍ୟାକୁ ଗୁରୁତର କରୁଛି । ଏଣେ କରୋନା ପରିପ୍ରେକ୍ଷୀରେ ନିୟମିତ କୋର୍ଟ ବସିପାରୁନଥିବାବେଳେ ସୀମିତ ସଂଖ୍ୟକ ବିଚାରପତିଙ୍କୁ ନେଇ ଭର୍ଚୁଆଲ ମୋଡରେ ବିଚାର ଚାଲୁଛି । ଏପଟେ କରୋନା କଲବଲ କରୁଥିବାବେଳେ ଅନ୍ୟପଟେ ପର୍ଯ୍ୟାପ୍ତ ସଂଖ୍ୟକ ବିଚାରପତି ନଥିବାରୁ ନ୍ୟାୟ ପ୍ରତୀକ୍ଷାରେ ଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଓଡିଶା ହାଇକୋର୍ଟରେ ଏବେ ପ୍ରାୟ ଏକ ଲକ୍ଷ ୭୫ହଜାର ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ସେଥିରୁ ୫୦ହଜାରରୁ ଅଧିକ ହେଉଛି ଅପରାଧିକ ମାମଲା । ମାମଲାର ବୋଝ ଦୃଷ୍ଟିରୁ ଓଡିଶା ହାଇକୋର୍ଟ ପାଇଁ ଅନ୍ୟୁନ ୪୨ଜଣ ବିଚାରପତିଙ୍କ ଆବଶ୍ୟକତା ରହିଛି ବୋଲି ବରିଷ୍ଠ ଆଇନ୍‍ଜୀବୀମାନେ ମତବ୍ୟକ୍ତ କରୁଥିବାବେଳେ ମାତ୍ର ୧୩ଜଣ ବିଚାରପତି ସମସ୍ତ ମାମଲାର ଚାପ ବହନ କରିବା ଅସମ୍ଭବପର ମନେ ହେଉଛି ।

ଏହା ସତ୍ୱେ ବି ମୁଖ୍ୟ ବିଚାରପତିଙ୍କ ସମେତ ଅନ୍ୟ ବିଚାରପତିମାନେ ପାରୁ ପର୍ଯ୍ୟନ୍ତ ଚେଷ୍ଟାକରି ଧ୍ୟୌର୍ଯ୍ୟର ମାମଲା ପରିଚାଳନା କରୁଛନ୍ତି । କିନ୍ତୁ ତୁରନ୍ତ ହାଇକୋର୍ଟର ଖାଲିଥିବା ୧୪ଟି ଯାକ ବିଚାରପତି ପଦବୀ ପୂରଣ କରାନଗଲେ ବିଚାର ପ୍ରକ୍ରିୟା ଅଧିକ ବିଳମ୍ବିତ ହେବ ବୋଲି ଉଭୟ ନ୍ୟାୟ ପ୍ରତ୍ୟାଷୀ ଓ ଆଇନ୍‍ଜୀବୀମାନେ ମତବ୍ୟକ୍ତ କରୁଛନ୍ତି ।

ଏବେ ହାଇକୋର୍ଟରେ ରୁଜୁ ହେଉଥିବା ନୂଆ ମାମଲାରୁ ଅନେକ ଆଡମିଶନ ସ୍ତରରେ ଫଏସଲା ହୋଇଯାଉଛି । କିନ୍ତୁ ଯେଉଁଗୁଡିକରେ ଉଭୟ ପକ୍ଷର ଶୁଣାରି କରି ରାୟ ଦିଆଯିବା ଆବଶ୍ୟକ ସେଗୁଡିକର ଫଏସଲା ବିଳମ୍ବିତ ହେଉଛି । ପୁରୁଣା ମାମଲା ବର୍ଷ ବର୍ଷ ଗଡୁଥିବାବେଳେ ଏ ପରିପ୍ରେକ୍ଷୀରେ ତାହା ଉପରେ ଗୁରୁତ୍ୱଆରୋପ କରି ନୂଆ ମାମଲାଗୁଡିକର ଶୁଣାଣି ସ୍ୱାଭାବିକଭାବେ ଗଡି ଚାଲୁଥିବା ଆଇନ୍‍ଜୀବୀମାନେ କହୁଛନ୍ତି ।

ହାଇକୋର୍ଟରେ ବିଚାରପତି ପଦବୀ ଖାଲି ସମସ୍ୟା ସହ ମାମଲା ବୃଦ୍ଧିର ଚାପ ଯୋଗୁଁ ସମସ୍ୟା ଲାଗି ରହିଥିବାବେଳେ ଓଡିଶା ସରକାର ରାଜ୍ୟ ପ୍ରଶାସନିକ ନ୍ୟାୟାଧିକରଣକୁ ଉଚ୍ଛେଦ କରିଛନ୍ତି । ସ୍ୟାଟରେ ପ୍ରାୟ ୭୦ହଜାର ମାମଲା ପଡିରହିଛି ଓ ଏଗୁଡିକ ହାଇକୋର୍ଟକୁ ବିଚାରପାଇଁ ଆସିବ । ସ୍ୟାଟରେ ୬ଜଣ ବିଚାରପତି ମାମଲା ଫଏସଲା କରୁଥିବାବେଳେ ହାଇକୋର୍ଟରେ କିନ୍ତୁ ଅନୁରୂପ ସଂଖ୍ୟକ ବିଚାରପତିଙ୍କୁ ନେଇ ସର୍ଭିସ ବେଞ୍ଚ ଗଠନ କରିବା ବର୍ତ୍ତମାନ ପରିପ୍ରେକ୍ଷୀରେ ସମ୍ଭବପର ନୁହେଁ । ଏଣୁ ଯେଉଁମାନେ ହାଇକୋର୍ଟରେ ଚାକିରି ସଂକ୍ରାନ୍ତୀୟ ମାମଲା ରୁଜୁ କରିଛନ୍ତି ସେମାନଙ୍କ ଚୂଡାନ୍ତ ନିଷ୍ପତ୍ତି ହେବା ବେଳକୁ କେତେ ସମୟ ଲାଗିବ ତାହାର ଉତ୍ତର କୌଣସି ଆଇନ୍‍ଜୀବୀ ଦେଇପାରୁ ନାହାନ୍ତି ।

କୋରାପୁଟ ଜିଲ୍ଲାର ଜଣେ ଯୁବକ ଦୁଇବର୍ଷ ଧରି ଚାକିରି ସଂକ୍ରାନ୍ତୀୟ ଏକ ମାମଲାରେ ହାଇକୋର୍ଟ ଦଉଡୁଛନ୍ତି । ପ୍ରତିପକ୍ଷ ଜବାବ ଦାଖଲ କରିସାରିଲେ ମଧ୍ୟ ପୁରୁଣା ମାମଲା ଅଗ୍ରାଧିକାର ପାଉଥିବାରୁ ତାଙ୍କମାମଲା ଶୁଣାଣି ପାଇଁ ଆସିପାରୁ ନାହିଁ । ବାରମ୍ବାର କୋରାପୁଟରୁ ଖର୍ଚ୍ଚାନ୍ତ ହୋଇ କଟକ ଦଉଡି ଏହି ଭିନ୍ନକ୍ଷମ ଯୁବକ ଜଣଙ୍କ ହତାଶ ହୋଇପଡିଲେଣି ।

କରୋନା କାଳରେ ତାଙ୍କ ଅବିଭକ୍ତ ପରିବାରରୁ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏବେ ମା’ଙ୍କର ଅସ୍ତ୍ରୋପଚାର ହୋଇଛି । ବାପା ଜଣେ ଅବସରପ୍ରାପ୍ତ ଶିକ୍ଷକ । ଏହି ଯୁବକ ଜଣଙ୍କ କହିଛନ୍ତି ଯେ ଓଏଏସ୍‍ ପରୀକ୍ଷାରେ ସେ ୧୩୬୫ ନମ୍ବର ରଖିଥିବାବେଳେ ତାଙ୍କୁ ନିଯୁକ୍ତି ନଦେଇ ୧୦୬୫ ନମ୍ବର ରଖିଥିବା ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇଛି ଓ ଏହା ଆଇନ୍‍ ସମ୍ମତ ନୁହେଁ ବୋଲି ସରକାର କହୁଥିଲେ ମଧ୍ୟ ମାମଲା ହାଇକୋର୍ଟରେ ଥିବାରୁ କେହି ତାଙ୍କ ତୁଃଖ ବୁଝୁ ନାହାନ୍ତି । (ତଥ୍ୟ)