Home Health ଅଳିଆ ଗଦାରେ ତମାଖୁ ଆଇନ୍‍

ଅଳିଆ ଗଦାରେ ତମାଖୁ ଆଇନ୍‍

ଭୁବନେଶ୍ୱର : ମୁଖଗହ୍ୱର କର୍କଟ ରୋଗର ଅନ୍ୟତମ ସାରଥି କୁହାଯାଉଥିବା ତମାଖୁକୁ ବର୍ଜନ ପାଇଁ ସରକାର ପ୍ରଣୟନ କରୁଥିବା ଆଇନ୍‍ ବର୍ଷ ବର୍ଷ ଧରି ଅଳିଆ ଗଦାରେ ପଡି ରହୁଥିବାରୁ ତମାଖୁ ବ୍ୟବହାର ନିଷିଦ୍ଧ ହେବା ପରିବର୍ତ୍ତେ ବଢି ବଢି ଚାଲିଛି । ବର୍ଷରେ ଗୋଟିଏ ଦିନ ସରକାରୀ ଓ ବେସରକାରୀ ସ୍ତରରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନକରି ଅବଶିଷ୍ଟ ୩୬୪ଦିନ ତମାଖୁ ପ୍ରସାରଣ କାର୍ଯ୍ୟରେ ବ୍ୟବସ୍ଥା ମନପ୍ରାଣ ଦେଇ ଲାଗି ପଡୁଛି ବୋଲି ଗୁରୁତର ଅଭିଯୋଗ ହେଉଛି ।

୨୦୧୩ ଜାନୁୟାରୀ ମାସରୁ ଗୁଟ୍‍ଖା ସମେତ ଅନ୍ୟ କେତେକ ତମାଖୁ ସାମଗ୍ରୀର ଉତ୍ପାଦନ, ବିପ୍ପଣନ ଓ ବ୍ୟବହାରକୁ ଓଡିଶାରେ ଆଇନତଃ ନିଷିଦ୍ଧ କରାଯାଇଛି । ରାଜ୍ୟ ସରକାର ଏ ବାବଦରେ ବର୍ଷକୁ ୫୦୦କୋଟି ଟଙ୍କାରୁ ଅଧିକ ରାଜସ୍ୱ ହରାଉଥିବାବେଳେ ତମାଖୁ ଓ ଗୁଟ୍‍ଖା ବ୍ୟବହାର କିନ୍ତୁ ବଢି ବଢି ଚାଲିଛି । ଆଉ ଲୁଚା ଛପାରେ ନୁହେଁ, ଖୋଲାଖୋଲି ଭାବେ ଦୋକାନମାନଙ୍କରେ ଏହି ବିପଦଜନକ ସାମଗ୍ରୀ ମାଳ ମାଳ ହୋଇ ବିକ୍ରି ହେଉଛି । ଏମିତିକି ସରକାରୀ ଦପ୍ତର ଠାରୁ ଆରମ୍ଭକରି ଶିକ୍ଷାନୁଷ୍ଠାନ, ଜେଲ୍‍ଖାନା ପର୍ଯ୍ୟନ୍ତ ଚାରିଆଡେ ଏହି ନିଷିଦ୍ଧ ନିଶା ସାମଗ୍ରୀ ବ୍ୟାପକ ପରିମାଣରେ ଉପଲବ୍ଧ ହେଉଛି ।

ସେହିଭଳି ଶିକ୍ଷାନୁଷ୍ଠାନଗୁଡିକ ଠାରୁ ୧୦୦ ମିଟର ଦୂରତା ମଧ୍ୟରେ ତମାଖୁ ବିକ୍ରି କରାଯାଇ ପାରିବନାହିଁ ବୋଲି କୋଟ୍‍ପା ଆଇନ୍‍ରେ ସ୍ପଷ୍ଟ ବ୍ୟବସ୍ଥା ଥିଲେ ମଧ୍ୟ ସଂଖ୍ୟାଧିକ ଶିକ୍ଷାନୁଷ୍ଠାନ କଡରେ ଏହା ବିକ୍ରୟ ଚାଲିଛି ଏବଂ କେତେକ ସ୍ଥଳରେ ଶିକ୍ଷାନୁଷ୍ଠାନ ଭିତରେ ବି ଏହାର ବ୍ୟବହାର ସହିତ ପ୍ରଚାର ପ୍ରସାର ହେଉଛି । ଗୁଟ୍‍ଖା ଓ ତମାଖୁ ପ୍ରସ୍ତୁତ କରୁଥିବା କେତେକ କମ୍ପାନୀ ନିଜର ଅନ୍ୟ ଉତ୍ପାଦନ ସାମଗ୍ରୀ ଆଳରେ ଗଣମାଧ୍ୟମରେ ବି ଖୋଲା ବିଜ୍ଞାପନ ଦେଉଛନ୍ତି । ଯେଉଁମାନେ ଏହି ବେଆଇନ୍‍ କାରବାରକୁ ଧରି ଆଇନ୍‍ ଉଲ୍ଲଙ୍ଘନକାରୀଙ୍କୁ ଦଣ୍ଡିତ କରିବାକଥା ସେମାନେ ଏହି ବେଆଇନ୍‍ କାରବାରକୁ ଦେଖି ନଦେଖିବା ଭଳି ଆଖିବୁଜି ଦେଉଛନ୍ତି ।

ସର୍ବସାଧାରଣ ସ୍ଥାନରେ ଧୂମପାନ, ନିଶା ସେବନ ଓ ଛେପ ପକାଇବା ଆଇନତଃ ଦଣ୍ଡନିଧି ଅପରାଧ ହୋଇଥିଲେ ବି ପାର୍କ, ସର୍ବସାଧାରଣ ରାସ୍ତା ଠାରୁ ଆରମ୍ଭ କରି ଦପ୍ତର ପର୍ଯ୍ୟନ୍ତ ଏହି ନିଶା କାରବାର ଚାଲୁଛି ଏବଂ ଅନେକ ସ୍ଥାନରେ ସରକାରୀ କୋଠାବାଡି ଭିତରେ ପାନ, ଗୁଟ୍‍ଖା ଛେପର ଦାଗ ଜଳ ଜଳ ହୋଇ ଦିଶୁଛି । ଅନ୍ୟ ପକ୍ଷରେ ନିଶା ସେବନ ଯୋଗୁଁ କର୍କଟ ବ୍ୟାଧି ଭୟଙ୍କର ଭାବେ ବ୍ୟାପୁଥିବାବେଳେ ଚିକିତ୍ସା ପାଇଁ ବହୁ ପରିବାର ବରବାଦ ହେଉଛନ୍ତି ଏବଂ ରାଜକୋଷରୁ ବି ଏ ବାବଦରେ ପାଣି ଭଳି ଅର୍ଥ ଖର୍ଚ୍ଚ ହେଉଛି ।

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୫ ର ସର୍ବଶେଷ ରିପୋର୍ଟ ଅନୁଯାୟୀ ଓଡଶାରେ ୧୫ବର୍ଷରୁ ଉର୍ଦ୍ଧ୍ୱ ୫୧.୬ ପ୍ରତିଶତ ପୁରୁଷ ଓ ୨୬ ପ୍ରତିଶତ ମହିଳା ତମାଖୁ ସେବନ କରୁଥିବାବେଳେ ଏହି ବୟସର ୪.୩ ପ୍ରତିଶତ ମହିଳା ଓ ୨୮.୮ ପ୍ରତିଶତ ପୁରୁଷ ମଦ ପିଉଛନ୍ତି । ବାସ୍ତବରେ କିନ୍ତୁ ଗାଁ ଗହଳରୁ ରାଜଧାନୀ ପର୍ଯ୍ୟନ୍ତ ନିଶାଡିମାନଙ୍କର ଯେଭଳି କୋଳାହଳ ଦେଖାଯାଉଛି ସେଥିରୁ ନିଶା ସେବନକାରୀଙ୍କ ପ୍ରତିଶତ ଢେର ଅଧିକ ବୋଲି ଯେ କେହି ସଚେତନ ଲୋକ କହିବେ ।

ତମାଖୁର ଭୟାବହତାକୁ ଆଖିଆଗରେ ରଖି ପ୍ରତିବର୍ଷ ମଇ ୩୧ତାରିଖକୁ ବିଶ୍ୱବ୍ୟାପି ତମାଖୁ ବର୍ଜନ ଦିବସ ଭାବେ ପାଳନ କରାଯାଉଥିବା ଅବସରରେ ଆମ ରାଜ୍ୟରେ ବି ବିପୁଳ ଅର୍ଥ ଖର୍ଚ୍ଚ କରାଯାଇ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ଏହି ଦିବସ ପ୍ରତିପାଳନ କରି ସାରଗର୍ଭକ ବକ୍ତବ୍ୟ ରଖନ୍ତି ଓ ଗଣମାଧ୍ୟମରେ ମଧ୍ୟ ଏହା ପ୍ରଚାରିତ ହୁଏ । କିନ୍ତୁ ବାସ୍ତବରେ ଏହି ଦିନ ସମେତ ବର୍ଷ ତମାମ ତମାଖୁ ଓ ଅନ୍ୟ ନିଶା ସାମଗ୍ରୀର ବ୍ୟାପକ କାରବାର ହୁଏ । (ତଥ୍ୟ)

LEAVE A REPLY

Please enter your comment!
Please enter your name here