Home General ଅମାନିଆଙ୍କ ପାଇଁ ବନ୍ଦ ହେବ ପାର୍କ

ଅମାନିଆଙ୍କ ପାଇଁ ବନ୍ଦ ହେବ ପାର୍କ

108
0

ଭୁବନେଶ୍ୱର କଡା କଟକଣାକୁ ଅନେକ ଅମାନିଆ ଭ୍ରୁକ୍ଷେପ କରୁନଥିବା ଯୋଗୁଁ ରାଜଧାନୀର ପାର୍କଗୁଡିକ ବନ୍ଦହେବା ସମ୍ଭାବନା ଉପୁଜିଛି । ଏବେ ପୂର୍ବାପେକ୍ଷା କମ୍‍ ସଂଖ୍ୟକ ଲୋକ ପାର୍କକୁ ଆସୁଥିବାବେଳେ ସେମାନଙ୍କ ମଧ୍ୟରୁ ଖୁବ୍‍ କମ୍‍ ସଂଖ୍ୟକ ଲୋକ ମାସ୍କ ପିନ୍ଧୁଛନ୍ତି ଏବଂ ଯେଉଁମାନେ ବି ମାସ୍କ ପିନ୍ଧୁଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ମାସ୍କ ନେକ୍‍ ଟାଇ ଭଳି ବେକରେ ଝୁଲୁଛି ।

ଏଠାରେ ଉଲ୍ଲେଖନୀୟ ଯେ ପାର୍କଗୁଡିକରେ ମାସ୍କ ବ୍ୟବହାର ବାଧ୍ୟତାମୂଳକ ବୋଲି ନିକଟରେ ସରକାର ଘୋଷଣା କରିଛନ୍ତି । ଏହାଛଡା ମାସ୍କ ପିନ୍ଧୁନଥିବା ଲୋକଙ୍କ ପ୍ରତି ଜୋରିମାନାରାଶି ୨ହଜାର ଟଙ୍କା ପର୍ଯ୍ୟନ୍ତ ବି ବଢାଯାଇଛି । ଇତି ମଧ୍ୟରେ ପୁଲିସ୍‍ ଅମାନିଆଙ୍କ ଠାରୁ ମାସ୍କ ନପିନ୍ଧିବା ବାବଦରେ ୩କୋଟି ଟଙ୍କାରୁ ଅଧିକ ଅର୍ଥ ଆଦାୟ କରିସାରିଲାଣି । ଏହା ସତ୍ୱେ ବି ଅନେକ ଉଦ୍‍ଭ୍ରାନ୍ତ ଯୁବକ ଯୁବତୀ ବିନା ମାସ୍କରେ ପାର୍କଗୁଡିକରେ ଭ୍ରମଣ କରୁଛନ୍ତି । ନିରାପତ୍ତାରକ୍ଷୀ ସେମାନଙ୍କୁ ମାସ୍କ ପିନ୍ଧିବାଲାଗି ତାଗିଦ କଲେ ଓଲଟା ଉଚ୍ଚବାଚ କରୁଛନ୍ତି । ରାଜଧାନୀର ପ୍ରାୟ ସବୁ ପାର୍କରେ ପ୍ରତିଦିନ ଏଭଳି ଘଟଣା ଘଟୁଛି ।

କେବଳ ସେତିକି ନୁହେଁ, ପାର୍କରେ ବୁଲିବାବେଳେ ପରସ୍ପର ମଧ୍ୟରେ ଅନ୍ତତଃ ଦୁଇ ମିଟର ଦୂରତା ରକ୍ଷା କରିବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ମାର୍ଗଦର୍ଶିକାରେ ଉଲ୍ଲେଖ ଥିବାବେଳେ ଏହାର ଖୋଲା ଉଲ୍ଲଙ୍ଘନ କରି ଦଳ ଦଳ ହୋଇ ଯୁବକ ଯୁବତୀ ରାଜଧାନୀର ପାର୍କଗୁଡିକରେ ମଉଜ କରୁଛନ୍ତି । ପରିସ୍ଥିତି ବିଗୁଡୁଥିବାରୁ ଏହି ଅମାନିଆମାନେ ଯେମିତି କୋଭିଡର ସୁପରସ୍ପ୍ରେଡର ନହୁଅନ୍ତି ତାହାକୁ ଆଖିଆଗରେ ରଖି ପୂର୍ବଥର ଭଳି ପାର୍କଗୁଡିକ ବନ୍ଦ ରଖିବାପାଇଁ ବିଭିନ୍ନ ଅଞ୍ଚଳର ବରିଷ୍ଠ ନାଗରିକମାନେ ମତପ୍ରକାଶ କରୁଛନ୍ତି ।

ଉତ୍ସୃଙ୍ଖଳ ଯୁବକ ଯୁବତୀମାନେ ମୋଟରସାଇକେଲରେ ଦୁଇ ତିନିଜଣ ଲେଖାଏଁ ଖୁନ୍ଦାଖୁନ୍ଦି ହୋଇ ବି ଚକ୍କର କାଟୁଛନ୍ତି । ଏଥର କରୋନାର ଦ୍ୱିତୀୟ ଲହରରେ ଅନେକ ଯୁବକ ଯୁବତୀ ସଂକ୍ରମିତ ହେଉଥିବା ପରିପ୍ରେକ୍ଷୀରେ କଟକଣା କଡାକଡି କରିବାପାଇଁ ଦାବି ହେଉଛି । କରୋନାର ଭୟାବହତାକୁ ଉପେକ୍ଷା କରି ଏମାନେ ଯେଭଳି ମଦ୍ୟପାନ, ଧୂମପାନ, ଗୁଟ୍‍ଖା ସେବନ ଆଦି କରି ପାର୍କ ଠାରୁ ରାସ୍ତାଘାଟ ପର୍ଯ୍ୟନ୍ତ ଧୂଆଁ ଛାଡୁଛନ୍ତି, ଛେପ ପକାଉଛନ୍ତି ଓ ନିଶାଶକ୍ତ ଅବସ୍ଥାରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ତାହାକୁ ଆଖିଆଗରେ ରଖି ମଦ, ସିଗାରେଟ, ପାନ ଆଦିର ବିପଣନ ଓ ସେବନ ଉପରେ ଗତବର୍ଷ ଭଳି କଡା କଟକଣା ଜାରି କରିବାପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ମତପ୍ରକାଶ କରୁଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ଗତବର୍ଷ ଏପ୍ରିଲ ମାସରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‍ଡାଉନ୍‍ ଘୋଷଣା ବେଳକୁ ଓଡିଶାରେ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୭୦ରୁ କମ୍‍ ଥିବାବେଳେ ସେମାନଙ୍କ ଭିତରେ ଅଧାରୁ ଅଧିକ ଥିଲେ ଭୁବନେଶ୍ୱରର । ଏବେ ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ୫ହଜାର ମୁହାଁ ହୋଇଥିବାବେଳେ ଲୋକେ ନିଜେ ନିଜକୁ ନଜଗିଲେ ପରିସ୍ଥିତି ଭୟାନକ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଉଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here