Home Administration ଅବକାରୀ ବିଭାଗରେ ମାଳ ମାଳ ପଦବୀ ଖାଲି

ଅବକାରୀ ବିଭାଗରେ ମାଳ ମାଳ ପଦବୀ ଖାଲି

ଭୁବନେଶ୍ୱର : ରାଜ୍ୟରୁ ନିଶା କାରବାରର ମୂଳୋତ୍ପାଟନ ପାଇଁ ଅବକାରୀ ବିଭାଗ ଅଭିଯାନ ଆରମ୍ଭ କରିଥିବାବେଳେ କର୍ମଚାରୀ ଅଭାବ ଏ କ୍ଷେତ୍ରରେ ବଡ ପ୍ରତିବନ୍ଧକ ସାଜିଛି । ବିଭାଗରେ ତଳୁ ଉପର ପର୍ଯ୍ୟନ୍ତ ମାଳ ମାଳ ପଦବୀ ଖାଲି ପଡିଥିବାରୁ ନିଶା ମାଫିଆଙ୍କୁ ଏହା ସୁହାଉଛି ।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅବକାରୀ ନିର୍ଦ୍ଦେଶାଳୟରେ ୫୭ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବାବେଳେ ଏଥିରୁ ୩୦ଟି ଖାଲି ପଡିଛି । ଅତିରିକ୍ତ ଅବକାରୀ କମିଶନର ଓ ଯୁଗ୍ମ ଅବକାରୀ କମିଶନର ପାହ୍ୟାରେ ଥିବା ସମସ୍ତ ପଦବୀ ଖାଲି ପଡିଛି । ଉଲ୍ଲେଖନୀୟ ଯେ ନିର୍ଦ୍ଦେଶାଳୟରେ ୪ଟି ଅତିରିକ୍ତ କମିଶନର ଓ ୬ଟି ଯୁଗ୍ମ କମିଶନର ପଦବୀ ରହିଛି । ସେହିଭଳି ନିର୍ଦ୍ଦେଶାଳୟରେ ଥିବା ୨ଟି ଅବକାରୀ ସୁପରିଟେଣ୍ଡଣ୍ଟ ପଦବୀ ମଧ୍ୟ ଖାଲି ପଡିଛି । ଅବକାରୀ କମିଶନରଙ୍କ ବ୍ୟକ୍ତିଗତ ସହାୟକ ପଦବୀଟି ବି ଖାଲି ।

ଅବକାରୀ ସଂଗଠନରେ ମୋଟ୍‍ ୨୩୫୦ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବାବେଳେ ଏଥିରୁ ୮୦୫ଟି ଖାଲି ପଡିଛି । ୪୫ଟି ଅବକାରୀ ସୁପରିଟେଣ୍ଡଣ୍ଟ ପଦବୀ ମଧ୍ୟରୁ ୩୦ଟି ଖାଲି ପଡିଥିବାବେଳେ ୧୪୧ ଅବକାରୀ ଇନ୍ସପେକ୍ଟର ପଦବୀ ମଧ୍ୟରୁ ୪୫ଟି ଫାଙ୍କା ରହିଛି । ୨୭୮ଟି ମଞ୍ଜୁରୀପ୍ରାପ୍ତ ଅବକାରୀ ସବଇନ୍ସପେକ୍ଟର ପଦବୀ ଥିବାବେଳେ ଏଥିରୁ ୧୨୮ଟି ଖାଲି ପଡିଛି । ସେହିଭଳି ୧୩୩୭ ଅବକାରୀ କନେଷ୍ଟବଳ ପଦବୀ ମଧ୍ୟରୁ ୪୫୯ଟି ଖାଲି ରହିଛି ।

ରାଜ୍ୟରେ ଏବେ ନିଶା କାରବାର ବିଶେଷକରି ବ୍ରାଉନସୁଗାର ବେପାରର ପେଣ୍ଟସ୍ଥଳୀ ପାଲଟିଥିବା ବାଲେଶ୍ୱର ଜିଲ୍ଲାରେ ୨ଟି ଅବକାରୀ ଡେପୁଟୀ ସୁପରିଟେଣ୍ଡଣ୍ଟ ପଦବୀ ମଧ୍ୟରୁ ଗୋଟିଏ ଖାଲି ପଡିଥିବାବେଳେ ଖୋରଧାରେ ୪ଟି ପଦବୀ ମଧ୍ୟରୁ ୨ଟି ଖାଲି ପଡିଛି । କଟକରେ ୩ଟି ପଦବୀ ମଧ୍ୟରୁ ୨ଟି ଖାଲି ପଡିଥିବାବେଳେ ଜଗତ୍‍ସିଂହପୁର ଜିଲ୍ଲାରେ ୨ଟି ପଦବୀରୁ ଗୋଟିଏ ଖାଲି । ଉଲ୍ଲେଖନୀୟ ଯେ ଏହିସବୁ ଜିଲ୍ଲା ଏବେ ନିଶା ମାଫିଆଙ୍କ ଚରାଭୁଇଁ ପାଲଟିଛି ।

ନିଶା କାରବାର ନିୟନ୍ତ୍ରଣ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଅବକାରୀ ଇନ୍ସପେକ୍ଟର ପଦବୀ ମଧ୍ୟ କେତେକ ଜିଲ୍ଲା ସମ୍ପୂର୍ଣ୍ଣ ଭାବେ ନାହାନ୍ତି । ବାଲେଶ୍ୱରରେ ୪ଟି ପଦବୀ ମଧ୍ୟରୁ ଗୋଟିଏ ଖାଲି ପଡିଥିବାବେଳେ ଜଗତ୍‍ସିଂହପୁରରେ ୪ଟିରୁ ୨ଟି, ଖୋରଧାରେ ୬ଟିରୁ ଗୋଟିଏ, ମାଲକାନଗିରିରେ ୩ଟିରୁ ୨ଟି ଏବଂ ପୁରୀରେ ୪ଟିରୁ ଗୋଟିଏ ପଦବୀ ଖାଲି ପଡିଛି ।

ଅବକାରୀ ବିଭାଗ ନିକଟରେ ଯେତିକି ମାନବ ସମ୍ବଳ ସେମାନଙ୍କ ସହାୟତାରେ ଚଳିତ ବର୍ଷ ସେପ୍ଟେମ୍ବର ଶେଷସୁଦ୍ଧା ୪୫ କିଲୋରୁ ଅଧିକ ବ୍ରାଉନସୁଗାର ଜବତ ହୋଇଛି ଯାହାକି ଓଡିଶାରେ ସର୍ବକାଳୀନ ରେକର୍ଡ । ସେହିଭଳି ବିଭାଗ ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ୧୬୦ କୁଇଣ୍ଟାଲ ଗଞ୍ଜେଇ ବି ଜବତ କରିସାରିଲାଣି । ଗଞ୍ଜେଇଚାଷ ହେଉଥିବା ଅଞ୍ଚଳରେ ଏବେ ଏହାକୁ ନଷ୍ଟ ପାଇଁ ଅଭିଯାନ ଚାଲିଥିବାବେଳେ କର୍ମଚାରୀ ଅଭାବ ଏ କ୍ଷେତ୍ରରେ ଅନ୍ତରାୟ ସାଜିଛି ।

ତେବେ ରାଜ୍ୟ ସରକାର ବିଭାଗରେ ଖାଲି ପଡିଥିବା ପଦବୀ ପୂରଣ ପାଇଁ ପଦକ୍ଷେପ ଆରମ୍ଭ କରିଥିବାରୁ ଏ କ୍ଷେତ୍ରରେ ଆଶା ସଞ୍ଚାର ହୋଇଛି । ସମସ୍ତ ମଞ୍ଜୁରୀପ୍ରାପ୍ତ ପଦବୀ ପୂରଣ ହେଲେ ନିଶା ବିରୋଧି ଅଭିଯାନ ଆହୁରି ତ୍ୱରନ୍ୱିତ ହୋଇପାରିବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ମତପ୍ରକାଶ କରୁଛନ୍ତି । (ତଥ୍ୟ)