Home General ଅମୃତ ୨ରେ ଓଡିଶାକୁ ୧୩୭୩ କୋଟି

ଅମୃତ ୨ରେ ଓଡିଶାକୁ ୧୩୭୩ କୋଟି

ଭୁବନେଶ୍ୱର : ଜଳ ଜୀବନ ମିଶନ (ସହରାଞ୍ଚଳ) ଏବଂ ଅମୃତ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ଓଡିଶାରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ କେନ୍ଦ୍ର ସରକାର ୧୩୭୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି । କେନ୍ଦ୍ର ଗୃହ ଏବଂ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୌଶଳ କିଶୋର ଆଜି ଲୋକସଭାରେ ଏହି ସୂଚନା ଦେଇଛନ୍ତି ।

ବିଜେଡି ସାଂସଦ ରମେଶ ମାଝିଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଅମୃତ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ୨୦୨୧ ମସିହା ଅକ୍ଟୋବର ପହିଲାରେ ୫ବର୍ଷ ପାଇଁ ଅର୍ଥାତ୍‍ ୨୦୨୧-୨୨ ରୁ ୨୦୨୫-୨୬ ପର୍ଯ୍ୟନ୍ତ ଆରମ୍ଭ ହୋଇଥିଲ । ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସହରାଞ୍ଚଳରେ ଥିବା ସମସ୍ତ ପରିବାରକୁ ପାଇପ୍‍ ଯୋଗେ ସ୍ୱଚ୍ଛ ପାନୀୟଜଳ ଯୋଗାଣ କରିବା । ଏଥି ସହିତ ଅମୃତ ଯୋଜନାର ପ୍ରଥମ ପର୍ଯ୍ୟାୟରେ ମଧ୍ୟ ୫୦୦ ସହରରେ ସମସ୍ତ ପରିବାର ପାଇଁ ସ୍ୱରେଜ ପରିଚାଳନାର ଲକ୍ଷ୍ୟ ଥିଲା ।

ଅମୃତ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ଓଡିଶା ପାଇଁ ୧୩୭୩ କୋଟି ଟଙ୍କା ମଞ୍ଜୁର ହୋଇଥିବା ସେ କହିଥିଲେ । ତେଣୁ ୨୯୨୩.୧୦ କୋଟି ଟଙ୍କା ବ୍ୟୟରେ ୧୪୭ ଟି ପ୍ରକଳ୍ପ ହାତକୁ ନିଆଯାଇଥିଲା ଯେଉଁଥିରେ କେନ୍ଦ୍ରୀୟ ସହାୟତା ବାବଦରେ ୧୧୪୬.୫୧ କୋଟି ଟଙ୍କା କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ମଞ୍ଜୁର କରିଥିଲା ।

ଏହାବାଦ୍‍ ୧୦୭୫ କୋଟି ଟଙ୍କା ମୂଲ୍ୟର ୭୬ଟି ପ୍ରକଳ୍ପର ଡିପିଆର ପ୍ରସ୍ତୁତ ହୋଇଛି । ଏଥି ସହିତ ୯୬୬ କୋଟି ଟଙ୍କା ମୂଲ୍ୟର ୭୦ଟି ପ୍ରକଳ୍ପର ଟେଣ୍ଡର ଜାରି ହୋଇଥିଲା ଯେଉଁଥିରେ ୮୫୮ କୋଟି ଟଙ୍କା ମୂଲ୍ୟର ୬୧ ପ୍ରକଳ୍ପର ଜାରି ରହିଥିବାବେଳେ ୧୬ କୋଟି ଟଙ୍କା ମୂଲ୍ୟର ୪ଟି ପ୍ରକଳ୍ପର କାର୍ଯ୍ୟ ସମାପ୍ତ ହୋଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଅମୃତ ମିଶନରେ ଟ୍ୟାପ ଯୋଗେ ପାନୀୟଜଳ ଯୋଗାଇ ଦିଆଯାଉଥିବାବେଳେ ଏହାକୁ ଅମୃତ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟକୁ ସ୍ଥାନାନ୍ତରିତ ସହିତ ୨୦୨୪ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସମଗ୍ର ମିଶନ ସମୟ ପାଇଁ ଅମୃତର ଦ୍ୱିତୀୟ ପର୍ଯ୍ୟାୟରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଅର୍ଥ ପ୍ରଦାନ କରାଯାଉଛି ।

ଅମୃତର ଦ୍ୱିତୀୟ ପର୍ଯ୍ୟାୟରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ୬୬,୭୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଚଳିତ ବର୍ଷ ସମେତ ଗତ ତିନି ବର୍ଷ ଧରି କେନ୍ଦ୍ରୀୟ ଅନୁଦାନ ଆକାରରେ ୬୧୯୪ କୋଟି ଟଙ୍କା ମଞ୍ଜୁର କରାଯାଇଛି ଏବଂ ୨୧୭.୪୪ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ମିଳିଥିବା ମନ୍ତ୍ରୀ କହିଛନ୍ତି । (ତଥ୍ୟ)