Home Education ଆଇନ୍‍ କଲେଜର ମାନ୍ୟତା ନାହିଁ

ଆଇନ୍‍ କଲେଜର ମାନ୍ୟତା ନାହିଁ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ନିନ୍ତ୍ରଣାଧିନ ଆଇନ୍‍ କଲେଜଗୁଡିକରେ ବେଆଇନ୍‍ କାର୍ଯ୍ୟକଳାପ ବଢି ଚାଲୁଥିବା ଘେନି ଛାତ୍ରଛାତ୍ରୀମାନେ ଗୁରୁତର ଅଭିଯୋଗ କରିବା ସହିତ ନିଜ ନିଜର ଭବିଷ୍ୟତ ସମ୍ପର୍କରେ ସନ୍ଦେହ ପ୍ରକଟ କରୁଛନ୍ତି ।

ଉଚ୍ଚଶିକ୍ଷା ପାଇଁ ଯେଭଳି ୟୁଜିସି, ଡାକ୍ତରୀ ଶିକ୍ଷା ପାଇଁ ଏମସିଆଇ ଭଳି ସଂସ୍ଥାର ଅନୁମୋଦନ ଆବଶ୍ୟକ ରହିଛି ଅନୁରୂପ ଭାବେ ଆଇନ୍‍ କଲେଜଗୁଡିକ ଲାଗି ବାର୍‍ କାଉନ୍‍ସିଲ ଅଫ୍‍ ଇଣ୍ଡିଆ (ବିସିଆଇ)ର ଅନୁମୋଦନ ଆବଶ୍ୟକ । ବିସିଆଇର ବିନାନୁମୋଦନରେ ଓଡିଶାର ସଂଖ୍ୟାଧିକ ସରକାରୀ ଆଇନ୍‍ କଲେଜ ସମେତ ଆଉ କେତେକ ବେସରକାରୀ ଆଇନ୍‍ କଲେଜରେ ପାଠପଢା ଚାଲୁଥିବାବେଳେ ଏଠାରୁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ଅନ୍ୟ ରାଜ୍ୟରେ ଓକିଲାତି ଲାଇସେନ୍ସ ମିଳିବା ସମ୍ଭବପର ହେଉନାହିଁ । ଏମିତିକି ବିସିଆଇ ଅନୁମୋଦନ ନଥିବା ଆଇନ୍‍ କଲେଜଗୁଡିକର ଛାତ୍ରଛାତ୍ରୀମାନେ ସୁପ୍ରିମ୍‍କୋର୍ଟରେ ଓକିଲାତି କରିବାର ସୁଯୋଗରୁ ବଞ୍ଚିତ ହେଉଛନ୍ତି ।

ବିସିଆଇର ଫି ଦାଖଲ ପାଇଁ ବର୍ଷ ବର୍ଷ ଧରି ଓଡିଶାରେ ସରକାରୀ ଆଇନ୍‍ କଲେଜଗୁଡିକ ପିଲାମାନଙ୍କ ଠାରୁ ଅର୍ଥ ଆଦାୟ କରୁଛନ୍ତି । ତେବେ ଅଧିକାଂଶ ଆଇନ୍‍ କଲେଜ ଏହି ଅର୍ଥ ବିସିଆଇରେ ଦାଖଲ କରୁନାହାନ୍ତି । ଏମିତିକି ଗୋଟିଏ ଗୋଟିଏ କଲେଜର ବିସିଆଇ ଅନୁମୋଦନ ୧୦/୧୫ ବର୍ଷ ତଳୁ କଟି ସାରିଥିବାବେଳେ ତାହାର ନବୀକରଣ କରାଯାଉ ନାହିଁ । ଫଳରେ ଅନୁମୋଦନ ନଥିବା ଓଡିଶାର ଅଧିକାଂଶ ଆଇନ୍‍ କଲେଜଗୁଡିକର ସାର୍ଟିଫିକେଟର ମୂଲ୍ୟ କମିଯାଉଛି ।

ଭୁବନେଶ୍ୱର, କଟକ ଠାରୁ ଆରମ୍ଭ କରି କଳାହାଣ୍ଡି, ବଲାଙ୍ଗିର, ରାଉରକେଲା, ସମ୍ବଲପୁର, ପୁରୀ, ବ୍ରହ୍ମପୁର, ଜୟପୁର, ବାଲେଶ୍ୱର ସମେତ ରାଜ୍ୟର ବହୁ ସ୍ଥାନରେ ଥିବା ଅନେକ ଆଇନ୍‍ କଲେଜଗୁଡିକର ଏଭଳି ସମସ୍ୟା ଲାଗି ରହିଛି । ଓଡିଶା ବାହାରର ଛାତ୍ରଛାତ୍ରୀମାନେ ଏଠାରୁ ଡିଗ୍ରୀ ହାସଲ ପରେ ନିଜ ରାଜ୍ୟରେ ଯାଇ ଓକିଲାତି ପାଇଁ ଲାଇସେନ୍ସ କାଢିଲା ବେଳକୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏକଥା ବିଶ୍ୱବିଦ୍ୟାଳୟ ଓ ସରକାରଙ୍କ ଦୃଷ୍ଟିକୁ ଆସୁଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରୁ ନାହିଁ ।

ଅନ୍ୟ ରାଜ୍ୟରେ ଏବେ ଓଡିଶାର ଆଇନ୍‍ ଶିକ୍ଷାର ଗୁଣବତ୍ତା ଉପରେ ପ୍ରଶ୍ନ ଉଠୁଛି । ବିଶ୍ୱସ୍ତରୀୟ ତ ଦୂରରକଥା ଏହା ଫଳରେ ଓଡିଶାର ଆଇନ୍‍ ଶିକ୍ଷା ଜାତୀୟ ସ୍ତରର ବି ହୋଇପାରୁନାହିଁ । ତେବେ କେନ୍ଦ୍ରୀୟ ଆଇନ୍‍ ବିଶ୍ୱବିଦ୍ୟାଳୟ ଏବଂ ସୋଆ, କିଟ୍‍ ଆଦି ବିଶ୍ୱବିଦ୍ୟାଳୟର ଆଇନ୍‍ ଶିକ୍ଷା ପାଇଁ ବିସିଆଇର ଅନୁମୋଦନ ରହିଥିବାରୁ ଏହି କଲେଜଗୁଡିକ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବୃଦ୍ଧି ପାଉଛି ।

ଉତ୍କଳ ବିଶ୍ୱବିଦ୍ୟାଳୟ ଆଇନ୍‍ କଲେଜର ବିସିଆଇ ମାନ୍ୟତା ୫ବର୍ଷ ତଳୁ କଟି ସାରିଲାଣି । ସାଧାରଣତଃ ଆଇନ୍‍ କଲେଜଗୁଡିକର ଗୁଣବତ୍ତା ସଂକ୍ରାନ୍ତରେ ବିସିଆଇ ଟିମ୍‍ ପରିଦର୍ଶନ କରି ପ୍ରମାଣପତ୍ର ଦେଇଥାଏ । ଅବସ୍ଥା ଏଭଳି ହେଉଛି ଯେ ଯେକୌଣସି ସମୟରେ ଅନୁମୋଦନ ନଥିବା ଏହି ଆଇନ୍‍ କଲେଜଗୁଡିକରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନଙ୍କ ଓଡିଶା ବାର୍‍ କାଉନସିଲ୍‍ ପଞ୍ଜିକରଣ ବନ୍ଦ କରିଦେଇପାରେ । ତେବେ ଏହିଆଇନ୍‍ ଡିଗ୍ରୀ ସରକାରୀ ଓ ବେସରକାରୀ ଚାକିରି ପାଇଁ ଉପଯୋଗୀ ହେବ କି ନାହିଁ ସେଥିଘେନି ମଧ୍ୟ ଛାତ୍ରଛାତ୍ରୀମାନେ ସନ୍ଦେହଘେରରେ ରହିଛନ୍ତି ।

ଅଧିକାଂଶ ଆଇନ୍‍ କଲେଜରେ ପାଠ ପଢାଇବାପାଇଁ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହାନ୍ତି । ଫଳରେ ଅବସରପ୍ରାପ୍ତ ଆଇନ୍‍ ଶିକ୍ଷକ ଓ ଅତିଥି ଶିକ୍ଷକମାନଙ୍କ ଉପରେ ଭରସା କରି ଓଡିଶାର ଆଇନ୍‍ କଲେଜଗୁଡିକରେ ପାଠପଢା ଚାଲିଛି । ତେବେ ଏହି ଅତିଥି ଅଧ୍ୟାପକମାନେ ପରୀକ୍ଷା ପରିଚାଳନା ଓ ମୂଲ୍ୟାୟନରେ ସାମିଲ ହେଉନଥିବାରୁ ସମସ୍ୟା ଉତ୍କଟତର ହେଉଛି । (ତଥ୍ୟ)