Home Energy ଅଭିଯୋଗକାରୀଙ୍କୁ ଚଢଉ ଭୟ

ଅଭିଯୋଗକାରୀଙ୍କୁ ଚଢଉ ଭୟ

ଭୁବନେଶ୍ୱର : ରାଜ୍ୟର ବିଜୁଳି ବଣ୍ଟନ ବ୍ୟବସ୍ଥା ଟାଟା ପାୱାର ହାତକୁ ଯିବାପରେ ସ୍ଥିତିରେ ଉନ୍ନତି ଆସିବ ବୋଲି ଗ୍ରାହକମାନେ ଯାହା ଆଶା କରିଥିଲେ ଧିରେ ଧିରେ ତାହା ମିଳେଇବାରେ ଲାଗିଛି । ଅବସ୍ଥା ଏଭଳି ହୋଇଛି ଯେ ଗ୍ରାହକସେବା କେନ୍ଦ୍ରରେ ଯିଏ ଅଭିଯୋଗଟିଏ କରୁଛି ବିଦ୍ୟୁତ୍‍ କର୍ମଚାରୀମାନେ ତାହାରି ଘର ଖୋଜି ଖୋଜି ଚଢଉ କରୁଛନ୍ତି । ଫଳରେ ଗ୍ରାହକମାନେ ପଛେ ଅନ୍ଧାରରେ ରହୁଛନ୍ତି ହେଲେ ଆଉ ଅଭିଯୋଗ କରି ଝାମେଲାରେ ପଶିବାକୁ ଚାହୁଁ ନାହାନ୍ତି ।

ଏଭଳି ଅଭିଯୋଗ ଆସିଛି ଜଗତ୍‍ସିଂହପୁର ଜିଲ୍ଲାରୁ । ଏହି ଜିଲ୍ଲାରେ ବିଦ୍ୟୁତ୍‍ ବିତରଣ ଦାୟିତ୍ୱରେ ସେସୁ ଥିବାବେଳେ ତାହାର ଫ୍ରାଞ୍ଚାଇଜ ନେଇଥିବା ଏନ୍‍ଜେନ୍‍ କର୍ତ୍ତୃପକ୍ଷ ଗ୍ରାହକଙ୍କୁ ଭୟଭୀତ କରିବାପାଇଁ ଏଭଳି ପନ୍ଥା ଆପଣଉଥିଲେ । ଯଦି କୌଣସି ଗ୍ରାହକ ନିଜ ଅଞ୍ଚଳରେ ଲୋ ଭୋଲଟେଜ, ବାରମ୍ବାର ବିଜୁଳି କାଟ୍‍ କିମ୍ବା ଟ୍ରାନ୍ସଫର୍ମର ଖରାପ ନେଇ ଅଭିଯୋଗ କରୁଥିଲେ ତେବେ ଏନ୍‍ଜେନ୍‍ର କର୍ମଚାରୀ ସମ୍ପୃକ୍ତ ଗ୍ରାହକଙ୍କ ଘରେ ପଶି ମିଟର ଯାଞ୍ଚ ବାହାନାରେ ନାନା ପ୍ରକାର ହଇରାଣ କରୁଥିଲେ ।

ଏବେ ଟାଟା ପାୱାର କର୍ତ୍ତୃପକ୍ଷ ବି ସମାନ ନୀତି ଆପଣେଇଛନ୍ତି । ଏହାର ଗୋଟିଏ ଉଦାହରଣ ହେଉଛି ଜଗତ୍‍ସିଂହପୁର ଜିଲ୍ଲାର ପଲ୍ଲୀ ପଞ୍ଚାୟତରେ ଗୋଟିଏ ଟ୍ରାନ୍ସଫର୍ମର ପ୍ରାୟ ୪ମାସ ହେଲା ପୋଡି ଯାଇଛି । ଟାଟା ପାୱାର କର୍ତ୍ତୃପକ୍ଷ ନୂଆ ଟ୍ରାନ୍ସଫର୍ମର ବସାଇବା ବଦଳରେ ସେହିସବୁ ଗ୍ରାହକଙ୍କୁ ଅନ୍ୟଏକ ଛୋଟ ଟ୍ରାନ୍ସଫର୍ମରରେ ଯୋଡି ଦେଇଛନ୍ତି ।

ଫଳରେ ଲୋଭୋଲଟେଜ ସମସ୍ୟାରେ ଗ୍ରାହକ ଘାଣ୍ଟି ହେଉଛନ୍ତି । ଏ ସଂକ୍ରାନ୍ତରେ ଯିଏ ଟାଟା ପାୱାରର ଅଭିଯୋଗ କେନ୍ଦ୍ରକୁ ଫୋନ୍‍ କରି ଅଭିଯୋଗ ଦରଜ କରୁଛି ତିନି ଚାରିଦିନ ପରେ ତାହାରି ଘର ଖୋଜି ଖୋଜି ଟାଟା କର୍ମଚାରୀମାନେ ମିଟର ଯାଞ୍ଚ ବାହାନାରେ ନାନା ପ୍ରକାର ହଇରାଣ ହରକତ କରୁଛନ୍ତି । ଏ ସଂକ୍ରାନ୍ତରେ ତଳୁ ଉପର ପର୍ଯ୍ୟନ୍ତ ସମସ୍ତେ ଅବଗତ ଥିଲେ ବି କାର୍ଯ୍ୟାନୁଷ୍ଠାନ ଶୂନ ।

ଗୋଟିଏ ପଟେ ଟାଟା ପାୱାରର ଗ୍ରାହକସେବା କେନ୍ଦ୍ର ଠିକଣା ଭାବେ କାର୍ଯ୍ୟକରୁନଥିବାବେଳେ ଅନ୍ୟ ପଟେ ଅଭିଯୋଗକାରୀ ଯଦି ନିର୍ଯ୍ୟାତନାର ଶିକାର ହେବେ ତେବେ କିଭଳି ଉନ୍ନତ ବିଜୁଳି ସେବା ପାଇବେ ତାହା ବଡ ସମସ୍ୟା ହୋଇଛି । ବିଜୁଳି ବିଲ୍‍ ଆଦାୟରେ ଟାଟା କର୍ତ୍ତୃପକ୍ଷ ହେଳା କରୁନଥିବାବେଳେ ଗ୍ରାହକଙ୍କ ସମସ୍ୟା ସମାଧାନ ଦିଗରେ ଏଭଳି ନୀତି କ’ଣ ପାଇଁ ଆପଣଉଛନ୍ତି ତାହାକୁ ନେଇ ଏବେ ବିଜୁଳି ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।

ଗୋଟିଏ ପଟେ ଲଗାତର ଭାବେ ବିଜୁଳି ଦର ହୁ ହୁ ହୋଇ ବଢୁଥିବାବେଳେ ଅନ୍ୟ ପଟେ ସେବାର ମାନ କମିବା ଓ ବିତରଣ କମ୍ପାନୀର ବାରମ୍ବାର ପରିବର୍ତ୍ତନ ଯୋଗୁଁ ଗ୍ରାହକମାନେ ଏବେ ମହରଗରୁ ଯାଇ କାନ୍ତାରରେ ପଡିବା ଭଳି ଅବସ୍ଥା ହୋଇଛି । (ତଥ୍ୟ)