Home News in Odia ଅବକାରୀ ଧରପଗଡରେ ୧୦ଦିନରେ ୮୮୦ ଗିରଫ

ଅବକାରୀ ଧରପଗଡରେ ୧୦ଦିନରେ ୮୮୦ ଗିରଫ

ଭୁବନେଶ୍ୱର : ନୂଆବର୍ଷରୁ ଅବକାରୀ ବିଭାଗ ଧରପଗଡ ଜୋରଦାର କରିବା ଫଳରେ ଜାନୁୟାରୀ ମାସର ପ୍ରଥମ ଦଶ ଦିନରେ ୮୮୦ଜଣ ଗିରଫ ହେବା ସହିତ ହଜାରେରୁ ଅଧିକ ଅବକାରୀ ମାମଲା ରୁଜୁ ହୋଇଛି । ଏହି ସମୟରେ ପ୍ରାୟ ୩କୋଟି ୭୮ଲକ୍ଷ ଟଙ୍କା ମୂଲ୍ୟର ସାମଗ୍ରୀ ବି ଜବତ ହୋଇଛି ।

ଅବକାରୀ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ମାସ ଏକ ରୁ ୧୦ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅବକାରୀ ଚଢାଉକୁ ସକ୍ରିୟ କରାଯିବା ଫଳରେ ୧୦୪୫ଟି ଅବକାରୀ ମାମଲା ରୁଜୁ ହୋଇଛି । ନିଶା କାରବାରରେ ଜଡିତ ୮୮୦ଜଣ ଅଭିଯୁକ୍ତ ଗିରଫ ହୋଇଥିବାବେଳେ କାରଖାନା ତିଆରି ୩୦,୯୭୯ ଦେଶୀ ମଦ ଓ ୨,୩୫,୧୪୫ ଲିଟର ମଦ ତିଆରି ସାମଗ୍ରୀ ଜବତ ହୋଇଛି ।

ସେହିଭଳି ଏହି ୧୦ଦିନ ମଧ୍ୟରେ ଅବକାରୀ ବିଭାଗ ୧୬୬୬ କିଲୋ ଗଞ୍ଜେଇ, ୬୬୪ ଗ୍ରାମ ବ୍ରାଉନସୁଗାର, ୨୬୫.୬୫ ଲିଟର ନକଲି ବିଦେଶୀ ମଦ, ୩୩୧ ଲିଟର ବିଦେଶୀ ମଦ, ୨୨୬ ଲିଟର ବିୟର ଜବତ କରିଛି । ଚୋରା ନିଶା ସାମଗ୍ରୀ ପରିବହନ କରୁଥିବା ୬୭ଟି ଦୁଇ ଓ ଚାରିଚକିଆ ଯାନକୁ ବି ଅବକାରୀ ବିଭାଗର ଅଧିକାରୀମାନେ ଜବତ କରିଛନ୍ତି । ଜବତ ହୋଇଥିବା ଏହି ସବୁ ସାମଗ୍ରୀର ମୂଲ୍ୟ ପ୍ରାୟ ୩.୭୮ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ।

ଏହି ଦଶ ଦିନ ମଧ୍ୟରେ ଅବକାରୀ ବିଭାଗକୁ ମିଳିଥିବା ବଡ ଧରଣର ସଫଳତା ମଧ୍ୟରେ ବାଲେଶ୍ୱର ଅବକାରୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜିଲ୍ଲାର ଚନ୍ଦନେଶ୍ୱର ଅଞ୍ଚଳରୁ ଜବତ ହୋଇଥିବା ୫୫ଲକ୍ଷ ଟଙ୍କାର ବ୍ରାଉନସୁଗାର ଅନ୍ୟତମ । ଏହି ଘଟଣାରେ ପଶ୍ଚିମବଙ୍ଗର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷରୁ କୋଦଳା ଥାନା ଅର୍ନ୍ତଗତ ଧର୍ନୁଜୟପୁରରୁ ୧୫ଲକ୍ଷ ୭୫ହଜାର ଟଙ୍କା ମୂଲ୍ୟର ୩୧୫ କିଲୋ ଗଞ୍ଜେଇ ଜବତ ସହିତ ଦୁଇଜଣ ବ୍ୟକ୍ତି ଓ ଏହାକୁ ପରିବହନ କରୁଥିବା ଗୋଟିଏ ଟ୍ରକ ଜବତ କରାଯାଇଛି । ଏଥି ସହିତ ବ୍ରହ୍ମପୁର ଅବକାରୀ ବିଭାଗ ବି ବ୍ରହ୍ମପୁର ସହରରୁ ପ୍ରାୟ ୪୫ଲକ୍ଷ ଟଙ୍କା ମୂଲ୍ୟର ୫୦୦ କିଲୋ ଗଞ୍ଜେଇ ଜବତ କରିଛି ।

ମାତ୍ର ଦଶଦିନ ମଧ୍ୟରେ ବିଭାଗକୁ ମିଳିଥିବା ଅନ୍ୟ ସଫଳତା ମଧ୍ୟରେ ରାଜ୍ୟ ସ୍ତରୀୟ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାଡ୍‍ କଟକରୁ ୯୦୦ ଲିଟର ଦେଶୀ ମଦ ଜବତ ସହିତ ୨ଜଣଙ୍କୁ ଗିରଫ କରିଥିବାବେଳେ ମୟୁରଭଞ୍ଜ ଅବକାରୀ ବିଭାଗ ୩୬ଲିଟର ବିଦେଶୀ ମଦ ଜବତ କରିଛି ଯାହା ଝାଡଖଣ୍ଡକୁ ବିକ୍ରି ପାଇଁ ଯାଉଥିଲା । ସେହିଭଳି କୋରାପୁଟ ଅବକାରୀ ବିଭାଗ ନନ୍ଦପୁର ଅଞ୍ଚଳରୁ ୩୩ଲକ୍ଷ ଟଙ୍କାର ୬୬୦ କିଲୋ ଗଞ୍ଜେଇ ଜବତ ସହିତ ଏଥିରେ ହରିଆନାର ଜଣେ ବ୍ୟକ୍ତିଙ୍କୁ ଗରିଫ କରିଛି ।

ବାଲେଶ୍ୱର ଅବକାରୀ ବିଭାଗ ୧୯୦୦ ଲିଟର ଦେଶୀ ମଦ ସହିତ ଗୋଟିଏ ବୋଲେରୋ ଜବତ କରିଥିବାବେଳେ ଯାଜପୁର ଅବକାରୀ ବିଭାଗ ବରିରୁ ୨୮୦ ବୋତଲ ନକଲି ବିଦେଶୀ ମଦ ଜବତରେ ସଫଳ ହୋଇଛି । ରାଜ୍ୟସ୍ତରୀୟ ଫ୍ଲାଇଙ୍ଗ ସ୍କ୍ୱାଡ୍‍ ଗତ ୫ତାରିଖରେ କଟରୁ ୧୨୬ କିଲୋ ଗଞ୍ଜେଇ ଓ ଗୋଟିଏ କାର ଜବତ କରିଥିବାବେଳେ ୨୩ଲିଟର ନକଲି ବିଦେଶୀ ମଦ ସହିତ ୨ଜଣଙ୍କୁ ଗରିଫ କରିଛି । ସମ୍ବଲପୁର ଅବକାରୀ ବିଭାଗ ୧୧୮ଲିଟର ନକଲି ବିଦେଶୀ ମଦ ଜବତ ସହିତ ଆଉ ଦୁଇଜଣଙ୍କୁ ଧରିଥିବା ଜଣାଯାଇଛି । (ତଥ୍ୟ)