Home General ଅବେଳରେ ଚାଲିଗଲେ ଅଶୋକ

ଅବେଳରେ ଚାଲିଗଲେ ଅଶୋକ

ଭୁବନେଶ୍ୱର : ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କର ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପରଲୋକ ହୋଇଯାଇଛି । ପୁରୀ ରଥଯାତ୍ରାର ଫଟୋ ଉତ୍ତୋଳନ ପାଇଁ ଭୁବନେଶ୍ୱରରୁ ପୁରୀ ଯାଉଥିବା ସମୟରେ ସାତଶଙ୍ଖ ନିକଟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା ।

ଗାଡି ଧକାରେ ରାସ୍ତାକଡକୁ ଛିଟିକି ପଡିଥିବା ଅଶୋକଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ତୁରନ୍ତ ପୁଲିସ୍‍ କ୍ୟାପିଟାଲ ହସ୍ପିଟାଲ ଆଣିଥିବାବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଅଶୋକଙ୍କର ପତ୍ନୀ ଓ ଗୋଟିଏ ଦଶ ବର୍ଷର ଝିଅ ରହିଛି ।

ଜାତୀୟ ସ୍ତରର ଇଂରାଜୀ ଖବର କାଗଜ ଟାଇମ୍ସ ଅଫ୍‍ ଇଣ୍ଡିଆ, ପାଇଓନିୟରରେ ଫଟୋ ସାମ୍ବାଦିକ ଭାବେ କାର୍ଯ୍ୟ କରିବା ସହିତ ୧୯୯୬ ମସିହାରୁ ଓଡିଆ ଦୈନିକ ସମୟ ଖବରକାଗଜ ସହିତ ଜଡିତ ଥିଲେ । ସାମ୍ବାଦିକ ମହଲରେ ଜଣେ ବନ୍ଧୁବତ୍ସଳ ବ୍ୟକ୍ତିଭାବେ ଅଶୋକଙ୍କର ବେଶ୍‍ ସୁନାମ ଥିଲା ।

ଆଜି ହଠାତ୍‍ ତାଙ୍କର ମୃତ୍ୟୁଖବର ପାଇଁ ସମେସ୍ତ ସ୍ତବ୍ଧ ହୋଇ ଯାଇଥିଲେ । ଅନେକ ଏହାକୁ ସହଜରେ ବିଶ୍ୱାସ କରିପାରି ନଥିଲେ । ସତ୍ୟାସତ୍ୟ ଜାଣିବାପାଇଁ କିଛି ସାମ୍ବାଦିକ କ୍ୟାପିଟାଲ ହସ୍ପିଟାଲକୁ ଯାଇଥିଲେ ।

ଶ୍ରୀ ପଣ୍ଡାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଅମର ଆତ୍ମାର ସଦ୍‍ଗତି ସହିତ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ସେହିଭଳି ରାଜ୍ୟ ଖାଦ୍ୟ ଯେଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ଅଶୋକଙ୍କ ଅକାଳ ବିୟୋଗରେ ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।