Home Administration ଅବକାରୀ ଅଧିକାରୀଙ୍କ ବୟାନକୁ ନେଇ ଆଲୋଡନ

ଅବକାରୀ ଅଧିକାରୀଙ୍କ ବୟାନକୁ ନେଇ ଆଲୋଡନ

ଭୁବନେଶ୍ୱର : ରାଜ୍ୟରେ ନିଶା ବେପାର ନିୟନ୍ତ୍ରଣ ସହିତ ଚୋରା କାରବାର ରୋକିବାପାଇଁ ଯେଉଁ ସଂସ୍ଥାଗୁଡିକ ଉପରେ ଦାୟିତ୍ୱ ଦିଆଯାଇଛି ସେଥିରେ ବ୍ୟାପକ ଦୁର୍ନୀତି ହେଉଥିବା ଘେନି ଜଣେ ଦାୟିତ୍ୱ ସମ୍ପନ୍ନ ଅଧିକାରୀ ଉପରିସ୍ଥ ଅଧିକାରୀଙ୍କୁ ପତ୍ର ଲେଖିବା ସହ ଗଣମାଧ୍ୟମରେ ବୟାନ ଦେବା ଏବଂ ଦିନକ ପରେ ନିଜେ ନିଜକୁ ମାନସିକରୋଗୀ ବୋଲି ଘୋଷଣା କରି ପୂର୍ବ ବୟାନ ବଦଳାଇବା ଘଟଣା ବିଭିନ୍ନ ମହଲରେ ଆଲୋଡନ ସୃଷ୍ଟି କରିଛି ।

ପୁରୀର ଜଣେ ଅବକାରୀ ଇନ୍ସପେକ୍ଟର ଏ ପ୍ରସଙ୍ଗରେ ପୁଲିସ୍‍ ଓ ତାଙ୍କ ଉପରିସ୍ଥ ଅଧିକାରୀଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି ଅବକାରୀ କମିଶନର ଓ ଅନ୍ୟ ଅଧିକାରୀମାନଙ୍କୁ ଚିଠି ଲେଖିଥିବା ଘେନି ପ୍ରଥମେ ଗଣମାଧ୍ୟମରେ ପ୍ରକାଶ ପାଇଲା ଏବଂ ସମ୍ପୃକ୍ତ ଇନ୍ସପେକ୍ଟର ସିଧାସଳଖ ଭାବେ ଜିଲ୍ଲା ପୁଲିସ୍‍ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି ମଦ ମାଫିଆଙ୍କ ଠାରୁ କିଛି କର୍ମଚାରୀ ବଟି ନେଉଥିବା ଘେନି ଖୋଲା ଆରୋପ କରିଥିଲେ ।

ଏହି ଘଟଣାରେ ଅବକାରୀ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ତଳ ସ୍ତର ପର୍ଯ୍ୟନ୍ତ କମ୍ପନ ସୃଷ୍ଟି ହେବାପରେ ଅଭିଯୋଗ ଆଣିଥିବା ଇନ୍ସପେକ୍ଟର ଜଣଙ୍କ ଛୁଟିରେ ଯିବାପାଇଁ ଆବେଦନ କରିବା ସହ ମାନସିକ ରୋଗର ଚିକିତ୍ସାପାଇଁ ସେ ଦୀର୍ଘଦିନ ତଳୁ ଔଷଧ ଖାଉଥିବା ଉଲ୍ଲେଖ କରିଛନ୍ତି । ଏଥି ସହିତ ତାଙ୍କ ଉପରିସ୍ଥ ଅଧିକାରୀ ଓ ପୁଲିସ୍‍ ପାଇଁ ଭଲ ସାର୍ଟିଫିକେଟ ବି ଦେଇଛନ୍ତି ।

ଗତ କିଛିବର୍ଷ ମଧ୍ୟରେ ରାଜ୍ୟରେ ଉଭୟ ଲାଇସେନ୍ସପ୍ରାପ୍ତ ଓ ଚୋରା ନିଶା କାରବାର ବହୁ ପରିମାଣରେ ବୃଦ୍ଧି ପାଇଛି । ପ୍ରାୟ ପ୍ରତିଦିନ ଚରସ ବ୍ରାଉନସୁଗାର ଠାରୁ ଆରମ୍ଭ କରି ଗଞ୍ଜେଇ ଚୋରା ମଦ ଆଦି ବିପୁଳ ପରିମାଣରେ ଜବତ ହେଉଥିଲେ ବି ନିଶା ବ୍ୟବହାର ସଙ୍କୁଚିତ ହେବା ପରିବର୍ତ୍ତେ ପ୍ରସାରିତ ହେବାରେ ଲାଗିଛି ।

ଇତି ମଧ୍ୟରେ ଅବକାରୀ ଓ ପୁଲିସ୍‍ ବିଭାଗର କିଛି ଅଧିକାରୀଙ୍କୁ ଦୁର୍ନୀତି ନିବାରଣ ସଂସ୍ଥା ଗିରଫ କରି ବିପୁଳ ପରିମାଣର ଅର୍ଥ ସେମାନଙ୍କ ଠାରୁ ଜବତ କରିବା ସହ ଜେଲ୍‍ ପଠାଇଛି । ଚୋରା ନିଶା କାରବାରରୁ କଳା ଟଙ୍କା କାରବାର ହେଉଥିବା ଘଟଣା କିଛି ନୂଆକଥା ନୁହେଁ । ବହୁ ଚର୍ଚ୍ଚିତ କଟକ ମଦମୃତ୍ୟୁ ଦୁର୍ଘଟଣାରେ ତଦନ୍ତ କରିଥିବା କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିଲେ ଯେ ଖାକି ପୋଷାକ ପରିହିତ କିଛି ଅବକାରୀ ଓ ପୁଲିସ୍‍ କର୍ମଚାରୀ ଚୋରା ମଦ ବେପାରୀର ପୋଷା କୁକୁର ଭଳି କାର୍ଯ୍ୟ କରୁଥିଲେ ।

ସେହି ସମୟରେ ରାଜ୍ୟ ସରକାର ଘଟଣାର ପ୍ରଶାସନିକ ତଦନ୍ତ ଭାର କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ଦେଇଥିଲେ ଏବଂ ଆୟୁକ୍ତ ତାଙ୍କ ରିପୋର୍ଟରେ ଥାନା, ଖାଣ୍ଡି ସମେତ ସରକାର ଚଳାଉଥିବା ବ୍ୟକ୍ତି ବିଶେଷ ଚୋରାମଦ ବେପାରୀ ଠାରୁ ବଟି ନେଉଥିବା ଉଲ୍ଲେଖ କରିଥିଲେ । କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀଙ୍କ ଲିଖିତ ମନ୍ତବ୍ୟ ଓ ଆରଡିସିଙ୍କ ରିପୋର୍ଟ ରାଜ୍ୟ ସରକାର ବସାଇଥିବା ଅବସରପ୍ରାପ୍ତ ହାଇକୋର୍ଟ ଜଜ୍‍ ବାଳକୃଷ୍ଣ ବେହେରାଙ୍କ କମିଶନ ନିକଟରେ ଦାଖଲ କରାଯାଇଥିଲା ।

ଏହି ତଦନ୍ତ କମିଶନ ମଧ୍ୟ ତାଙ୍କ ରିପୋର୍ଟରେ ଚୋରା ମଦ ବେପାରୀଠୁ କେତେକ ନେତା ପୃଷ୍ଠପୋଷକତା ଦେଉଥିବା ଦର୍ଶାଇ ଏହା ରାଜନୀତିରେ ଅପରାଧିକରଣ ଓ ଅପରାଧର ରାଜନୀତିକରଣ ବୋଲି ଉଲ୍ଲେଖ କରିଥିଲେ । ତଦନ୍ତ ସମୟରେ ଚୋରା ମଦ ବେପାରୀ ଠାରୁ ଯେଉଁମାନେ ଚାନ୍ଦା ନେଉଥିଲେ ସେମାନଙ୍କର ଯେଉଁ ତାଲିକା ମିଳିଥିଲା ସେଥିରେ କିଛି ରାଜନେତାଙ୍କ ସମେତ ପୁଲିସ୍‍ ଓ ଅବକାରୀ କର୍ମଚାରୀଙ୍କ ନାମ ଥିଲା ।

ପରବର୍ତ୍ତୀ ଅନ୍ୟ କେତେକ ମଦମୃତ୍ୟୁ ଦୁର୍ଘଟଣାରେବି ବିଭାଗୀୟ ଅଧିକାରୀଙ୍କ ପୃଷ୍ଠପୋଷକତା ଥିବା ଜଣାପଡିଥିଲା । ପୁରୀରେ ଅବକାରୀ ଇନ୍ସପେକ୍ଟରଙ୍କ ଏବେକାର ବୟାନ ଅନେକ ପୁରୁଣା ଘା’ କୁ ଉଖାରିଥିବା ଭଳି ମନେ ହେଉଛି । (ତଥ୍ୟ)