Home Excise ଅବକାରୀ ରାଜସ୍ୱ ବଢିଛି ୬୦ଗୁଣ

ଅବକାରୀ ରାଜସ୍ୱ ବଢିଛି ୬୦ଗୁଣ

ଭୁବନେଶ୍ୱର : ପଚିଶ ବର୍ଷ ଭିତରେ ଓଡିଶାରେ ଅବକାରୀ ରାଜସ୍ୱ ସଂଗ୍ରହ ଅନ୍ୟୁନ ୬୦ଗୁଣ ବଢିଛି । ଏଥି ସହ ତାଳ ଦେଇ ନିଶା କାରବାର ଓ ନିଶାଡିଙ୍କ ସଂଖ୍ୟା ବି ବୃଦ୍ଧି ପାଇବାରେ ଲାଗିଛି ।

୧୯୯୮ ବେଳକୁ ଓଡିଶାରେ ଅବକାରୀ ରାଜସ୍ୱ ସଂଗ୍ରହ ପରିମାଣ ବର୍ଷକୁ ପ୍ରାୟ ୧୨୫ କୋଟି ଟଙ୍କା ରହୁଥିଲା । ୨୦୦୦ ବେଳକୁ ରାଜ୍ୟର ଅବକାରୀ ରାଜସ୍ୱ ପରିମାଣ ୧୩୫ କୋଟି ଟଙ୍କାରୁ କିଛି ଅଧିକ ଥିବାବେଳେ ଏହା ବଢି ବଢି ୨୦୧୦-୧୧ ବର୍ଷରେ ୧୦୯୪ କୋଟି ଟଙ୍କାରୁ ଅଧିକ ହୋଇଥିଲା ।

ସରକାରୀ ତଥ୍ୟ ମୁତାବକ ୨୦୧୪-୧୫ ବର୍ଷ ବେଳକୁ ଓଡିଶାର ଅବକାରୀ ରାଜସ୍ୱ ପରିମାଣ ୨୦୩୯ କୋଟି ଟଙ୍କା ଥିବାବେଳେ ୨୦୧୬-୧୭ରେ ଏହା ଥିଲା ୨୭୮୩ କୋଟି ଟଙ୍କା । ୨୦୨୨-୨୩ ବର୍ଷରେ ଓଡିଶା ସରକାର ୬୪୫୫ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଅବକାରୀ ରାଜସ୍ୱ ସଂଗ୍ରହ କରିଥିବାବେଳେ ଚଳିତ ଆର୍ଥିକ ବର୍ଷରେ ଏହା ପ୍ରାୟ ୭୮୦୦ କୋଟି ଟଙ୍କା ହେବ ବୋଲି ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ।

ନିଶାଡିମାନଙ୍କ ଚାହିଦା ମେଣ୍ଟାଇବାପାଇଁ ରାଜ୍ୟ ସରକାର ଲାଇସେନ୍ସପ୍ରାପ୍ତ ମଦଦୋକାନଗୁଡିକ ମାଧ୍ୟମରେ ବିଶୁଦ୍ଧ ମଦ ଯୋଗାଉଥିବା କୁହାଯାଉଛି । ଯଦି ନିଶାଡିଙ୍କ ଚାହିଦା ପୂରଣ ପାଇଁ ମଦ ଯୋଗାଣ କରାନଯାଏ ତେବେ ଚୋରାମଦ କାରବାର ବୃଦ୍ଧି ପାଇ ଅଧିକରୁ ଅଧିକ ସଂଖ୍ୟକ ମଦମୃତ୍ୟୁ ଦୁର୍ଘଟଣା ଘଟିବା ଓ ଏଥିଯୋଗୁଁ ଧନଜୀବନ ନଷ୍ଟ ହେବାର ମଧ୍ୟ ଆଶଙ୍କା ରହିଛି ।

ସରକାରୀ ତଥ୍ୟ ମୁତାବକ ଗତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟରେ ୪୩୮୩ ଟି ଲାଇସେନ୍ସପ୍ରାପ୍ତ ଅବକାରୀ ଦୋକାନ ଥିଲା । ଚଳିତ ବର୍ଷ ଆଉ ୮୩ଟି ନୂଆ ଦୋକାନ ମଞ୍ଜୁର ହୋଇଥିବା ପରିପ୍ରେକ୍ଷୀରେ ଏହି ସଂଖ୍ୟା ୪୪୬୬କୁ ବୃଦ୍ଧି ପାଇବାକୁ ଯାଉଛି । ଏଥି ମଧ୍ୟରେ ରହିଛି ୫୫୧ଟି ମହୁଲି ମଦ ଦୋକାନ ଓ ତାହାର ୧୪୬୫ଟି ଶାଖା ଦୋକାନ । ଏହାଛଡା ରାଜ୍ୟରେ ୧୧୬୩ଟି ଭାରତ ତିଆରି ବିଦେଶୀ ଠିପି ବନ୍ଦ ମଦଦୋକାନ, ହୋଟେଲ ଓ ରେଷ୍ଟୁରାଣ୍ଟରେ ୬୯୯ଟି ଠିପିଖୋଲା ମଦଦୋକାନ, ୨୪୨ଟି ଦେଶୀ ମଦ ଦୋକାନ ରହିଛି । ଏହାବାଦ୍‍ ଭାଙ୍ଗ, ତାଡି ଆଦି ବିକିବା ପାଇଁ ବି ଲାଇସେନ୍ସପ୍ରାପ୍ତ ଦୋକାନମାନ ରହିଛି ।

କେବଳ ଲାଇସେନ୍ସପ୍ରାପ୍ତ ମଦଦୋକାନଗୁଡିକରେ ବର୍ଷକୁ ୨୫କୋଟି ଲିଟରରୁ ଅଧିକ ମଦ ବେପାର ହେଉଛି । ଗତ ଆର୍ଥିକ ବର୍ଷରେ ଲାଇସେନ୍ସପ୍ରାପ୍ତ ମଦଦୋକାନଗୁଡିକ ୫୩୦ଲକ୍ଷ ଲିଟର ଭାରତ ତିଆରି ବିଦେଶୀ ମଦ, ୧୨୧୦ଲକ୍ଷ ଲିଟର ବିୟର, ୮୪ଲକ୍ଷ ଲିଟର ଦେଶୀ ମଦ ଓ ୬୪୪ଲକ୍ଷ ଲିଟରରୁ ଅଧିକ ମହୁଲି ମଦ ଉଠାଇଥିଲେ । ଚଳିତ ବର୍ଷ ଏହି ପରିମାଣ ଅଧିକ ବଢିପାରେ ବୋଲି ଆଶଙ୍କା କରାଯାଉଛି ।

ଲାଇସେନ୍ସପ୍ରାପ୍ତ ନିଶା ଦୋକାନଗୁଡିକରେ ରାଜଧାନୀରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ବେଶ୍‍ ଭିଡ ପରିଲକ୍ଷିତ ହେଉଥିବାବେଳେ କ୍ୟାଣ୍ଟିନ, ବାର୍‍, ଡ୍ୟାନ୍ସବାର୍‍, ବିୟର ପାର୍ଲର ଆଦିରେ ବି ଯୁବ ସମ୍ପ୍ରଦାୟଙ୍କର ଅଧିକ ଭିଡ ପରିଲକ୍ଷିତ ହେଉଛି । ଏହା ସତ୍ତ୍ୱେ ପ୍ରାୟ ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବିପୁଳ ପରିମାଣର ଚୋରା ମଦ, ଗଞ୍ଜେଇ, ବ୍ରାଉନସୁଗାର, ଚରସ, ହେରୋଇନ୍‍ ଓ ଅନ୍ୟାନ୍ୟ ନିଶା ସାମଗ୍ରୀ ଜବତ ହେଉଛି । ଯେତିକି ଚୋରା ନିଶା ସାମଗ୍ରୀ ଧରାପଡୁଛି ତାହାର ଢେର ଅଧିକ ଗୁଣ ବିକ୍ରି ହେଉଥିବା ଘେନି ଆଶଙ୍କା ପ୍ରକାଶ ପାଉଛି । ଏମିତିକି କେତେକ ସ୍ଥଳରେ ଚୋରା ନିଶା ବେପାରୀମାନେ ଅବକାରୀ ଓ ପୁଲିସ୍‍ ଉପରେ ଆକ୍ରମଣ କରିବାକୁ ପଛାଉ ନାହାନ୍ତି । ରାଜ୍ୟରେ ଯେତେ ନିଶା ଜନିତ ମାମଲା ରୁଜୁ ହେଉଛି ସେଥିରେ ଦଣ୍ଡବିଧାନ ହାର ଅତ କମ୍‍ ରହୁଥିବା ଓ ବିଚାର ପ୍ରକ୍ରିୟା ବିଳମ୍ବ ହେଉଥିବାରୁ ଚୋରା ନିଶା କାରବାର ବଢୁଥିବା କୁହାଯାଉଛି । (ତଥ୍ୟ)