Home News in Odia ଅବକାରୀ ଧରପଗଡ ଯୋଗୁଁ ମଇରେ ୩୭୨୩ ଗିରଫ

ଅବକାରୀ ଧରପଗଡ ଯୋଗୁଁ ମଇରେ ୩୭୨୩ ଗିରଫ

ଭୁବନେଶ୍ୱର : ମଇ ମାସରେ ଅବକାରୀ ବିଭାଗ ଧରପଗଡକୁ ଜୋରଦାର କରିବା ଫଳରେ ଅଧିକରୁ ନିଶା ସାମଗ୍ରୀ ସହିତ ନିଶା ବେପାରୀ ଧରାପଡିଛନ୍ତି । କେବଳ ଏହି ଗୋଟିଏ ମାସରେ ନିଶା କାରବାର ଅଭିଯୋଗରେ ୩୭୨୩ ଜଣ ବ୍ୟକ୍ତି ଗିରଫ ହୋଇଥିବାବେଳେ ୧୪କୋଟିରୁ ଅଧିକ ଟଙ୍କାର ସାମଗ୍ରୀ ଜବତ ହୋଇଛି । ଅବକାରୀ କମିଶନର ଆଶିଷ କୁମାର ସିଂହ ମଇ ମାସର ସମୀକ୍ଷା କରିବା ସମୟରେ ଏହି ସୂଚନା ମିଳିଛି ।

ଶ୍ରୀ ସିଂହ କରିଥିବା ସମୀକ୍ଷାରୁ ଜଣାଯାଇଛି ଯେ ମଇମାସରେ ଅବକାରୀ ବିଭାଗର କାର୍ଯ୍ୟାନୁଷ୍ଠାନ ଫଳରେ ୩୭୨୩ ଜଣ ବ୍ୟକ୍ତି ଗିରଫ ହୋଇଥିବାବେଳେ ୪୫୨୦ଟି ମାମଲା ରୁଜୁ ହୋଇଛି । ଗିରଫ ଓ ମାମଲା ରୁଜୁ ସଂଖ୍ୟା ୨୦୨୧ ମଇମାସ ତୁଳନାରେ ପ୍ରାୟ ଦୁଇଗୁଣା ରହିଛି । ସେହିଭଳି ଚଳିତ ମଇ ମାସରେ ଜବତ ମୋଟ୍‍ ସାମଗ୍ରୀର ମୂଲ୍ୟ ୧୪କୋଟି ୫୦ଲକ୍ଷ ଟଙ୍କା ଆକଳନ ହୋଇଥିବାବେଳେ ଗତବର୍ଷ ଏହି ସମୟରେ ୯କୋଟି ୨୫ଲକ୍ଷ ଟଙ୍କାର ସାମଗ୍ରୀ ଜବତ ହୋଇଥିଲା ।

ଚଳିତବର୍ଷ ମଇ ମାସରେ ଅବକାରୀ ବିଭାଗର ଜୋରଦାର ଧରପଗଡ ଯୋଗୁଁ ୧,୨୬,୭୭୯ ଲିଟର କାରଖାନା ତିଆରି ଦେଶୀମଦ ଜବତ ହୋଇଥିବାବେଳେ ୧୩,୦୧,୨୬୫ ଲିଟର ମଦ ପ୍ରସ୍ତୁତ ସାମଗ୍ରୀ, ୭୮୦ଲିଟର ଦେଶୀ ମଦ, ୯୩୫ ଲିଟର ବିଦେଶୀ ମଦ ଓ ୫୩୦୯ ବୋତଲ ବିୟର ଜବତ ହୋଇଛି । ସେହିଭଳି ଅବକାରୀ ଅଧିକାରୀମାନେ ୩୫୫ଲିଟର ନକଲି ବିଦେଶୀ ମଦ ଜବତ କରିଥିବାବେଳେ ୩୭୧୭ କିଲୋ ଭାଙ୍ଗ, ୫୯୫ କିଲୋ ମହୁଲି ଫୁଲ ସମେତ ୧୭୮ଟି ବିଭିନ୍ନ କିସମର ଗାଡିମୋଟର ଜବତ କରିଛନ୍ତି । ତେବେ ଜବତ ହୋଇଥିବା ଗାଡିମୋଟର ସଂଖ୍ୟା ଗତବର୍ଷ ମଇମାସ ତୁଳନାରେ ଦୁଇ ଗୁଣରୁ ଅଧିକ ରହିଛି ।

ତେବେ ଚଳିତବର୍ଷ ମାସରେ ଗଞ୍ଜେଇ ଓ ବ୍ରାଉନସୁଗାର ଭଳି ନିଶା ସାମଗ୍ରୀ ଜବତ କ୍ଷେତ୍ରରେ ଅବକାରୀ ବିଭାଗକୁ ବଡ ସଫଳତା ମିଳିଛି । ମଇମାସରେ ୩୨୭୭ କିଲୋ ଗଞ୍ଜେଇ ଜବତ କରିଥିବାବେଳେ ୧୦୫୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଗତବର୍ଷ ମଇ ମାସ ତୁଳନାରେ ୨୩୬ ପ୍ରତିଶତ ଅଧିକ ଗଞ୍ଜେଇ ଓ ୯୮ପ୍ରତିଶତରୁ ଅଧିକ ବ୍ରାଉନସୁଗାର ଜବତ କରାଯାଇଛି । ଏହିସବୁ ସାମଗ୍ରୀ କାରବାର ଅଭିଯୋଗରେ ୭୦ଟି ମାମଲା ରୁଜୁ ସହିତ ୮୪ଜଣଙ୍କୁ ଗିରଫ କରାଯାଇଛି ।

ସେହିଭଳି ଜୁନ୍‍ ମାସର ପ୍ରଥମ ୯ଦିନ ମଧ୍ୟରେ ଅବକାରୀ ବିଭାଗ ୨କୋଟି ଟଙ୍କାର ଅଧିକ ମୂଲ୍ୟର ସାମଗ୍ରୀ ଜବତ ସହିତ ୯୯୫ ଜଣଙ୍କୁ ଗିରଫ କରିଥିବା ସମୀକ୍ଷାରୁ ଜଣାଯାଇଛି । ଏହି ନଅ ଦିନ ମଧ୍ୟରେ ଅବକାରୀ କାରବାର ଅଭିଯୋଗରେ ୧୧୬୫ଟି ମାମଲା ରୁଜୁ ହୋଇଥିବାବେଳେ ୩୦,୯୪୯ ଲିଟର କାରଖାନା ତିଆରି ଦେଶୀମଦ, ୩,୨୩,୬୬୫ କିଲୋ ମଦ ତିଆରି ସାମଗ୍ରୀ, ୧୩୦ଲିଟର ନକଲି ବିଦେଶୀ ମଦ, ୮୦୫ କିଲୋ ଗଞ୍ଜେଇ ଓ ୨୫୫ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଏଥି ସହିତଅବକାରୀ ବିଭାଗ ୫୮୯ଲିଟର ବିୟର, ୨୭୯ ଲିଟର ବିଦେଶୀ ମଦ ସମେତ ୪୭ଟି ବିଭିନ୍ନ କିସମର ଗାଡିମୋଟର ଜବତ କରିଛି ।

ଚଳିତବର୍ଷ ମଇ ମାସରେ ଅବକାରୀ ବିଭାଗକୁ ମିଳିଥିବା ବଡ ସଫଳତା ମଧ୍ୟରେ ସମ୍ବଲପୁର ଠାରେ ଏକ ନକଲି ବିଦେଶୀ ମଦ ତିଆରି କାରଖାନା ଠାବ କରାଯିବା ସହିତ ସେଠାରୁ ୩୮ଲିଟର ନକଲି ମଦ, ୮୬,୨୩୩ ନକଲି ଲେବୁଲ୍‍, ୭୫ହଜାର ଠିପି, ଦୁଇଟି ମୋଟର ସାଇକେଲ ଜବତ ସହିତ ୭ଜଣଙ୍କୁ ଗିରଫ କରାଯାଇଥିଲା । ଏଥି ସହିତ ଅବକାରୀ ବିଭାଗ କୋରାପୁଟରୁ ୯କୁଇଣ୍ଟାଲ ଗଞ୍ଜେଇ ଜବତ କରିଥିବାବେଳେ ବ୍ରହ୍ମପୁର ଅବକାରୀ ସ୍କ୍ୱାଡ୍‍ ୧୫୫୦ କିଲୋ ଭାଗ ଓ ଗୋଟିଏ ଟ୍ରକ ଜବତରେ ସଫଳ ହୋଇଥିବା ସମୀକ୍ଷାରୁ ଜଣାଯାଇଛି । (ତଥ୍ୟ)