Home General ଅସନ୍ତୋଷ ବଢାଉଛି ଷ୍ଟ୍ରିଟ ଲାଇଟ୍‍ ମରାମତି

ଅସନ୍ତୋଷ ବଢାଉଛି ଷ୍ଟ୍ରିଟ ଲାଇଟ୍‍ ମରାମତି

ଭୁବନେଶ୍ୱର : ଘନ ଘନ ବିଜୁଳି କାଟକୁ ନେଇ ରାଜ୍ୟ ରାଜନୀତି ସରଗରମ ହେଉଥିବାବେଳେ ବିଏମ୍‍ସିର ବିଜୁଳି ସେବା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ରାଜଧାନୀରେ ଷ୍ଟ୍ରିଟ୍‍ ଲାଇଟ୍‍ ଦାୟିତ୍ୱରେ ବିଏମ୍‍ସି ଥିବାବେଳେ ଦିନ ଦିନ ଏହାର ମରାମତି ହୋଇପାରୁ ନାହିଁ ।

ଗତ କିଛିଦିନ ଧରି ରାଜଧାନୀରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳୁଥିବାବେଳେ ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଷ୍ଟ୍ରିଟ୍‍ ଲାଇଟ୍‍ କଟି ଯାଉଛି । ତେବେ ଦିନ ଦିନ ଧରି ଏହାର ମରାତି ହୋଇପାରୁ ନାହିଁ । ସ୍ଥାନୀୟ ଲୋକେ ଏ ନେଇ ସ୍ମାର୍ଟସିଟି ଗ୍ରାହକ ସେବା କେନ୍ଦ୍ରକୁ ଫୋନ୍‍ କରି ଅଭିଯୋଗ କଲେ ମଧ୍ୟ ସେଭଳି କୌଣସି ସୁଫଳ ମିଳୁନାହିଁ । ସ୍ମାର୍ଟସିଟି କର୍ତ୍ତୃପକ୍ଷ ଅଭିଯୋଗଟିକୁ ଗ୍ରହଣ କରି ତାହାକୁ ବିଏମସିକୁ ପଠାଇଦେଇ ବସୁଛନ୍ତି ।

ସାଧାରଣ ଲୋକଙ୍କ ଅଭିଯୋଗ ସଂକ୍ରାନ୍ତରେ ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବ ବୋଲି ମେସେଜ ଆସୁଥିଲେ ମଧ୍ୟ ଅଭିଯୋଗର ଅଗ୍ରଗତି ନେଇ କୌଣସି ସୂଚନା ଦିଆଯାଉ ନାହିଁ । ଯେତେବେଳେ ଅଭିଯୋଗକାରୀ ପୁର୍ନବାର ଫୋନ୍‍ କରୁଛନ୍ତି ଓ ଅଭିଯୋଗ ସମାଧାନ ହେଉନଥିବା ଜଣାଇ ବିରକ୍ତି ପ୍ରକାଶ କରୁଛନ୍ତି ତାଙ୍କର ଆଉଥରେ ନୂଆ ଅଭିଯୋଗଟିଏ ଦରଜ କରିଦିଆଯାଉଛି । ମୋଟାମୋଟି ଭାବେ ସ୍ମାର୍ଟସିଟିର ଗ୍ରାହକସେବା କେନ୍ଦ୍ରଟି କେବଳ ଅଭିଯୋଗ ଲିପିବଦ୍ଧରେ ସୀମିତ ରହିଛି ।

ଅନ୍ୟ ପକ୍ଷରେ ଷ୍ଟ୍ରିଟ ଲାଇଟ୍‍ ଜଳୁନଥିବା ଅଞ୍ଚଳରେ ଏବେ ଅପରାଧି ବିଶେଷକରି ନିଶାଡିମାନେ ଆଡ୍ଡା ଜମାଉଛନ୍ତି । ଅନ୍ଧାରିଆ ସ୍ଥାରେ ବସି ନିଶା ସେବନ କରିବା ସହିତ ସେହି ରାସ୍ତାଦେଇ ଯାଉଥିବା ଲୋକଙ୍କୁ ଅଶ୍ଳିଳ ଇଙ୍ଗିତ କରିବାକୁ ପଛାଉ ନାହାନ୍ତି । ବିଳମ୍ବିତ ରାତିରେ ଏହି ନିଶାଡିମାନେ ବିଭିନ୍ନ ପ୍ରକାର ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି ।

ଷ୍ଟ୍ରିଟ୍‍ ଲାଇଟ୍‍ ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ବାବଦରେ ବିପୁଳ ଅର୍ଥ ବ୍ୟୟ ହେଉଥିବାବେଳେ ଏହା କିଭଳି ସମାପନ ହେଉଛି ତାହା ଉପରେ କାହାର ନଜର ନାହିଁ । ଏପରିକି ଷ୍ଟ୍ରିଟ୍‍ ଲାଇଟ୍‍ ଜଳୁନଥିବା ନେଇ ସ୍ମାର୍ଟସିଟି ଗ୍ରାହକସେବା କେନ୍ଦ୍ରରୁ ସୂଚନା ପାଇଲାପରେ ମଧ୍ୟ ଏହା ଉପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ହେଉନାହିଁ ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଷ୍ଟ୍ରିଟ୍‍ ଲାଇଟ୍‍ ଭଳି ଜରୁରୀ ସେବାର ମରାମତି କାର୍ଯ୍ୟ ରବିବାର ସମେତ ଛୁଟିଦିନଗୁଡିକରେ ବନ୍ଦ ରହୁଛି । ଖୋଦ ସ୍ମାର୍ଟସିଟି ଗ୍ରାହକସେବା କେନ୍ଦ୍ର ପକ୍ଷରୁ ଏହି ସଫେଇ ଦିଆଯାଉଛି । ତେଣୁ ବିଏମ୍‍ସି ପକ୍ଷରୁ ଦୈନିକ ଭିତ୍ତିରେ ବିଭିନ୍ନ ଅଞ୍ଚଳରେ ଷ୍ଟ୍ରିଟ୍‍ ଲାଇଟ୍‍ ଜଳୁଛି କି ନାହିଁ ତାହାର ତଥ୍ୟ ସଂଗ୍ରହ ସହିତ ସ୍ଥାନୀୟ ଅଞ୍ଚଳବାସୀଙ୍କ ଠାରୁ ଏ ନେଇ ମତାମତ ସଂଗ୍ରହ କରିବା ଜରୁରୀ ହୋଇପଡିଛି । ଜଳ ସାଥି ଭଳି ସ୍ଥାନୀୟ ଏସଏଚଜି ଓ ମିଶନଶକ୍ତି ଗୋଷ୍ଠିଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଗଲେ ଷ୍ଟ୍ରିଟ୍‍ ଲାଇଟ୍‍ ସମସ୍ୟା ଦୂରହୋଇ ପାରିବ ବୋଲି ମତପ୍ରକାଶ ପାଉଛି । (ତଥ୍ୟ)