Home Finance ଆଉ ଦୁଇ ଜିଲ୍ଲାରେ ଡିଜିଟାଲ ବ୍ୟାଙ୍କିଙ୍ଗ୍‍

ଆଉ ଦୁଇ ଜିଲ୍ଲାରେ ଡିଜିଟାଲ ବ୍ୟାଙ୍କିଙ୍ଗ୍‍

ଭୁବନେଶ୍ୱର : ଡିଜିଟାଲ ବ୍ୟାଙ୍କିଙ୍ଗ୍‍ ବ୍ୟବସ୍ଥାରେ ଏବେ ଆଉ ଦୁଇଟି ଜିଲ୍ଲା ସାମିଲ ହେବେ । ଗଞ୍ଜାମ ଓ ସମ୍ବଲପୁର ଜିଲ୍ଲାକୁ ଏହି ନୂତନ ବ୍ୟବସ୍ଥାରେ ସମ୍ମିଳିତ କରିବାପାଇଁ ସ୍ଥିର ହୋଇଛି ।

ପୂର୍ବରୁ କଟକ ଓ ବଲାଙ୍ଗିର ଜିଲ୍ଲାକୁ ଡିଜିଟାଲ ବ୍ୟାଙ୍କିଙ୍ଗ୍‍ ବ୍ୟବସ୍ଥାରେ ଅର୍ନ୍ତଭୁକ୍ତ କରାଯାଇଥିଲା । ଏହି ଦୁଇ ଜିଲ୍ଲାରେ ଅଗ୍ରଗତି ବେଶ୍‍ ସନ୍ତୋଷଜନକ ଥିବା ଦୃଷ୍ଟିରୁ ଅଗ୍ରଣୀ ଜିଲ୍ଲା ଭାବରେ ଗଞ୍ଜାମ ଓ ସମ୍ବଲପୁରକୁ ଏଥିରେ ସାମିଲ ପାଇଁ ସ୍ଥିର ହୋଇଛି । କେନ୍ଦ୍ର ସରକାର ବ୍ୟାଙ୍କ୍‍ ବ୍ୟବସ୍ଥାର ସମ୍ପ୍ରସାରଣ ଉପରେ ଗୁରୁତ୍ୱ ଦେଇ ଲୋକଙ୍କ ନିକଟରେ ଏହି ସେବାକୁ ପହଞ୍ଚାଇବାପାଇଁ ପଦକ୍ଷେପ ନେଉଥିବା ଦୃଷ୍ଟିରୁ କେବଳ ଡିଜିଟାଲ ବ୍ୟାଙ୍କିଙ୍ଗ୍‍ ଜରିଆରେ ଏହା ସମ୍ଭବପର ହୋଇପାରିବ ବୋଲି ଜଣାପଡିବା ପରେ ଅଧିକରୁ ଅଧିକ ଅଞ୍ଚଳ ଏଥିରେ ସାମିଲ କରାଯାଉଛି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ କଟକ ଜିଲ୍ଲାରେ ଡିଜିଟାଲ ବ୍ୟାଙ୍କିଙ୍ଗ୍‍ ବ୍ୟବସ୍ଥା ଜରିଆରେ ୯୮.୭୭ପ୍ରତିଶତ ବ୍ୟକ୍ତିଙ୍କର ସଞ୍ଚୟ ଜମାଖାତା ଖୋଲାଯାଇ ପାରିଥିଲା । ସେହିଭଳି ବ୍ୟବସାୟିକ ଜମାଖାତା ୯୮.୪୭ ପ୍ରତିଶତ ଖୋଲିବାପାଇଁ କର୍ତ୍ତୃପକ୍ଷ ସକ୍ଷମ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲାରେ ୯୯.୯୯ ପ୍ରତିଶତ ଲୋକଙ୍କର ସଞ୍ଚୟଖାତା ଖୋଲାଯାଇ ପାରିବ । ବ୍ୟବସାୟିକ ଖାତା ୯୯.୭୬ ପ୍ରତିଶତ ଲୋକଙ୍କର ଖୋଲାଯାଇଛି ।

ଭାରତୀୟ ରିଜର୍ଭ ବ୍ୟାଙ୍କ୍‍ ଡିଜିଟାଲ ବ୍ୟାଙ୍କିଂ ବ୍ୟବସ୍ଥାର ସମୀକ୍ଷା କରିବାପରେ ଏ କ୍ଷେତ୍ରରେ ସନ୍ତୋଷ ପ୍ରକାଶ କରି ଆଉ ଦୁଇଟି ଜିଲ୍ଲାକୁ ସାମିଲ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିବା ଜଣାଯାଇଛି । ରାଜ୍ୟ ସରକାର ଏ କ୍ଷେତ୍ରରେ ବ୍ୟାଙ୍କ୍‍ କର୍ତ୍ତୃପକ୍ଷଙ୍କୁ ସହଯୋଗର ହାତ ବଢାଇଛନ୍ତି ।

ଗଞ୍ଜାମରେ ୟୁନିୟନ ବ୍ୟାଙ୍କ୍‍ ଅଫ୍‍ ଇଣ୍ଡିଆ ଓ ସମ୍ବଲପୁରରେ ପଞ୍ଜାବ ନେସନାଲ ବ୍ୟାଙ୍କ୍‍ ଏହି ଦାୟିତ୍ୱ ସମ୍ଭାଳିବେ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ରାଜ୍ୟ ସରକାର ଅଧିକ ସଂଖ୍ୟାରେ ବ୍ୟାଙ୍କ୍‍ ଶାଖା ଖୋଲିବାପାଇଁ ଯେତେ ଗୁରୁତ୍ୱଆରୋପ କରୁଥିଲେ ମଧ୍ୟ ତାହାକୁ ବ୍ୟବସାୟିକ ବ୍ୟାଙ୍କ୍‍ମାନେ ଶୁଣୁନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ ଜିଲ୍ଲାକୁ ଡିଜିଟାଲ ବ୍ୟାଙ୍କିଙ୍ଗ୍‍ ବ୍ୟବସ୍ଥାରେ ସାମିଲ କରିବାପାଇଁ କର୍ତ୍ତୃପକ୍ଷ ଗୁରୁତ୍ୱଆରୋପ କରୁଛନ୍ତି ।

ତେବେ ଏ କ୍ଷେତ୍ରରେ ଦୁର୍ବଳ ଇଣ୍ଟରନେଟ୍‍ ବ୍ୟବସ୍ଥା ଅନ୍ତରାୟ ସୃଷ୍ଟି କରୁଛି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ଅଧିକାଂଶ ଅଞ୍ଚଳରେ ଇଣ୍ଟରନେଟ୍‍ ସଂଯୋଗ ଅତ୍ୟନ୍ତ ଦୁର୍ବଳ ରହିଛି । ଏଥିରେ ଉନ୍ନତିବିଧାନ କରିବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର କେନ୍ଦ୍ରୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।

ତେବେ ଅଧିକ ସହରାଞ୍ଚଳ ଥିବା ଜିଲ୍ଲାମାନଙ୍କରେ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଉପରେ କର୍ତ୍ତୃପକ୍ଷ ଦୃଷ୍ଟି ଦେଉଥିବାବେଳେ ଇଣ୍ଟରନେଟ୍‍ ବ୍ୟବସ୍ଥାରେ ସୁଧାର ଆଣିବାପାଇଁ ଭାରତ ନେଟ୍‍ ଯୋଜନାକୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାରଙ୍କ ତରଫରୁ କେନ୍ଦ୍ରକୁ କୁହାଯାଇଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here