Home General ଅବକାରୀ ଧରପଗଡରେ ରେକର୍ଡ ଗିରଫ

ଅବକାରୀ ଧରପଗଡରେ ରେକର୍ଡ ଗିରଫ

ଭୁବନେଶ୍ୱର : ପୌର ନିର୍ବାଚନ ସମୟରେ ଫେବୃୟାରୀ ୨୫ତାରିଖରୁ ଅବକାରୀ ବିଭାଗ ଚଳାଇଥିବା ସ୍ୱତନ୍ତ୍ର ଅଭିଯାନରେ ୩ହଜାରରୁ ଅଧିକ ବ୍ୟକ୍ତି ଗିରଫ ହୋଇଥିବାବେଳେ ୧୧କୋଟି ଟଙ୍କାରୁ ଅଧିକ ନିଶା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ଏହି ସମୟରେ ଅବକାରୀ ବିଭାଗ ୩୮୯୫ଟି ମାମଲା ରୁଜୁ କରିଥିବା ଜଣାଯାଇଛି ।

ପୌର ର୍ନିବାଚନ ସମୟରେ ଯେଭଳି ବେଆଇନ୍‍ ନିଶା କାରବାର ସଂକ୍ରାନ୍ତୀୟ କୌଣସି ଘଟଣା ନଘଟେ ସେଥିପାଇଁ ସ୍ୱତନ୍ତ୍ର ଅଭିଯାନ ଚଳାଇବାକୁ ଅବକାରୀ କମିଶନ ଆଶିଷ କୁମାର ସିଂହ କ୍ଷେତ୍ର ଅଧିକାରୀ ଓ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ ବିଭାଗ ପକ୍ଷରୁ ୨୪ଘଣ୍ଟିଆ ଧରପଗଡ ଜାରି ରହିଥିଲା । ଏହି ସମୟରେ ଅବକାରୀ ବିଭାଗର ଫ୍ଲାଇଙ୍ଗସ୍କ୍ୱାଡ୍‍ ସମେତ ଗୁଇନ୍ଦା ବିଭାଗ ଜୋରଦାର ଅଭିଯାନ ଚଳାଇବାରୁ ରେକର୍ଡ ସଂଖ୍ୟକ ବ୍ୟକ୍ତି ଗିରଫ ହୋଇଥିବା ଜଣାଯାଇଛି ।

ମିଳିଥିବା ସୂଚନା ଅନୁସାରେ ଏହି ସମୟରେ ଅବକାରୀ ବିଭାଗ ବେଆଇନ୍‍ ନିଶା କାରବାର ଅଭିଯୋଗରେ ୩୧୯୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ୩୮୯୫ଟି ମାମଲା ରୁଜୁ କରିଛି । ଏଥି ସହିତ ୧,୧୨,୨୬୩ ଲିଟର କାରଖାନା ତିଆରି ଦେଶୀମଦ, ୯୦ହଜାର ଲିଟରରୁ ଅଧିକ ପରିମାଣର ଦେଶୀମଦ ପ୍ରସ୍ତୁତ ସାମଗ୍ରୀ, ୨୯୧୬ କିଲୋ ଗଞ୍ଜେଇ ଓ ୧୦୩୭ ଲିଟର ନକଲି ବିଦେଶୀ ମଦ ଜବତ କରିଥିଲା ।

ସେହିଭଳି ଅବକାରୀ ବିଭାଗର ଘନ ଘନ ଚଢଉ ଯୋଗୁଁ ପୌର ନିର୍ବାଚନ ସମୟରେ ୫୨୭ଲିଟର ସ୍ପିରିଟ୍‍, ୬୩୭ ଗ୍ରାମ ବ୍ରାଉନସୁଗାର, ୨୫୩୨ଲିଟର ଭାରତ ତିଆରି ବିଦେଶୀ ମଦ, ୨୮୧୦ ଲିଟର ବିୟର, ୭୮୬ଲିଟର ଦେଶୀ ମଦ, ୨୭୦୫ ଲିଟର ଭାଟିମଦ, ୨୭,୨୩୨ ମଦ ଲେବୁଲ, ୧୪୪ଟି ଦୁଇ ଓ ଚାରି ଚକିଆ ଯାନ ଜବତ କରିଥିଲେ । ଜବତ ହୋଇଥିବା ଏହି ସବୁ ସାମଗ୍ରୀର ମୂଲ୍ୟ ପ୍ରାୟ ୧୧କୋଟି ୬୫ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି ।

ନିର୍ବାଚନ ସମୟରେ ଅବକାରୀ ବିଭାଗ ଚଢଉରୁ ଯେଉଁସବୁ ବଡ ଧରଣର ସାମଗ୍ରୀ ଜବତ ହୋଇଥିଲା ସେଥି ମଧ୍ୟରେ ଗତକାଲି କେବଳ କଟକରୁ ୧୧୦ କିଲୋ ଗଞ୍ଜେଇ ସହିତ ଗୋଟିଏ ଚାରିଚକିଆ ଯାନ ଏବଂ ୧୩୨ଲିଟର ବିଦେଶୀ ମଦ ଓ ୨୪୨ ଲିଟର ବିୟର ଜବତ ହୋଇଛି । ସେହିଭଳି କଟକ ଫ୍ଲାଇଙ୍ଗ୍‍ ସ୍କ୍ୱାଡ୍‍ ଗତ ୨୦ତାରିଖ ଦିନ ୧୫୦ କିଲୋ ଗଞ୍ଜେଇ ଜବତ କରିବା ସହିତ ଏହି ଅଭିଯୋଗରେ ଦୁଇ ଜଣଙ୍କୁ ବାନ୍ଧିଥିଲା ।

ଏହା ପୂର୍ବଦିନ ଅର୍ଥାତ୍‍ ୧୯ତାରିଖରେ ରାଉରକେଲା ଠାରେ ବିପୁଳ ପରିମାଣର ନକଲି ବିଦେଶୀ ମଦ ସମେତ ଏହାର ପ୍ରସ୍ତୁତି ପାଇଥିବା ସାମଗ୍ରୀ ଜବତ ହୋଇଥିଲା । ସେହିଭଳି ମାର୍ଚ୍ଚ ୧୪ ତାରିଖରେ କଟକ ଅବକାରୀ ବିଭାଗର ଫ୍ଲାଇଙ୍ଗ୍‍ସ୍କ୍ୱାଡ୍‍ ଢେଙ୍କାନାଳର ଭୁବନ ଅର୍ନ୍ତଗତ କଣ୍ଢେଇପାଳ ଠାରୁ ମଦ ପ୍ରସ୍ତୁତ କାରଖାନା ସମେତ କୋଲକାତାରୁ ଆମଦାନୀ ହୋଇଥିବା ୩୬୦ ଲିଟର ସ୍ପିରିଟ୍‍, ୬୦ଲିଟର ନକଲି ହ୍ୱିସ୍କି, ୨୮୫୦ ହୋଲୋଗ୍ରାମ, ୨୪୦୦ ଠିପି ସହିତ ଗୋଟିଏ ଟ୍ରକ ବି ଜବତ ହୋଇଥିଲା ।

ଏହି ସମୟରେ ବ୍ରହ୍ମପୁର ଅବକାରୀ ବିଭାଗର ଅଧିକାରୀମାନେ ଉତ୍ତରପ୍ରଦେଶ ନମ୍ବର ଥିବା ଗୋଟିଏ ଟ୍ରକରୁ ୪୦୦ କିଲୋ ଗଞ୍ଜେଇ ଜବତ କରିଥିଲେ ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ଲକ୍ଷ ଟଙ୍କା । ଏହି ଗଞ୍ଜେଇ ଗଜପତି ଜିଲ୍ଲାରୁ ଉତ୍ତରପ୍ରଦେଶକୁ ଚାଲାଣ ହେଉଥିବା ଜଣାଯାଇଛି । କୋରାପୁଟ ଅବକାରୀ ଅଧିକାରୀମାନେ ମଧ୍ୟ ସିନ୍ଧିପୁଟ ଗ୍ରାମରୁ ୨୬ଲକ୍ଷ ଟଙ୍କା ମୂଲ୍ୟର ୫୨୫ କିଲୋ ଗଞ୍ଜେଇ ଜବତ କରିଥିଲେ । ତେବେ ସବୁଠାରୁ ବଡ ଅବକାରୀ ଜବତ ହୋଇଥିଲା ମାର୍ଚ୍ଚ ପହିଲାରେ ଢେଙ୍କାନାଳରେ । ଅରୁଣାଚଳପ୍ରଦେଶରୁ ଅନୁଗୁଳକୁ ଆସୁଥିବା ଟ୍ରକ ଭର୍ତ୍ତି ମଦ ଜବତ ହୋଇଥିଲା । (ତଥ୍ୟ)