Home Covid ଅମାନିଆ ପର୍ଯ୍ୟଟକଙ୍କ ପାଇଁ କରୋନା ଭୟ

ଅମାନିଆ ପର୍ଯ୍ୟଟକଙ୍କ ପାଇଁ କରୋନା ଭୟ

ଭୁବନେଶ୍ୱର : ଶୀତର ଆଗମନ ସହିତ ଓଡିଶାକୁ ଆସୁଥିବା ପର୍ଯ୍ୟଟକମାନେ ଏବେ ରାଜ୍ୟପାଇଁ ବିପଦ ହେଲେଣି । ସର୍ବନିମ୍ନ କରୋନା କଟକଣା ଯଥା ମାସ୍କ ପିନ୍ଧିବା ଓ ଶାରୀରିକ ଦୂରତାକୁ ଏମାନେ ମାନୁ ନଥିବାରୁ ଏଭଳି ଆଶଙ୍କା ସୃଷ୍ଟି ହେବାରେ ଲାଗିଛି ।

ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଏବେ ଅନ୍ୟ ରାଜ୍ୟ ବିଶେଷକରି ପଶ୍ଚିମବଙ୍ଗରୁ ପର୍ଯ୍ୟଟକଙ୍କ ସୁଅ ଛୁଟିବା ଆରମ୍ଭ ହୋଇଛି । ବସ୍‍ ଯୋଗେ ଆସୁଥିବା ଏହି ପର୍ଯ୍ୟଟକମାନେ ଖଣ୍ଡଗିରି, ଉଦୟଗିରି, ଧଉଳି, ନନ୍ଦନକାନନ ସମେତ ପୁରୀ ଓ ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀକୁ ଯାଉଛନ୍ତି । ତେବେ ଅଧିକାଂଶ ପର୍ଯ୍ୟଟକସ୍ଥଳୀରେ ଏମାନେ ବିନା ମାସ୍କରେ ଦଳ ଦଳ ହୋଇ ବୁଲୁଥିବା ଦେଖିବାକୁ ମିଳୁଛି । ଖଣ୍ଡଗିରି ପାହାଡତଳେ ଏକାଧିକ ପର୍ଯ୍ୟଟକ ବସ୍‍ରୁ ଓହ୍ଲାଇ ବୁଲାବୁଲି କରୁଥିବା ଅନ୍ୟ ରାଜ୍ୟର ଏହି ପର୍ଯ୍ୟଟକମାନଙ୍କୁ ଦେଖିଲେ ରାଜ୍ୟପାଇଁ ଏମାନେ ବିପଦ ସୃଷ୍ଟି କରିପାରନ୍ତି ବୋଲି ସ୍ପଷ୍ଟ ବାରିହୋଇ ପଡୁଛି ।

ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରବେଶ ପାଇଁ କରୋନା ଟୀକାର ଦୁଇଟି ଜୋଜ୍‍ ନେଇଥିବା ସାର୍ଟିଫିକେଟ ଦେଖାଇବା ବାଧ୍ୟତାମୂଳକ ହୋଇଥିବାରୁ ଅନେକ ପର୍ଯ୍ୟଟକ, ଯେଉଁମାନେ କି କରୋନା ଟିକାର ଦୁଇଟି ଡୋଜ୍‍ ନେଇ ନାହାନ୍ତି ସେମାନେ ପୁରୀ ଯିବା ବଦଳରେ ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀରେ ଭିଡ ଜମାଉଛନ୍ତି । ବିନା ମାସ୍କରେ ଦଳ ଦଳ ହୋଇ ବୁଲୁଥିବା ଏହି ପର୍ଯ୍ୟଟକମାନଙ୍କ ଉପରେ କାହାର ନଜର ନାହିଁ । ଏମାନେ ବେପରୁଆ ଭାବେ ପର୍ଯ୍ୟଟନସ୍ଥଳୀରେ ବୁଲିବା ଏବଂ ସ୍ଥାନୀୟ ହୋଟେଲ, ଉଠାଦୋକାନରେ ଖିଆ ପିଆ ସହିତ ସାମଗ୍ରୀ ଖରିଦ କରୁଛନ୍ତି ।

ଇତି ମଧ୍ୟରେ ଋଷ, ଚୀନ୍‍ ସମେତ ଅନ୍ୟାନ୍ୟ ଦେଶରେ କରୋନା କାୟା ବିସ୍ତାର କରୁଥିବାବେଳେ ଦୁର୍ଗପୂଜା ପରଠାରୁ ପଶ୍ଚିମବଙ୍ଗରେ ବି କରୋନାର ପ୍ରକୋପ ପୂର୍ବାପେକ୍ଷା ଅଧିକ ହୋଇଛି । ଦୁର୍ଗାପୂଜା ସମୟରେ ଓଡିଶା ସରକାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଡା କଟକଣା ଲଗାଇଥିବାବେଳେ ପଶ୍ଚିମବଙ୍ଗ ସରକାର କିନ୍ତୁ ସବୁକିଛି ଖୋଲାମେଲା କରିଦେଇଥିଲେ । ଏହାର ଫଳ ସ୍ୱରୂପ ସେହି ରାଜ୍ୟରେ କରୋନା ପୁଣି କଡ ଲେଉଟାଇବା ଆରମ୍ଭ କରିଛି ।

ବର୍ତ୍ତମାନ ପଶ୍ଚିମବଙ୍ଗ ସମେତ ଅନ୍ୟ ରାଜ୍ୟରୁ ଆସୁଥିବା ପର୍ଯ୍ୟଟକମାନେ ଯେଭଳି ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବିଶେଷକରି ରାଜଧାନୀ ଓ ପୁରୀରେ ଲଗାମଛଡା ଭାବେ ବୁଲୁଛନ୍ତି ତାହା ଆଗାମୀ ଦିନରେ ଗୁରୁତର ସମସ୍ୟା ସୃଷ୍ଟି କରିବାର ଆଶଙ୍କା ସୃଷ୍ଟି କରିଛି । ଇତି ମଧ୍ୟରେ ଚିକିତ୍ସା ବିଶେଷଜ୍ଞମାନେ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଚେତାବନୀ ଦେଇଥିବାବେଳେ ରାଜ୍ୟର ବିଭିନ୍ନ କରୋନା ଚିକିତ୍ସାକେନ୍ଦ୍ରରେ ମୁତୟନ କର୍ମଚାରୀଙ୍କ କାର୍ଯ୍ୟକାଳକୁ ସରକାର ନଭେମ୍ବର ୩୦ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି ।

ଏଭଳି ସ୍ଥିତିରେ ପର୍ଯ୍ୟଟକମାନଙ୍କ ଉପରେ ନଜର ନରଖିବା ଓ ସେମାନଙ୍କୁ ଏଭଳି ମେଲା ମୁକୁଳା ଭାବେ ଛାଡିଦେବାକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହେବାରେ ଲାଗିଛି । ଆଗକୁ ଅଧିକରୁ ଅଧିକ ପର୍ଯ୍ୟଟକଙ୍କ ଆଗମନ ହେବାକୁ ଥିବାରୁ ତୁରନ୍ତ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ କରୋନା କଟକଣା ନିୟମ ପାଳନକୁ ଗୁରୁତ୍ୱ ଦେବା ସହିତ ଅମାନିଆଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମତପ୍ରକାଶ ପାଉଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here