Home General ଅସାବଧାନତାରୁ ରାସ୍ତାରେ ପାଇଖାନା ପାଣି

ଅସାବଧାନତାରୁ ରାସ୍ତାରେ ପାଇଖାନା ପାଣି

ଭୁବନେଶ୍ୱର : ନିର୍ମାଣକାରୀ ସଂସ୍ଥାମାନେ ସାବଧାନ ନ ରହି ସ୍ୱେରେଜ ଟାଙ୍କି ଭାଙ୍ଗି ଦେଉଥିବାରୁ ରାଜଧାନୀର ବହୁ ଅଞ୍ଚଳରେ ସାଂଘାତିକ ଅବସ୍ଥା ସୃଷ୍ଟି ହୋଇଛି । ଏବେ ଏଭଳି ଏକ ଘଟଣାରେ ନିଳାଦ୍ରୀ ବିହାର ଅଞ୍ଚଳର ବୁଦ୍ଧ ପାର୍କ କଡରେ ରାସ୍ତା ଉପରେ ପାଇଖାନା ପାଣିର ସୁଅ ଛୁଟୁଥିବାରୁ ଲୋକେ ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ।

ରାସ୍ତା କଡରେ ଟାଇଲ ବିଛାଇବା ପାଇଁ ମାଟି ତାଡିବା ବେଳେ କିଛିଦିନ ତଳେ ବୁଦ୍ଧପାର୍କ ରାସ୍ତା କଡରେ ଥିବା କେତେକ ସ୍ୱେରେଜ ଚ୍ୟାମ୍ବର ସରକାରୀ ଠିକାଦାରଙ୍କ ଜେସିବି ଭାଙ୍ଗି ଦେବା ଫଳରେ ଦୀର୍ଘଦିନ ଧରି ସ୍ୱେରେଜ ଲାଇନ ଅଚଳ ହୋଇପଡିବା ସହ ରାସ୍ତାରେ ନର୍ଦ୍ଦମା ପାଣିର ସୁଅ ଛୁଟୁଥିଲା । ସ୍ଥାନୀୟ ଲୋକେ ଏ ପ୍ରସଙ୍ଗ ୱାଟ୍‍କୋ ମୁଖ୍ୟଙ୍କ ଦୃଷ୍ଟିକୁ ଆଣିବା ଫଳରେ ଯୁଦ୍ଧକାଳୀନ ଭିତ୍ତିରେ କାମ କରାଯାଇ ପୋତି ହୋଇପଡିଥିବା ସ୍ୱେରେଜ ଭିତରୁ ଇଟା, ଗୋଡି, ପଥର ଆଦି କଢ଼ା ଯିବା ସହ ତାହାର ମରାମତି କରାଯିବା ପରେ ଅବସ୍ଥା ସ୍ୱାଭାବିକ ହୋଇଥିଲା ।

ଏବେ ଅନ୍ୟ ଜଣେ ଘରୋଇ ଠିକାଦାର ସ୍ୱେରେଜ ଟାଙ୍କି ଜେସିବି ଲଗାଇ ଭାଙ୍ଗି ଦେବା ଫଳରେ ସେହି ବୁଦ୍ଧ ପାର୍କ କଡ ରାସ୍ତାରେ ପ୍ରାୟ ୧୫ଦିନ ଧରି ନର୍ଦ୍ଦମା ପାଣି ଜମି ରହୁଛି । ଫଳରେ ନିକଟବର୍ତ୍ତୀ ଆପାର୍ଟମେଣ୍ଟର ଲୋକେ ଝରକା କବାଟ ବନ୍ଦ କରି ରହୁଥିବା ବେଳେ ରାସ୍ତାରେ ବି ପ୍ରବଳ ଦୁର୍ଗନ୍ଧ । ଦୀର୍ଘଦିନ ଧରି ଏଭଳି ସମସ୍ୟା ଲାଗି ରହିଥିବା ବେଳେ ଏବେ ତାହାର ସମାଧାନ ପାଇଁ ଉଦ୍ୟମ ଚାଲିଛି ।

ୱାଟକୋର ଅଧିକାରୀ ଓ ସ୍ଥାନୀୟ ଲୋକେ କହୁଛନ୍ତି ଯେ ସ୍ୱେରେଜ ଟାଙ୍କି ଭାଙ୍ଗୁଥିବା ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଲେ ସେମାନଙ୍କର ଡରଭୟ ରୁହନ୍ତା । ଏହାଛଡା ନିଳାଦ୍ରୀ ବିହାରର କେତେକ ଅଞ୍ଚଳରେ ଡ୍ରେନେଜ କାମ ହୋଇଥିବା ବେଳେ ଆଉ କେତେକ ଅଞ୍ଚଳରେ ଅଧାପନ୍ତରିଆ ଭାବେ ପଡିଛି ।

ବୁଦ୍ଧ ପାର୍କ ନିକଟବର୍ତ୍ତୀ ରାସ୍ତାର ଅଧା ପର୍ଯ୍ୟନ୍ତ ଡ୍ରେନେଜ ତିଆରି ହୋଇଥିବା ବେଳେ ଏବେ ଯେଉଁଠି ସ୍ୱେରେଜ ଭାଙ୍ଗିଛି ସେହି ଅଞ୍ଚଳରେ କିନ୍ତୁ ସ୍ୱେରେଜ ପାଖରେ ଡ୍ରେନେଜ ତିଆରି ହୋଇନାହିଁ ଏବଂ ରାସ୍ତାକଡ ଟାଇଲ ବିଛାଇବା ବେଳେ ଠିକରା ଭାବେ ସମତୁଲ କରାଯାଇ ନଥିବାରୁ କେତେକ ପ୍ଲଟରୁ ବର୍ଷା ଜଳ ପୂର୍ବଭଳି ନିଷ୍କାସିତ ହୋଇପାରୁ ନାହିଁ ।

ଫଳରେ ଟାଇଲ ବିଛାଇବାର ତ୍ରୁଟି ଓ ଡ୍ରେନେଜ ନଥିବାରୁ ଏହି ଅଞ୍ଚଳରେ ବର୍ଷା ଜଳ ବି ସ୍ୱେରେଜରେ ପଶୁଛି । ତେଣୁ ତୁରନ୍ତ ଲୁମ୍ବିନି ବିହାର ପଟୁ ନିଳାଦ୍ରୀ ବିହାର ଜିଏ ଆବାସିକ ପ୍ଲଟ୍‍ର ସ୍ୱେରେଜ ଲାଇନ କଡେ କଡେ ବାକି ଥିବା ଡ୍ରେନେଜ ଲାଇନ ତୁରନ୍ତ ନିର୍ମାଣ ପାଇଁ ଦାବି ଉଠୁଛି ।

ଏବେ ସ୍ୱେରେଜ ଟାଙ୍କି ସଫା କରିବା ପାଇଁ ଟାଙ୍କି ଭିତରକୁ ସଫେଇ କର୍ମଚାରୀଙ୍କୁ ଛଡାଯାଉ ନାହିଁ । ଯନ୍ତ୍ର ସାହାଯ୍ୟରେ ସ୍ୱେରେଜ ସଫେଇ ହେଉଛି । ଏହି ସଫେଇ କାର୍ଯ୍ୟ ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ସଫେଇ ଯନ୍ତ୍ର ନାହିଁ । ତେଣୁ କୌଣସି ଅଞ୍ଚଳରେ ସ୍ୱେରେଜ ଲାଇନ ଚୋକ୍‍ ହୋଇଗଲେ ଦୀର୍ଘଦିନ ଧରି ରାସ୍ତାରେ ପାଇଖାନା ପାଣି ଲହଡି ଭାଙ୍ଗୁଛି । ଏଥିଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଥିବା ପରିପ୍ରେକ୍ଷୀରେ ଆଗାମୀ ପୌର ନିର୍ବାଚନ ପୂର୍ବରୁ ଏହି ଅଞ୍ଚଳରୁ ସ୍ୱେରେଜ ଓ ଡ୍ରେନେଜ ସମସ୍ୟାର ତ୍ୱରିତ ସମାଧାନ ପାଇଁ ସ୍ଥାନୀୟ ଅଧିବାସୀମାନେ ଦାବି କରୁଛନ୍ତି ।