Home General ଅଳ୍ପ ମିଳୁଛି ବାତ୍ୟା ସହାୟତା

ଅଳ୍ପ ମିଳୁଛି ବାତ୍ୟା ସହାୟତା

ଭୁବନେଶ୍ୱର : ବାରମ୍ବାର ବାତ୍ୟାର ସମ୍ମୁଖୀନ ହେଉଥିବା ଓଡିଶା ସରକାର କ୍ଷୟକ୍ଷତି ଭରଣା ପାଇଁ କେନ୍ଦ୍ରକୁ ଯେତିକି ଅର୍ଥ ସହାୟତା ମାଗନ୍ତି ଜାତୀୟ ବିପର୍ଯ୍ୟୟ ପାଣ୍ଠିରୁ ସେହି ତୁଳନାରେ ଅତି ଅଳ୍ପ ଅର୍ଥ ମିଲେ । ଗତ ୮ଟି ବାତ୍ୟାରେ ହୋଇଥିବା କ୍ଷୟକ୍ଷତି ପାଇଁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ୨୯,୪୮୦ କୋଟି ଟଙ୍କାର ଦାବି କରିଥିବାବେଳେ ମିଳିଛି ମାତ୍ର ୫୨୮୫କୋଟି ।

ଗତ ଦୁଇ ଦଶନ୍ଧି ମଧ୍ୟରେ ୨୦୧୩ ମସିହାରେ ଆସିଥିଲା ସବୁଠାରୁ ବଡ ବାତ୍ୟା ଫାଇଲିନ୍‍ । ରାଜ୍ୟର ୧୮ଟି ଜିଲ୍ଲାକୁ ପ୍ରଭାବିତ କରିଥିବା ଏହି ବାତ୍ୟାରେ ୧୪ହଜାର କୋଟି ଟଙ୍କାରୁ ଅଧିକ କ୍ଷତି ଘଟିଥିବା ଆକଳନ ହୋଇଥିଲା । ଭରଣା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ୪୨୪୨ କୋଟି ଟଙ୍କା ଦେବାପାଇଁ ଅନୁରୋଧ କରିଥିଲେ । ହେଲେ ମିଳିଥିଲା ମାତ୍ର ୧୧୫୦କୋଟି ଟଙ୍କା । ଏହା ପରବର୍ଷ ଆସିଥିବା ହୁଡ୍‍ ହୁଡ୍‍ ବାତ୍ୟରେ ପାଖାପାଖି ୫ହଜାର କୋଟି ଟଙ୍କାର କ୍ଷତି ଘଟିଥିଲା । ସେତେବେଳେ ରାଜ୍ୟ ସରକାର କେନ୍ଦ୍ରକୁ ୭୭୭ କୋଟି ଟଙ୍କାର ସହାୟତା ମାଗିଥିଲେ । ହେଲେ ଜାତୀୟ ବିପର୍ଯ୍ୟୟ ପାଣ୍ଠିରୁ ଏ ବାବଦରେ ଟଙ୍କାଟିଏ ମିଳନଥିଲା ।

ତିନି ବର୍ଷର ବ୍ୟବଧାନ ପରେ ୨୦୧୮ରେ ଏକାଥରେ ଓଡିଶା ଉପକୂଳରେ ଦେଖା ଦେଇଥିଲା ତିନି ତିନିଟି ବାତ୍ୟା । ବାତ୍ୟା ଡାଏ ରେ ସେଭଳି କୌଣସି କ୍ଷୟକ୍ଷତି ଘଟିନଥିଲାବେଳେ ତିତିଲିରେ ପ୍ରାୟ ୨୮୦୦କୋଟି ଟଙ୍କାର କ୍ଷତି ଆକଳନ ହୋଇଥିଲା । ରାଜ୍ୟ ସରକାର ମଧ୍ୟ ଅନୁରୂପ ପରିମାଣ ସହାୟତା କେନ୍ଦ୍ରକୁ ମାଗିଥିଲେ । ହେଲେ କେନ୍ଦ୍ରରୁ ମିଳିଥିଲା ୩୪୧କୋଟି ୭୨ଲକ୍ଷ ଟଙ୍କା । ଏହି ବାତ୍ୟାରେ ସର୍ବଧିକ ୭୨ଜଣଙ୍କ ଜୀବନ ଯାଇଥିଲା । ଏହାପରେ ଆସଥିଲା ବାତ୍ୟା ପେଥାଇ । ଏଥିରେ ମାତ୍ର ୪୩କୋଟିର କ୍ଷତି ଆକଳନ ହୋଇଥିବାବେଳେ ରାଜ୍ୟ ସରକାର କେନ୍ଦ୍ରକୁ କୌଣସି ସହାୟତା ମାଗିନଥିଲେ ।

୨୦୧୯ରେ ଆସିଥିଲା ବାତ୍ୟା ଫନି । ୬୪ଜଣଙ୍କ ଜୀବନ ନେଇଥିବା ଫନି ୧୪ଟି ଜିଲ୍ଲାକୁ ପ୍ରଭାବିତ କରିଥିବାବେଳେ ଏଥିରେ ୯୩୩୬କୋଟି ଟଙ୍କାର କ୍ଷୟକ୍ଷତି ଆକଳନ ହୋଇଥିଲା । ରାଜ୍ୟ ସରକାର କେନ୍ଦ୍ରକୁ ମାଗିଥିଲେ ୫୨୨୭କୋଟି ଟଙ୍କା । ଜାତୀୟ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ମିଳିଥିଲା ୩୧୧୪କୋଟି । ଏହାଥିଲା କୌଣସି ବାତ୍ୟା କ୍ଷୟକ୍ଷତିରେ ସର୍ବାଧିକ ସହାୟତା ଅର୍ଥ । ଫନି ପରେ ସେହିବର୍ଷ ଆସିଥିଲା ବୁଲ୍‍ ବୁଲ୍‍ । ଏଥିରେ ୨୨୪କୋଟି ଟଙ୍କାର କ୍ଷୟକ୍ଷତି ଆକଳନ ହୋଇଥିବାବେଳେ ରାଜ୍ୟ ସରକାର କେନ୍ଦ୍ରକୁ ୨୧୯କୋଟିର ସହାୟତା ମାଗିଥିଲେ । ତେବେ କେନ୍ଦ୍ରରୁ ମିଳିଥିଲା ପ୍ରାୟ ୧୮୦କୋଟି ଟଙ୍କା ।

ଗତବର୍ଷ ଆସିଥିଲା ବାତ୍ୟା ଅମ୍ଫାନ । ଅମ୍ଫାନ ବାତ୍ୟା ଛାଡୁ ଛାଡୁ ଖୋଦ୍‍ ପ୍ରଧାନମନ୍ତ୍ରୀ ଓଡିଶା ଆସି ଏହାର ସମୀକ୍ଷା କରିବା ସହିତ ରାଜ୍ୟ ପାଇଁ ତୁରନ୍ତ ୫୦୦ କୋଟିର ସହାୟତା ଘୋଷଣା କରିଥିଲେ । ତେବେ ଅମ୍ଫାନ ପରେ ପରେ ରାଜ୍ୟରେ ସ୍ଥାୟୀ ବାତ୍ୟା ନିରାକରଣ ଲାଗି ବିଭିନ୍ନ ପ୍ରକଳ୍ପ ବାବଦରେ ରାଜ୍ୟ ସରକାର କେନ୍ଦ୍ର ନିକଟରେ ୧୬ହଜାର କୋଟି ଟଙ୍କାରୁ ଅଧିକ ଦାବି କରିଥିଲେ । (ତଥ୍ୟ)