Home Covid ଅମାନିଆଙ୍କ ପାଇଁ ରାଜଧାନୀରେ ହାଟ, ବଜାର ସିଲ୍‍

ଅମାନିଆଙ୍କ ପାଇଁ ରାଜଧାନୀରେ ହାଟ, ବଜାର ସିଲ୍‍

ଭୁବନେଶ୍ୱର : କରୋନା ସଂକ୍ରମଣ ରୋକିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭକରି ବୈଜ୍ଞାନିକଙ୍କ ପର୍ଯ୍ୟନ୍ତ ସମସ୍ତେ ଅନୁରୋଧ କରୁଥିଲେ ମଧ୍ୟ ରାଜଧାନୀବାସୀ ତାହାକୁ ମାନିବାକୁ ନାରାଜ । ସହରର ବିଭିନ୍ନ ସ୍ଥାନକୁ ପ୍ରଶାସନ ବାରମ୍ବାର ସିଲ୍‍ କରୁଥିବା ଘଟଣାରୁ ଏହା ସ୍ପଷ୍ଟ ହେବାରେ ଲାଗିଛି ।

ସଂକ୍ରମଣ ରୋକିବାପାଇଁ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ରକ୍ଷା କରିବା, ହାଟ ବଜାରରେ ଗହଳି ନକରିବାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ଏଥିପାଇଁ ଘର ପାଖ ଦୋକାନରୁ ସାମଗ୍ରୀ କିଣିବା ଉପରେ ଗୁରୁତ୍ୱ ଦିଆଯିବା ସହିତ ଏଥିପାଇଁ ସମୟ ଧାର୍ଯ୍ୟ ହୋଇଛି । ଲୋକଙ୍କ ଚାହିଦାକୁ ଦେଖି ସରକାର ଇତି ମଧ୍ୟରେ କଟକଣାକୁ ବି କିଛିଟା କୋହଳ କରିଛନ୍ତି ।

ହେଲେ ରାଜଧାନୀବାସୀ କଟକଣାକୁ ମାନୁ ନାହାନ୍ତି । ମାଛ ହାଟ ଠାରୁ ଆରମ୍ଭକରି ପନିପରିବା, ତେଜରାତି ଆଦି ଦୋକାନରେ ନାହିଁ ନଥିବା ଗହଳି । ଏଥିପାଇଁ ବିଏମ୍‍ସି ଓ ପୁଲିସ୍‍ ପ୍ରଶାସନ ସପ୍ତାହେ ତଳେ ୪ନମ୍ବର ପାଇକାରୀ ମାଛ ହାଟ ଓ ବାପୁଜୀନଗରକୁ ସିଲ୍‍ କରିଥିଲେ । ଏହି କଟକଣା ୨୫ତାରିଖ ପର୍ଯ୍ୟନ୍ତ ବଳବତ୍ତର ଥିଲା । ଆଜି ଏକ ନମ୍ବର ହାଟରେ ଅନୁରୂପ କଟକଣା ଜୁଲାଇ ପହିଲା ପର୍ଯ୍ୟନ୍ତ ଜାରି ହୋଇଛି ।

ସହରର ବିଭିନ୍ନ ହାଟ ବଜାରରେ ଲୋକେ ପୂର୍ବାପେକ୍ଷା ଅଧିକ ଗହଳି କରୁଛନ୍ତି । ଘରପାଖ ଦୋକାନରୁ ସାମଗ୍ରୀ କିଣିବା ବଦଳରେ ଦୁଇ ଚକିଆ ଓ ଚାରି ଚକିଆ ଯାନ ଧରି ଦୂରକୁ ଯାଉଛନ୍ତି । ପୁଲିସ୍‍ ଯାଞ୍ଚରେ ପଡି ଅନେକ ମୋଟା ଆକାରର ତଣ୍ଡ ଗଣୁଥିଲେ ବି ସେଥିପ୍ରତି ଖାତିର କରୁନାହାନ୍ତି । ତେବେ ଏଭଳି ଆଇନ୍‍ ଭଙ୍ଗକାରୀଙ୍କୁ ସରକାରଙ୍କ ଟିକାଦିଆ ଓ ସରକାରୀ ଦପ୍ତରକୁ ଯିବାପାଇଁ ହୋଇଥିବା କୋହଳ କଟକଣା ବେଶ୍‍ ସୁହାଇଛି । ଯଦି ପୁଲିସ୍‍ ହାବୁଡରେ ପଡୁଛନ୍ତି ତେବେ ଟିକା ନେବାକୁ ଯାଉଥିବା ନହେଲେ ସରକାରୀ କାମରେ ଯାଉଥିବା ଦର୍ଶାଇ ଖସୁଛନ୍ତି । ଏହା ଫଳରେ ନିଜେ ସଂକ୍ରମିତ ହେବା ସହିତ ନିଜର ପରିବାର ଓ ବନ୍ଧୁ ବାନ୍ଧବଙ୍କୁ ସଂକ୍ରମିତ କରିବାକୁମ ପଛାଉ ନାହାନ୍ତି ।

ରାଜ୍ୟରେ ଏବେ ଦୈନିକ କରୋନା ସଂକ୍ରମଣ ତିନି ରୁ ସାଢେ ତିନିହଜାର ମଧ୍ୟରେ ରହୁଥିବାବେଳେ ଭୁବନେଶ୍ୱର ଓ କଟକ ଭଳି ସହରର ଏଥିରେ ବଡ ଯୋଗଦାନ ରହୁଛି । ଲଗାତାର ଭାବେ ଦୀର୍ଘଦିନ ଧରି ଖୋରଧା ଜିଲ୍ଲା ସଂକ୍ରମଣ ତାଲିକାର ପ୍ରଥମ ସ୍ଥାନରେ ଥିବାବେଳେ ପ୍ରାୟତଃ ସଂଖ୍ୟାଧିକ ସଂକ୍ରମିତ ହେଉଛନ୍ତି ରାଜଧାନୀର । ସେହିଭଳି ଦୈନିକ ମୃତ୍ୟୁସଂଖ୍ୟା ୪୦ ଉପରେ ରହୁଥିବାବେଳେ ଏଥିରେ ରାଜଧାନୀ ଆଗରେ ରହୁଛି ।

କରୋନାର ଦ୍ୱିତୀୟ ଲହରରେ ପୁଲିସ୍‍ ପ୍ରଶାସନ ଯେହେତୁ ଅମାନିଆଙ୍କ ବିରୁଦ୍ଧରେ କଠୋର ହୋଇନାହିଁ ତେଣୁ ଏମାନେ ଆଇନ୍‍କୁ ମାନିବାକୁ ନାରାଜ । ବିଏମ୍‍ସି କର୍ତ୍ତୃପକ୍ଷ ସହରର ଗୋଟିଏ ପରେ ଗୋଟିଏ ହାଟ, ବଜାର ସମେତ ଅନେକ ହୋଟେଲ, ଦୋକାନ ଆଦି ସିଲ୍‍ କରିବା ସହିତ ମୋଟା ଆକାରର ଫାଇନ୍‍ ଆଦାୟ କରୁଛି । ତଥାପି ରାଜଧାନୀ ଲୋକେ ଚେତୁ ନଥିବା ଏବଂ ଏବେ ଓଡିଶାରେ କରୋନାର ମାରାତ୍ମକ ଭାରିଆଣ୍ଟ ଡେଲଟା ପ୍ଲସ ପ୍ରବେଶ କରିଥିବାରୁ ଆଗାମୀ ଦିନରେ କି ସ୍ଥିତି ଉପୁଜିବ ତାହାକୁ ନେଇ ସମସ୍ତେ ଚିନ୍ତାରେ ଅଛନ୍ତି । (ତଥ୍ୟ)