Home Finance ଅର୍ଥନୈତିକ କରିଡର ପାଇଁ ଜମି ଚିହ୍ନଟ

ଅର୍ଥନୈତିକ କରିଡର ପାଇଁ ଜମି ଚିହ୍ନଟ

384
0

ଓଡ଼ିଶା ଅର୍ଥନୈତିକ କରିଡର୍‍ (ଓଇସି) ପାଇଁ ରାଜ୍ୟ ସରକାର ଉପକୂଳ ଜିଲ୍ଲାଗୁଡ଼ିକରେ ୭୦୦୦ ଏକର ଜମି ଚିହ୍ନଟ କରିଛନ୍ତି । ରାଜ୍ୟ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଜମି ଅଧିଗ୍ରହଣ ସଂକ୍ରାନ୍ତରେ କେନ୍ଦ୍ର ଶିଳ୍ପ ପ୍ରୋତ୍ସାହନ ଏବଂ ଆନ୍ତଃ ବାଣିଜ୍ୟ (ଡିପିଆଇଆଇଟି) ସଚିବ ଗୁରୁପ୍ରସାଦ ମହାପାତ୍ରଙ୍କୁ ଅବଗତ କରିଛନ୍ତି ।

ଶ୍ରୀ ଶର୍ମା ଦର୍ଶାଇଛନ୍ତି ଯେ ଆର୍ଥିକ କରିଡର୍‍ ଲାଗି ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ଏହି କରିଡର୍‍ ମାଧ୍ୟମରେ ୨୦୪୫ ସୁଦ୍ଧା ୨୦ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହେବା ସହିତ ୧୪ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ଇତିମଧ୍ୟରେ ରାଜ୍ୟ ସରକାର ନ୍ୟାସନାଲ୍‍ ଇଣ୍ଡଷ୍ଟ୍ରିଆଲ୍‍ କରିଡର୍‍ ଡେଭେଲପ୍‍ମେଣ୍ଟ ଆଣ୍ଡ ଇମ୍ପ୍ଲିମିଣ୍ଟେସନ ଟ୍ରଷ୍ଟ (ଏନ୍‍ଆଇସିଡିଆଇଟି)କୁ ଏହି କରିଡର୍‍ ଲାଗି ସମସ୍ତ ପ୍ରକାର ସହାୟତା ଯୋଗାଉଥିବା ନେଇ କହିଛନ୍ତି ।

ଏନ୍‍ଆଇସିଡିଆଇଟି ପାଇଁ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରାଳୟ ନୋଡାଲ୍‍ ମନ୍ତ୍ରାଳୟ ଭାବେ କାର୍ଯ୍ୟ କରୁଛି ଯିଏ କି ସମଗ୍ର ଦେଶରେ ଅର୍ଥନୈତିକ କରିଡର୍‍ ପ୍ରତିଷ୍ଠା କରିଥାଏ । ଏହି କରିଡର୍‍ ମାଧ୍ୟମରେ ବନ୍ଦର ଭିତ୍ତିକ ଶିଳ୍ପ ବିକାଶ ହେବା ସହିତ ବ୍ୟାପକ ଉତ୍ପାଦନ ଏବଂ ରପ୍ତାନି ମାଧ୍ୟମରେ ଓଡ଼ିଶା ଶିଳ୍ପ ବିକାଶ ଯୋଜନା ୨୦୨୫ ଲକ୍ଷ୍ୟ ହାସଲ କରିପାରିବ । ଜାତୀୟ ରାଜପଥ ୧୬ ଆର୍ଥିକ କରିଡର୍‍ର ମେରୁଦଣ୍ଡ ହୋଇଥିବା ବେଳେ ଏଥିସହିତ ବିମାନ ବନ୍ଦର ଦ୍ୱାରା ଦକ୍ଷିଣ ଏସିଆ ଦେଶଗୁଡ଼ିକ ସହିତ ସହଜ ବ୍ୟବସାୟ ହୋଇପାରିବ ।

ଜାତୀୟ ରାଜପଥ ୧୬ର ଉଭୟ ପାଶ୍ୱର୍ରେ ୧୦୦ କିଲୋମିଟର ପର୍ଯ୍ୟନ୍ତ ଓଡ଼ିଶା ଅର୍ଥନୈତିକ କରିଡର୍‍ ପରିବ୍ୟାପ୍ତ ହେବା ସହିତ କୋଲକାତା ଓ ବିଶାଖାପାଟଣାକୁ ସଂଯୋଗ କରିବ । ଏଥିସହିତ ୧୯ଟି ଜିଲ୍ଲାକୁ ଏହା ପରିବ୍ୟାପ୍ତ ହେବ ଯାହାକି ରାଜ୍ୟର ୬୩ ପ୍ରତିଶତ ଅଞ୍ଚଳ ଏବଂ ୭୫ ପ୍ରତିଶତ ଜନସଂଖ୍ୟା ଏହା ମଧ୍ୟରେ ରହିବ । ଏହି କରିଡର୍‍ ଜରିଆରେ ରାଜ୍ୟର ମୋଟ୍‍ ଘରୋଇ ଉତ୍ପାଦ (ଜିଏସ୍‍ଡିପି)ର ୮୨ ପ୍ରତିଶତ ସ୍ଥାନ ପାଇବ । ସର୍ବଶେଷ ହିସାବ ଅନୁଯାୟୀ ଓଡ଼ିଶାର ମୋଟ୍‍ ଘରୋଇ ଉତ୍ପାଦ ୬ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରାଯାଇଛି ।

ଓଡ଼ିଶା ଅର୍ଥନୈତିକ କରିଡର୍‍ ଦ୍ୱାରା କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଯଥା ସାଗରମାଳା, ଭାରତମାଳା, ଇଷ୍ଟକୋଷ୍ଟ ଇକୋନୋମିକ୍‍ କରିଡର୍‍ ଗୋଲ୍ଡେନ୍‍ କ୍ୱାଡ୍ରିଲାଟେରାଲ ଆଣ୍ଡ ମେକ୍‍ ଇନ୍‍ ଇଣ୍ଡିଆ ଅଗ୍ରଗତି କରିପାରିବ । ଗୋପାଳପୁର, ପାରାଦୀପ, ଧାମରା ବନ୍ଦର ସହିତ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଓଡ଼ିଶା ଅର୍ଥନୈତିକ କରିଡର୍‍ ମଧ୍ୟରେ ଆସିବ ।

ଏହି କରିଡର୍‍ ବିଭିନ୍ନ ଖଣିଜ ଅଞ୍ଚଳ ଯଥା କୋଇଲା ମହଜୁଦ ରହିଥିବା ଇଲାକାର ୮୬ ପ୍ରତିଶତ, ଲୁହାପଥରର ୮୨ ପ୍ରତିଶତ, ବକ୍ସାଇଟ୍‍ର ୭୦ ଏବଂ ପ୍ରାକୃତିକ ଗ୍ୟାସ୍‍ ରହୁଥିବା ୭୦ ପ୍ରତିଶତ ଅଞ୍ଚଳକୁ ସଂଯୋଗ କରିବ । ଉଭୟ ଆନ୍ତଃ ଓ ବାହ୍ୟ ଭିତ୍ତିଭୂମି ସୁବିଧା ଏହାଦ୍ୱାରା ନେଇପାରିବେ । କରିଡର୍‍ ପରିଚାଳନା ଲାଗି ଉଭୟ ରାଜ୍ୟ ଓ ଜାତୀୟ ସ୍ତରର ସଂସ୍ଥା କାର୍ଯ୍ୟ କରିବେ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here