Home Agriculture ଆଇ ସ୍କାନ ବିଳମ୍ବ ଯୋଗୁଁ ମିଳୁନି ଧାନ ବିକ୍ରି ଟଙ୍କା

ଆଇ ସ୍କାନ ବିଳମ୍ବ ଯୋଗୁଁ ମିଳୁନି ଧାନ ବିକ୍ରି ଟଙ୍କା

ଭୁବନେଶ୍ୱର : ସରକାରଙ୍କୁ ବିକ୍ରି କରୁଥିବା ଧାନର ଅର୍ଥ ପାଇବାପାଇଁ ଚାଷୀଙ୍କର ‘ଆଇ ସ୍କାନ’ ଜରୁରୀ ହୋଇଛି । ହେଲେ ଏହି ‘ଆଇ ସ୍କାନ୍‍’ ଏବେ କେତେକ ସ୍ଥାନରେ ଚାଷୀଙ୍କ ପାଇଁ ସମସ୍ୟା ହେଲାଣି । ଧାନ ଖରିଦ କରୁଥିବା ସମବାୟ ସମିତିଗୁଡିକ ଆଇ ସ୍କାନ କରିବାପାଇଁ ସମୟ ଗଡାଉଥିବାରୁ ଠିକଣା ସମୟରେ ଚାଷୀ ସେମାନଙ୍କର ଧାନ ବିକ୍ରି ବାବଦ ଅର୍ଥ ପାଇପାରୁ ନାହାନ୍ତି ।

ଚାଷୀମାନଙ୍କର ଏଭଳି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅଞ୍ଚଳରୁ । ଏହି ଅଞ୍ଚଳରେ ଥିବା କେତେକ ସମବାୟ ସମିତିରେ ଧାନ ଦେଉଥିବା ଚାଷୀମାନେ କହିଛନ୍ତି ଯେ ଧାନ ଦେବା ପରେ ପରେ ଆଇ ସ୍କାନ୍‍ କରିବା ବଦଳରେ ଏଥିପାଇଁ ସମିତି କର୍ତ୍ତୃପକ୍ଷ ସମୟ ଗଡାଇ ଚାଲୁଛନ୍ତି । ଅବସ୍ଥା ଏଭଳି ହୋଇଛି ଯେ ଟାର୍ଗେଟ ସରିଯାଇଥିବା ଦର୍ଶାଇ ଚାଷୀଙ୍କୁ ବର୍ଷକ ପରେ ପ୍ରାପ୍ୟ ଦିଆଯାଉଛି ।

ଉଲ୍ଲେଖନୀୟ ଭୂତ ଚାଷୀଙ୍କୁ ଧାନ ଦେବାରୁ ରୋକିବାପାଇଁ ସରକାର ଚାଷୀଙ୍କ ପଞ୍ଜିକୃତ ନମ୍ବର ସହିତ ଆଧାର ଓ ବ୍ୟାଙ୍କ୍‍ଖାତାକୁ ସଂଯୋଗ କରିଛନ୍ତି । ତେଣୁ ଧାନ ଦେବା ସମୟରେ ଚାଷୀ ଜଣଙ୍କ ଅସଲ କି ନକଲି ଜାଣିବାପାଇଁ ‘ଆଇ ସ୍କାନ୍‍’ କରାଯାଉଛି । ଯଦି ସ୍କାନ ପରେ ଚାଷୀ ଅସଲି ବୋଲି ଜଣାପଡୁଛି ତେବେ ଧାନ ଦେବାର ୭୨ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ଅର୍ଥ ଆସିଯାଉଛି ।

ହେଲେ ଡେଲାଙ୍ଗ ଅଞ୍ଚଳର କେତେକ ସମବାୟ ସମିତିରେ ଏହି ‘ଆଇ ସ୍କାନ୍‍’ ହିଁ ଅଡୁଆ ସ୍ଥିତି ସୃଷ୍ଟି କରୁଛି । ଧାନ ଦେବାପରେ ଆଇ ସ୍କାନିଂ ପାଇଁ ଆଜି ଆସ, କାଲି ଆସ କହି ବିଳମ୍ବ ହେଉଛି । ଫଳରେ ସରକାରଙ୍କ ଯୋଜନା ମୁତାବକ ଚାଷୀମାନେ ଆଉ ଠିକଣା ସମୟରେ ସେମାନଙ୍କର ପ୍ରାପ୍ୟ ପାଇପାରୁ ନାହାନ୍ତି । ଜଣେ ଜଣେ ଚାଷୀଙ୍କର ଧାନ ବିକ୍ରି କରିବାର ସପ୍ତାହକ ପରେ ଆଇ ସ୍କାନ ହେଉଥିବା ଅଭିଯୋଗ ଆସୁଛି ।

ଚାଷୀମାନଙ୍କର କହିବା କଥା ଯେ ଚଳିତବର୍ଷ ଧାନ ଖରିଦ ସମୟରେ ସେମାନଙ୍କ ଠାରୁ କଟ୍‍ନି ଛଟ୍‍ନି ବାବଦରେ ଗୋଟିଏ କୁଇଣ୍ଟାଲରେ ୧୦ ପର୍ଯ୍ୟନ୍ତ ନିଆଯାଉଛି । କେତେକ ସ୍ଥଳରେ ଚାଷୀମାନେ ନିଜ ଆଡୁ ଧାନ ନେଇ ମିଲ୍‍ରେ ଦେଉଛନ୍ତି । ଏତେ ସବୁ ସତ୍ୱେ ବି ‘ଆଇ ସ୍କାନ୍‍’ ରେ ବିଳମ୍ବ ଯୋଗୁଁ ସେମାନଙ୍କ ପ୍ରାପ୍ୟ ମିଳିପାରୁ ନାହିଁ ।

ସେହିଭଳି ଗାଁ ଗହଳର ଚାଷୀ ସରକାରଙ୍କ ଟାର୍ଗେଟ ସଂକ୍ରାନ୍ତରେ ସେତେଟା ସଚେତନ ନଥିବା ଯୋଗୁଁ ସେମାନଙ୍କୁ ବାରମ୍ବାର ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ନିଜର ଉତ୍ପାଦିତ ଧାନ ବିକ୍ରି କରିବାକୁ ଯିବା ବେଳକୁ ଏବର୍ଷର ଟାର୍ଗେଟ ସରିଯାଉଥିବା ଦର୍ଶାଯାଉଛି । ଚାଷୀଟି କାକୁତି ମିନତି ହେଲାପରେ ତାହାର ଧାନ ରଖୁଛନ୍ତି, ହେଲେ ବିଭିନ୍ନ ଆଳ ଦେଖାଇ ଆଉ ଆଇ ସ୍କାନ କରୁନାହାନ୍ତି । ଏହି ଅର୍ଥ ପାଇଲା ବେଳକୁ କେତେକ ସ୍ଥାନରେ ବର୍ଷଟିଏ ବିତିଯାଉଛି ।

ତେଣୁ ପ୍ରତ୍ୟେକ ଧାନ ବିକ୍ରିୟ କେନ୍ଦ୍ରରେ ଚାଷୀଙ୍କର ଯେଭଳି ତୁରନ୍ତ ‘ଆଇ ସ୍କାନ୍‍’ ହେବ ଓ ପ୍ରତ୍ୟେକ ଦିନ ଧାନ ଉଠାଣର ଧାର୍ଯ୍ୟ ଲକ୍ଷ୍ୟ ଓ ଉଠାଯାଉଥିବା ଧାନର ପରିମାଣ ସର୍ବସାଧାରଣରେ ପ୍ରଦର୍ଶିତ ହେବ ସେ ଦିଗରେ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ଚାଷୀମାନେ ମତ ଦେଉଛନ୍ତି । ସେହିଭଳି ସେମାନଙ୍କ ଧାନ ମଣ୍ଡିରେ ପହଞ୍ଚିଲା ପରେ ତୁରନ୍ତ ଯେଭଳି ମିଲରମାନେ ବିନା କୌଣସି କଟ୍‍ନି ଛଟ୍‍ନିରେ ଉଠାଇବେ ସେଥିପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଛି । (ତଥ୍ୟ)